ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ୨୦୨୩ର ଦ୍ଵିତୀୟ ପର୍ଯ୍ଯାୟ ପଦ୍ମ ପୁରସ୍କାର । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ଯାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୬ ଜଣ ପଦ୍ମବିଭୂଷଣ, ୯ ଜଣ ପଦ୍ମଭୂଷଣ, ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ଯାମୀ ମିଶ୍ର, ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। । ସେହିପରି କଣ୍ଢେଇ ନୃତ୍ୟ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଛନ୍ତି।

ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ଯାମୀ ମିଶ୍ରଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ, ସଂସ୍କୃତି, ଇତିହାସ, ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ୨୦୧୯ ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ । କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି। ରଙ୍ଗବତୀ ଗୀତର ଗାୟିକା କ୍ରିଷ୍ଣା ପଟେଲ। ସେହିପରି କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।

nis-ad
Leave A Reply

Your email address will not be published.