କଟକ ସଦର ବ୍ୟବସାୟୀ ବିନୋଦ ବିହାରୀ ଦାସକୁ ଗୁଳି କରି ହତ୍ୟା ଘଟଣା: ୪ ଦୋଷୀଙ୍କୁ ଆଜୀବନ ସଜ୍ଜା

କଟକ: ହତ୍ୟାକାରୀ ଚାରି ଦୋଷୀଙ୍କୁ ଆଜୀବନ ସଜ୍ଜା। ୨୦୧୫ ମସିହା ଡିସେମ୍ବର ୬ ତାରିଖରେ କଟକ ସଦର ଥାନା ବ୍ରାହ୍ମଣ ଝରିଲୋ ବଜାରରେ ବ୍ୟବସାୟୀ କୁଟୁ ଓରଫ ବିନୋଦ ବିହାରୀ ଦାସକୁ ଦିନ ଦ୍ବିପହରରେ ଗୁଳି କରି ଜଘନ୍ୟ ଭାବେ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ୪ ଜଣ ଅଭିଯୁକ୍ତ କଟକ ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଚାରି ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି ଏଡିଜେ କୋର୍ଟ। ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଟୁଲିଆ ଓରଫ ନିଗମାନନ୍ଦ ଜେନାକୁ ଆଜୀବନ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସେହିପରି ହତ୍ୟାକାରୀ ନିହାର ରଞ୍ଜନ ଦାସ, ସୁମନ କୁମାର ଦାସ ଓ ମାଧବ ଦାସକୁ ଆଜୀବନ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ତିନି ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ ସହିତ ୫୦ ହଜାର ଟଙ୍କା ଲେଖାଁଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଘଟଣା ଦିନ ବ୍ୟବସାୟୀ କୁଟୁ ବ୍ରାହ୍ମଣଝରିଲୋରେ ଥିବା ନିଜର ମାର୍କେଟ କଂମ୍ପ୍ଲେକ୍ସ କାମ ଚାଲୁଥିବାରୁ କାମ ଦେଖିବାକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ମୋଟରସାଇକେଲରେ ଆସି କୁଟୁଙ୍କ ମଦ ଦୋକାନରୁ ମଦ ପିଇଥିଲେ। ଏହାପରେ ଅତି ନିକଟରୁ କୁଟୁଙ୍କ ଉପରେ ଗୁଳି ଚଳାଇଥିଲେ। ସେଇଠି ସେ ପଡି ଯାଇଥିଲେ। ତାଙ୍କ ଡ୍ରାଇଭର ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇ ରାହାସ ବିହାରୀ ଦାସ ଗୁଳିକାଣ୍ଡ ସମୟରେ କଲିକତାରେ ଥିଲେ। କଲିକତାରୁ ଫେରି ରାତି ୧୦ ଟାରେ ସଦର ଥାନାରେ ଏତଲା ଦେଇଥିଲେ। ବ୍ୟବସାୟିକ ଶତ୍ରୁତାରୁ ଟୁଲିଆ ଓରଫ ନିଗମାନନ୍ଦ ଜେନା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲା।

nis-ad
Leave A Reply

Your email address will not be published.