ଅନ୍‌ଲାଇନ୍‌ ଆପ୍‌ରେ ଠକେଇ: ଅଭିଯୁକ୍ତ ନିଲେଶକୁ ୪ ଦିନିଆ ରିମାଣ୍ଡରେ ଆଣିଲା ଇଓଡବ୍ଲୁ

ଭୁବନେଶ୍ବର/ବାଲେଶ୍ବର: ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବାଲେଶ୍ବର ଜିଲ୍ଲା ଅଙ୍ଗାରଗାଡ଼ିଆ ଗାଁର ନିଲେଶ କୁମାର କର। ନିଲେଶକୁ ଗିରଫ ପରେ  ବାଲେଶ୍ବରରେ କୋର୍ଟରେ ହାଜର କରାଯାଇଥିଲା। ତାକୁ ଅଧିକ ପଚରାଉଚରା ପାଇଁ ଇଓଡବ୍ଲୁ ୪ ଦିନିଆ ରିମାଣ୍ଡରେ ଭୁବନେଶ୍ବରକୁ ନେଇ ଆସିଛି।

ଇଓଡବ୍ଲ୍ୟୁ କହିଛି, ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ମହାମାୟା ଜେନା ନାମକ ଜଣେ ବ୍ୟକ୍ତି ଠକେଇର ଶିକାର ହେଲା ପରେ ନିଲେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ। ନିଲେସ ତାଙ୍କୁ ଏକ ଆପ୍‌/ୱେବ୍‌ସାଇଟ୍‌ ‘କ୍ଲାଉଡ-ଫଟ୍‌’ରେ ଟଙ୍କା ନିବେଶ କରି ଅତିରିକ୍ତ ରୋଜଗାର କରିବାକୁ ପ୍ରବର୍ତ୍ତାଇଥିଲେ। ନିଲେଶଙ୍କ କଥାରେ ପଡ଼ି ମହାମାୟା ୨ ଲକ୍ଷ ୧୩ ହଜାର ୩୮ ଟଙ୍କା ଡିପୋଜିଟ୍‌ କରିଥିଲେ। ଏହା ଥିଲା ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ଭିତର ଘଟଣା। ମହାମାୟା ଦେଖିବାକୁ ପାଇଥିଲେ ଯେ, ତାଙ୍କର ୱାଲେଟ୍‌ରେ ୫୦ ଲକ୍ଷ ୫୭ ହଜାର ୧୧୭ ଟଙ୍କା ରହିଛି। ସେ ଏହି ଟଙ୍କା ଡ୍ର କରିବାକୁ ଚାହୁଁଥିଲେ। କିନ୍ତୁ କ୍ଲାଉଡ-ଫଟ୍‌ ଆପ୍‌ ଅଚାନକ ବନ୍ଦ ହୋଇଯାଇଥିଲା।

ଇଓଡବ୍ଲୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି ଅଭିଯୁକ୍ତ ନିଲେଶ ଫିନାଇଲ ବିକାଳିରୁ କୋଟିପତି ‌ହୋଇଛି। ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ କରିଛି। କ୍ଳାଉଡ଼ ଫଟ କମ୍ପାନିର ଜିଲ୍ଲା ମୁଖ୍ୟ କହି ଲୋକଙ୍କୁ ଚୁନା ଲଗାଇଥିଲା। ଠକ ନୀଲେଶ କରକୁ ବାଲେଶ୍ବରରୁ ଇଓଡବ୍ଲୁ ଗିରଫ  କରିଛି।  ତା ନିକଟରୁ ନକଲି ଆରବିଆଇ ସାର୍ଟିଫିକେଟ ଓ ନକଲି କାଗଜ ପତ୍ର ଜବତ କରିଛି। ଓଡ଼ିଶାରୁ ୨୦୦ରୁ ଅଧିକ ଲୋକଙ୍କ ଠାରୁ ଠକେଇ କରିଥିବା ଇଓଡବ୍ଲୁ ତଦନ୍ତରୁ ଜାଣିବାକୁ ପାଇଛି।

ଇଓଡବ୍ଲୁ ଭାରତରେ ୮୦ହଜାରରୁ ଅଧିକ ଲୋକ କ୍ଳାଉଡ଼ ଫଟ ଆପକୁ ଡାଉନଲୋଡ଼ କରିଛନ୍ତି। ତେବେ ଦେଶ ସାରା ୮୦ହଜାରରୁ ଅଧିକ ଲୋକ ଠକେଇ ହୋଇ ଥାଇ ପାରନ୍ତି ବୋଲି ଅନୁମାନ କରୁଛି।ଏହି ଠକେଇ ଘଟଣାରେ ମୁଖ୍ୟଅଭିଯୁକ୍ତ କେଉଁଠି ଅଛି ପୁଲିସ ତାକୁ ଖୋଜୁଛି। ଗତ ୪ଦିନ ତଳେ ବାଲେଶ୍ୱର ମହାମାନ୍ୟ ଜେନା ଠକେଇ ନେଇ ଇଓଡବ୍ଲୁରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଅର୍ଥନୈତିକ ଅପରାଧ ଶାଖା।

nis-ad
Leave A Reply

Your email address will not be published.