ଏକାଧିକ କ୍ରସରରେ ଆୟକର ଚଢ଼ଉ

ଭୁବନେଶ୍ୱର :କଳାପଥର କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ଥିବା ଧର୍ମଶାଳା ତହସିଲ ଅଞ୍ଚଳର ୫ କ୍ରସର ଓ ଏକ ପେଟ୍ରୋଲ ପମ୍ପ ଉପରେ ୩ ଦିନ ଧରି ଚଢ଼ାଉ ଜାରି ରହିଛି। ଏହି ମାଲିକଙ୍କ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଏକକାଳୀନ ୩ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ସପ୍ତାହରେ ଏଭଳି ଚଢ଼ଉ ଚର୍ଚ୍ଚାର ବିଷୟ ହୋଇଛି। ରାହାଡ଼ପୁରରେ ଥିବା ଉତ୍କଳ ହାଇୱେଜ୍ କ୍ରସର ଓ ମୁଦୁଲି କ୍ରସର, ଅମିତ ଷ୍ଟୋନ୍ କ୍ରସର, ବଜରଙ୍ଗୀ ଷ୍ଟୋନ କ୍ରସର, ବିଛାଖଣ୍ଡିର ଏସଏନ୍ କ୍ରସର ଉପରେ ଚଢ଼ଉ ହୋଇଛି। ତିନି ଦିନ ଧରି ବିଭିନ୍ନ ସ୍ଥାନରେ କାଗଜପତ୍ର ଯାଞ୍ଚ ଜାରି ରହିଛି। ଆୟକର ଚଢ଼ଉ ଖବର ପ୍ରଚାର ହେବା ପରେ ଅନ୍ୟ କେତେକ କ୍ରସର କାର୍ଯ୍ୟାଳୟ ଖାଲି ହୋଇ ଯାଇଥିବାବେଳେ ପଥର ବ୍ୟବସାୟ ସ୍ବାଭାବିକ ଚାଲିଛି। କର୍ମଚାରୀଙ୍କୁ ମାରାଥନ୍ ପଚରାଉଚରା ଜାରି ରହିଥିବାବେ​ଳେ ସମସ୍ତ ଖାତା କାଗଜ ସହିତ କମ୍ପ୍ୟୁଟରକୁ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଛନ୍ତି । ଅଧିକାରୀ କ୍ରସରଗୁଡ଼ିକର କିଣାବିକା, ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଜବତ କରିବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ, ୧୬/୬/୨୨ରେ ଏହି ଭଳି ମାରାଥନ ଚଢାଉ ହୋଇଥିଲେ ମଧ୍ୟ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଇ ନଥିବାବେଳେ ଏବେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି। କୌଣସି ବିଭାଗୀୟ ଅଧିକାରୀ କିଛି କହିବାକୁ ନାରାଜ। ତେବେ ଧର୍ମଶାଳା ତହସିଲ କଳାପଥର କେଳେଙ୍କାରୀକୁ ନେଇ ଏକାଧିକ କ୍ରସର ଓ ଖାଦାନ ମାଲିକଙ୍କ ନାମରେ ତହସିଲ ପକ୍ଷରୁ କୋଟିକୋଟି ଟଙ୍କା ଜୋରିମାନା କରାଯାଇଛି। ହେଲେ ଏହି ଅର୍ଥ ଆଦାୟ କରିବାରେ ପ୍ରଶାସନ ବିଫଳ ହୋଇଛି। ସରକାରୀ ଅନୁମତି ଠାରୁ ଶହେଗୁଣ ଅଧିକ ବେଆଇନ କଳାପଥର ଖନନ କାରବାର ତଥ୍ୟ ଆୟକର ବିଭାଗ ଚଢ଼ଉରେ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏହା ବ୍ୟତୀତ ଶହଶହ କୋଟି ଟଙ୍କା ଟିକସ ଫାଙ୍କି ଚାଲିଥିବା ଏକାଧିକ ଖାଦାନ ମାଲିକ ଏବେସୁଦ୍ଧା ଆୟକର ବିଭାଗର ସ୍କାନରକୁ ଆସିନାହାନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.