ରାଜଧାନୀ ଦିଲ୍ଲୀରେ ବିରୋଧୀ ସାଂସଦଙ୍କ ତ୍ରିରଙ୍ଗା ଶୋଭାଯାତ୍ରା, ଆଦାନୀ ମାମଲାର ତଦନ୍ତ ଦାବି

ନୂଆଦିଲ୍ଲୀ: ଗୁରୁବାର ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ପରେ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦରୁ ବିଜୟା ଚୌକ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରଛନ୍ତି। ଆଦାନୀ ଷ୍ଟକ୍‌ ମାମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରି ଆସୁଥିବା ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ପରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା।
ଜାତୀୟ ପତାକା ଧରି ଦ୍ରାବିଡ଼ ମୁନେତ୍ର କଜଗମ (ଡିଏମକେ), ସମାଜବାଦୀ ପାର୍ଟି (ଏସ୍‌ପି), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ଶିବସେନା (ୟୁବିଟି), ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଭଳି ସମଭାବାପନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦ ଭବନରୁ ଶୋଭାଯାତ୍ରା ଆରମ୍ଭ କରି ବିଜୟା ଚୌକ ପର୍ଯ୍ୟନ୍ତ ପଦଯାତ୍ରାରେ ଚାଲି ଚାଲି ଯାଇଥିଲେ।
କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ସୋନିଆ ଗାନ୍ଧୀ ମଧ୍ୟ ସଂସଦ ଭବନର ୧ ନମ୍ବର ଗେଟ୍‌ରେ ଜାତୀୟ ପତାକା ଧରିଥିଲେ, ଯେଉଁଠାରେ ସମସ୍ତ ବିରୋଧୀ ସାଂସଦ ଏକାଠି ହୋଇଥିଲେ।
ଶୋଭାଯାତ୍ରାରେ ଯୋଗ ଦେଇଥିବା କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, ସରକାର ନିଜେ ସଂସଦ ଚାଲିବାକୁ ଦେଉ ନାହାନ୍ତି। ସେମାନେ କାହିଁକି ଆଦାନୀ ଦୁର୍ନୀତି ଉପରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି? ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପରଠାରୁ ସଂସଦର ଉଭୟ ଗୃହର କାର୍ଯ୍ୟ ବାରମ୍ବାର ମୁଲତବୀ ରହିଛି।
ତ୍ରିରଙ୍ଗା ଶୋଭାଯାତ୍ରା ପରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ସରକାରଙ୍କ ଜିଦ୍‌ଖୋର ଆଭିମୁଖ୍ୟ ଯୋଗୁଁ ବଜେଟ୍‌ ଅଧିବେଶନର ଦ୍ୱିତୀୟାର୍ଦ୍ଧ ଧୋଇ ଯାଇଥିବା ନେଇ ବିରୋଧୀ ସାଂସଦମାନେ ଅଭିଯୋଗ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ, ‘ମୋଦୀ ସରକାର ଗଣତନ୍ତ୍ର କଥା କହୁଛନ୍ତି, କିନ୍ତୁ କଥାବାର୍ତ୍ତା କରୁନାହାନ୍ତି’! ସଂସଦରେ ବିନା ଆଲୋଚନାରେ ୧୨ ମିନିଟରେ ୫୦ ଲକ୍ଷ କୋଟି ଟଙ୍କାର ବଜେଟ୍‌ ପାରିତ ହୋଇଗଲା। ଶାସକ ଦଳର ସାଂସଦମାନେ ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ବୋଲି ଖଡଗେ କହିଛନ୍ତି।
ବ୍ରିଟେନ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଦାବି କରି ମୋଦୀ ସରକାର ଆଦାନୀ ପ୍ରସଙ୍ଗରୁ ଧ୍ୟାନ ହଟାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ନିର୍ଦ୍ଦେଶ ଦେବାକୁ ସରକାର ରାଜି ହେଉନାହାନ୍ତି। ତେଣୁ, ବଜେଟ୍‌ ଅଧିବେଶନକୁ ଧୋଇଦେବା ସରକାରଙ୍କ ଉଦ୍ଦେଶ୍ୟ ଥିଲା, ମୁଁ ଏହି ମନୋଭାବକୁ ନିନ୍ଦା କରୁଛି ବୋଲି କଂଗ୍ରେସ ମୁଖ୍ୟ ଖଡଗେ କହିଛନ୍ତି।

nis-ad
Leave A Reply

Your email address will not be published.