‘ଭାରତ ବିଶ୍ବଗୁରୁ ଭାବେ ଦୁର୍ଦ୍ଦିନରେ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ’

ନୂଆଦିଲ୍ଲୀ : ଗଣତନ୍ତ୍ର, କଥାବାର୍ତ୍ତା, ବିବିଧାୟନ ଓ ରଣନୈତିକ ପ୍ରୟୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ୟୁକ୍ରେନ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସୋମବାର ଭାରତ ଗସ୍ତରେ ଆସିଥିବା ଏହାର ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା ‌କହିଛନ୍ତି।
ସୋମବାର ଦିନ ନୂଆଦିଲ୍ଲୀଠାରେ ପହଞ୍ଚିଥିବା ଝାପାରୋଭା କହିଛନ୍ତି,- ମୁଁ ଭାବୁଛି ଭାରତ ଏହାର ଶକ୍ତି ଉତ୍ସ, ସାମରିକ ଚୁକ୍ତିନାମା ଏବଂ ରାଜନୈତିକ କଥାବାର୍ତ୍ତାର ବିବିଧାୟନରେ ବାସ୍ତବବାଦୀ ହେବା ଉଚିତ। ଆମେ ଅନୁଭବ କରୁଛୁ ଯେ, ଆମେ ଏକ ଅସାଧାରଣ ସମୟ ଦେଇ ଗତି କରୁଛୁ। ଆମ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହନ୍ତି ଅସାଧାରଣ ସମୟ ପାଇଁ ଅସାଧାରଣ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଣତନ୍ତ୍ରର ୩ଡି (ତ୍ରିବିମୀୟ) ନୀତି, କଥାବାର୍ତ୍ତା, ବିବିଧାୟନ ଏବଂ ତାଙ୍କର ଯୁଦ୍ଧ-ବିରୋଧୀ ରଣନୈତିକ ପ୍ରୟୋଗ ବାସ୍ତବରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେଣୁ ମୁଁ ଭାବୁଛି, ଭାରତ ଓ ୟୁକ୍ରେନ୍ ଭୌଗୋଳିକ ଦୃଷ୍ଟିରୁ ପରସ୍ପରଠାରୁ ବହୁ ଦୂରରେ ଥିବା ଦୁଇଟି ଦେଶ ହେଲେ ହେଁ, ସେମାନେ ଭୌତିକ ଓ ରାଜନୈତିକ ଦୃଷ୍ଟିରୁ ତଥା ବହୁଭାବରେ ନିକଟତର ହୋଇପାରିବେ।
ୟୁକ୍ରେନ୍‌ର ଇତିହାସ ସମ୍ପର୍କରେ ଝାପାରୋଭା କହିଲେ ଯେ, ଭାରତ ପରି ତାଙ୍କ ଦେଶ କେବେ କାହାକୁ ଆକ୍ରମଣ କରିନାହିଁ। ୟୁକ୍ରେନ୍ ଏବେ ଅକାରଣେ ନବ୍ୟ-ଉପନିବେଶୀୟ ଯୁଦ୍ଧର ଶିକାର ହୋଇଛି। ଆପଣଙ୍କ ପ୍ରଧାନମନ୍ତ୍ରୀ (ମୋଦୀ) ସମରକନ୍ଦରେ ଯଥାର୍ଥରେ କହିଥିଲେ ଯେ ‘ଏହା ଯୁଦ୍ଧର ସମୟ ନୁହେଁ’। ଆମେ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛୁ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆକ୍ରମଣକାରୀ ଦେଶ ଅନ୍ୟ ଦେଶର ଅସ୍ତିତ୍ବକୁ ପ୍ରଶ୍ନ କରୁଛନ୍ତି। ଆମେ ଆଶା କରୁଛୁ ଭାରତ ବିଭିନ୍ନ ବିଶ୍ବ ପ୍ରସଙ୍ଗ ଓ ଆହ୍ବାନର ମୁକାବିଲା ଲାଗି ନିଜକୁ ସମ୍ପୃକ୍ତ କରିବ।
ଏମିନ ଝାପାରୋଭା ସୋମବାର ଏକ ଚାରିଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଗତବର୍ଷ ଫେବ୍ରୁଆରି ମାସରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଏହା ତାଙ୍କ ଦେଶର ଜଣେ ନେତାଙ୍କର ପ୍ରଥମ ଭାରତ ଗସ୍ତ।
ନିଜର ସରକାରୀ ଟ୍ବିଟର ହ୍ୟାଣ୍ଡେଲରେ ଝାପାରୋଭା କହିଛନ୍ତି, ବହୁ ସାଧୁସନ୍ଥ ଓ ଗୁରୁଙ୍କୁ ଜନ୍ମ ଦେଇଥିବା ଦେଶ ମାଟିରେ ପାଦ ଦେଇ ସେ ଅତ୍ୟନ୍ତ ଆନନ୍ଦିତ। ଆଜି ଭାରତ ବିଶ୍ବଗୁରୁ ତଥା ବିଶ୍ବର ବିବାଦ ମୀମାଂସା କରିବା ଲାଗି ମଧ୍ୟସ୍ଥ ହେବାକୁ ଚାହୁଛି। ଆଜି ଆମେ ଆକ୍ରମଣକାରୀଙ୍କ ଶିକାର ହୋଇଛୁ। ଏ ପରିସ୍ଥିତିରେ ବାସ୍ତବ ବିଶ୍ବଗୁରୁଙ୍କ ପକ୍ଷେ ଆମକୁ ସମର୍ଥନ କରିବା ହେଉଛି ଏକମାତ୍ର ବିକଳ୍ପ।
ଆଜି ଝାପାରୋଭା ବୈଦେଶିକ ମନ୍ତ୍ରଣାଳୟର ସଚିବ (ପଶ୍ଚିମ) ସଞ୍ଜୟ ବର୍ମାଙ୍କୁ ସାକ୍ଷାତ୍‌ କରିଥିଲେ। ଟ୍ବିଟରରେ ବର୍ମା ଲେଖିଛନ୍ତି, ୟୁକ୍ରେନୀୟ ଉପବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କରିବାର ସୁଯୋଗ ପାଇ ସେ ଆନନ୍ଦିତ। ଏହି ଅବସରରେ ଦୁହିଁଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ତାଙ୍କର ଭାରତ ଗସ୍ତ ସଫଳ ହେଉ। ଉପବୈଦେଶିକ ମନ୍ତ୍ରୀ ଭାବେ ସେ ପ୍ରଥମ ଭାରତ ଗସ୍ତରେ ଆସିଥିଲେ ମଧ୍ୟ ଭାରତ ସହ ସେ ସୁପରିଚିତ।

ଏହାପରେ ଝାପାରୋଭା ବିଦେଶ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଏବଂ ଜାତୀୟ ସୁରକ୍ଷା ଉପପରାମର୍ଶଦାତା ବିକ୍ରମ ମିଶ୍ରିଙ୍କୁ ସାକ୍ଷାତ୍ କରିବେ ବୋଲି ଜଣାପଡ଼ିଛି।

nis-ad
Leave A Reply

Your email address will not be published.