ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ବେଳେ ପଥର ମାଡ଼। ପଥର ମାଡ଼ରେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୁଲିସ ଆହତ ହୋଇଛନ୍ତି। ଗୁରୁତର ଥିବା ଧନୁପାଲି ଆଇଆଇସିଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଧନୁପାଲି ଛକରୁ ରାଲି ଗଲା ବେଳେ ଦୁଇଗୋଷ୍ଠୀ ଭିତରେ ଉତ୍ତେଜନା ଦେଖାଦେଇଥିଲା। ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରେ ପଥର ମାଡ଼ ହୋଇଛି।
ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍, ବାଇକ ଜାଳି ଦେଇଛନ୍ତି। ଏହାକୁ ନେଇ ସମ୍ବଲପୁରରେ ଉତ୍ତେଜନା ବଡ଼ ରୂପ ଧାରଣ କରିଛି। ଜିଲ୍ଲା ସ୍କୁଲ ଛକରୁ ଭିଜିଲାନ୍ସ ଅଫିସ୍ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳାର ଦୃଶ୍ୟ ଦେଖିବାକୁ ମିଳିଛି। ପୁଲିସ ପକ୍ଷରୁ ଶାନ୍ତି ରକ୍ଷା ନିମନ୍ତେ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଛି।
ସୂଚନା ମୁତାବକ, ଗୋବିନ୍ଦ ତଲା ଛକରୁ ଏହି ବାଇକ ଶୋଭାଯାତ୍ରା ବାହାରିଥିଲା। ଯାହା ଜେଲ୍ ଛକ, ଧନୁପାଲି ଥାନା ଛକ, ମୋତିଝରଣ ଛକ, ସାକ୍ଷୀପଡ଼ା, ଲକ୍ଷ୍ମୀ ଟକିଜ, ମୋଦିପଡ଼ା ଦେଇ ସହର ପରିକ୍ରମା କରିବାର ଥିଲା। ହେଲେ ଧନୁପାଲି ଥାନା ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା। ଏହି ଛକରେ ଥିବା ମସଜିଦ୍ ପାର୍ଶ୍ୱରୁ ଗୋଟିଏ ଗୋଷ୍ଠୀ ପଥର ମାଡ଼ କରିଥିବା ବେଳେ ଅପରପାର୍ଶ୍ୱରୁ ବାଇକ୍ ରାଲିରେ ଯାଉଥିବା ଗୋଷ୍ଠୀ ପଥର ମାଡ଼ କରିଥିଲା।
ବାଇକ୍ ରାଲି କରୁଥିବା ଗୋଷ୍ଠୀର କହିବା କଥା ପୁଲିସ ଏହି ଛକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ନ ଥିଲା। ଗତ ୮ ତାରିଖ ରାଲି ବେଳେ ଯେପରି ଭାବେ ଦଉଡି ବାନ୍ଧି କର୍ଡନ୍ କରାଯାଉଥିଲା ସେପରି କରାଯାଇ ନ ଥିଲା। ତେଣୁ କିଛି ଲୋକେ ରାଲି ଭିତରେ ପଶି ବିଶୃଙ୍ଖଳା କରିବାରୁ ଏଭଳି ଘଟଣା ଘଟିଛି। ତେବେ ଏନେଇ ଅପର ଗୋଷ୍ଠୀ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।