ନିର୍ମାଣଧୀନ କୂଅରେ ପଡ଼ି ୩୬ଜଣଙ୍କ ମୃତ୍ୟୁ ହେବାପରେ ମନ୍ଦିରରେ ଚଢ଼ିଲା ବୁଲଡୋଜର

ଇନ୍ଦୋର୍‌: ମଧ୍ୟପ୍ରଦେଶର ଇନ୍ଦୋର୍‌ସ୍ଥିତ ବେଲେଶ୍ବର ମହାଦେବ ଝୁଲେଲାଲ୍‌ ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫିକୂଅରେ ପଡ଼ି ୨୧ଜଣ ମହିଳା ଓ ଦୁଇଜଣ ଶିଶୁଙ୍କ ସମେତ ୩୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରଶାସନର ଚେତା ପଶିଛି। ବେଆଇନ ମନ୍ଦିର ନିର୍ମାଣକୁ ଭାଙ୍ଗିବା ପାଇଁ ଘଟଣାସ୍ଥଳରେ ନଗରନିଗମ ଓ ପୁଲିସ ଦଳ ସୋମବାର ପହଞ୍ଚିଛନ୍ତି।
ମନ୍ଦିରରେ ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ପାଞ୍ଚରୁ ଅଧିକ ପୋକଲେନ ଓ ଜେସିବିର ସାହାଯ୍ୟ ନିଆଯାଇଛି। ତେବେ ଏହି ଉଚ୍ଛେଦ କାମ ବେଳେ କୌଣସି ଗଣ୍ଡଗୋଳ ଯେମିତି ନଉପୁଜେ ସେଥିପାଇଁ ୪ଟି ଥାନାର ପୁଲିସ ଫୋର୍ସକୁ ନିୟୋଜିତ କରାଯାଉଛି।
ଇନ୍ଦୋର ନଗର ନିଗମର ଅତିରିକ୍ତ ସଚିବ କହିଛନ୍ତି, ‘ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନଗର ନିଗମ ପକ୍ଷରୁ ମନ୍ଦିରର ଅବୈଧ ନିର୍ମାଣକୁ ଭାଙ୍ଗାଯାଇଛି । ଯେଉଁ ଭାଗ ଭଙ୍ଗାଯାଇଛି, ତାହା ବିନା ଅନୁମତିରେ ନିର୍ମାଣ କରାଯାଇଥିଲା । ଭବିଷ୍ୟତରେ ଏହାକୁ ନେଇ ବିପଦ ରହିଥିବାରୁ ନଗର ନିଗମ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ମନ୍ଦିର ଭିତରେ ଅବୈଧ ଭାବେ କୂଅ ନିର୍ମାଣ ବିଷୟରେ କୌଣସି ସୂଚନା ନାହିଁ । ଏହାକୁ ନେଇ ଯାଞ୍ଚ ଚାଲିଛି ।’
ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳେ ରାମ ନବମୀ ଅବସରରେ ବେଲେଶ୍ବର ମହାଦେବ ଝୁଲେଲାଲ୍‌ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ପାଇଁ ପ୍ରବଳ ଜନଗହଳି ହୋଇଥିଲା। ସେଠାରେ ଥିବା ଗୋଟାଏ ବାମ୍ଫିକୂଅ (ବଡ଼କୂଅ) ଉପରେ ପଡ଼ିଥିବା ‘ଲୁହାଛଡ଼ଦିଆ କଂକ୍ରିଟ୍‌ ସ୍ଲାବ୍‌’ ଉପରେ ମଧ୍ୟ ଲୋକେ ଠିଆହୋଇଥିଲେ। କିନ୍ତୁ, ଉକ୍ତ ସ୍ଲାବ୍‌ଟି ଲୋକଙ୍କ ଓଜନ ସମ୍ଭାଳି ନ ପାରି ଦବି ଯାଇ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ କୂଅ ମଧ୍ୟକୁ ଖସିପଡ଼ିଥିଲେ।
ଏହି ଦୁର୍ଘଟଣାରେ ସମୁଦାୟ ୩୬ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଜଣେ ନିଖୋଜ ଥିବା ବେଳେ ୧୪ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଅଭିଯାନ ୧୮ ଘଣ୍ଟା ଧରି ଚା ଲିଥିବା ଇନ୍ଦୋର୍ ଜିଲ୍ଲାପାଳ ଇଲୟାରାଜା ଟି. କହିଥିଲେ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଥିବା ନେଇ ବିଭିନ୍ନ ମହଲରେ ଶୋକବ୍ୟକ୍ତ କରିଛନ୍ତି।

nis-ad
Leave A Reply

Your email address will not be published.