ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀଙ୍କୁ ପଚରାଉଚରା

ବଲାଙ୍ଗୀର: ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ପ୍ରକ୍ରିୟାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀ ପୂଜା ମିଶ୍ରଙ୍କୁ ସାମିଲ କରିଛି କ୍ରାଇମବ୍ରାଞ୍ଚ। ଆଜି ବଲାଙ୍ଗୀର ଟାଉନ ଥାନାରେ ପୂଜା ମିଶ୍ରଙ୍କୁ ପୁଲିସ ପଚରାଉଚରା କରିଛି।

ମନୋଜ ପୂଜାଙ୍କ ବ୍ୟାଙ୍କ ଖାତାକୁ ବ୍ୟବହାର କରୁଥିବାର ତଥ୍ୟ ହାସଲ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ଏନେଇ ଜେରା କରିଥିବା କୁହାଯାଉଛି। ତେଣେ ରିମାଣ୍ଡର ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ରିଜର୍ଭ ପୁଲିସଠାରେ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସହ ଆଉ ଦୁଇଜଣଙ୍କୁ ପଚାରଉଚରା କରୁଥିବାର ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ବୁଧବାର କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ବଲାଙ୍ଗୀର ପହଞ୍ଚି ତଦନ୍ତର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ସମୟରେ ବଲାଙ୍ଗୀର ଏସ୍ପି ନିତିନ କୁଶଳକର ଉପସ୍ଥିତ ରହି ମାମଲା ସଂପର୍କରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଆଇଜି ପହଞ୍ଚିବା ପରେ ପ୍ରଥମେ ଡାକ ଅଧୀକ୍ଷକଙ୍କୁ ପଚରାଉଚରା କରିବା ପରେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ଜେରା କରିଥିଲେ।
ବୁଧବାର କ୍ରାଇମବ୍ରାଞ୍ଚ ଟିମ୍ ମାମଲାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସହ ଦୁଇ ଆବେଦନକାରୀ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକଙ୍କୁ ରିମାଣ୍ଡରେ ଆଣି ରିଜର୍ଭ ବାରାକରେ ଜେରା କରାଯାଇଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚର ଏକ ଟିମ୍ ସକାଳ ୧୦ଟାରୁ ଡାକଘରକୁ ଯାଇ ଛାନଭିନ କରିଥିଲା। ମାମଲା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଡାକଘରୁ ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଡିଏସ୍ପି ଦେବବ୍ରତ ଚକ୍ର ଓ ଅନ୍ୟ ଅଧିକାରୀମାନେ ଡାକ ଅଧୀକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଧୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ବି ଜେରା କରିଥିଲେ। କେମିତି ଅଧୀକ୍ଷକ ସାର୍ଟିଫିକେଟ ନକଲି ବୋଲି ଜାଣିପାରିଥିଲେ? କେମିତି ସନ୍ଦେହ ହେଲା ଓ ସେ ନକଲି ଧରିବାରେ ସଫଳ ହୋଇଥିଲେ? ସେ ସଂପର୍କିତ ସବିଶେଷ ତଥ୍ୟ ଡାକ ବିଭାଗ ଅଧୀକ୍ଷକ କ୍ରାଇମବ୍ରାଞ୍ଚ ଟିମ୍କୁ ଦେଇଥିଲେ।

nis-ad
Leave A Reply

Your email address will not be published.