ଗଞ୍ଜାମ ଜ଼ିଲ୍ଲା କ୍ରିକେଟ ଦୁଇ ସଂଘ ମୁହାଁମୁହିଁ,ବୈଠକ ବନାମ ବୈଠକ,: ବଳି ପଡୁଛନ୍ତି ଖେଳାଳି

ଚୟନ ରେ ହେଉଛି ପାତର ଅନ୍ତର ଏବଂ ଫିକ୍ସଙ୍ଗ…!

ବ୍ରହ୍ମପୁର :-ପୁଣି କ୍ରିକେଟ୍ ସଂଘରେ କନ୍ଦଳ, ଗଂଜାମ ଜିଲ୍ଲା କ୍ରିକେଟ୍ ସଂଘ(ଜିଡିସିଏ)ର ବିବାଦ ଥମିବାର ନାଁ ଧରୁନି। କିଛିଦିନ ତଳେ ଗୋଟିଏ ଗୋଷ୍ଠୀ ସର୍କିଟ ହାଉସ୍‌ରେ ଏକ ବୈଠକ କରାଇ ଏହାକୁ କାର୍ଯ୍ୟକାରିଣୀ ବୈଠକ ଦର୍ଶାଇଥିଲେ। ଆଜି ଅନ୍ୟ ଏକ ଗୋଷ୍ଠୀ ଅଭିନନ୍ଦନ କଲ୍ୟାଣ ମଣ୍ଡପରେ ଏକ ବୈଠକ ଡକାଇ ଏହାକୁ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଦର୍ଶାଇଥିଲେ। ଯାହାକୁ ପ୍ରଥମ ଗୋଷ୍ଠୀ ପକ୍ଷରୁ ବେଆଇନ୍ ଦର୍ଶାଯାଇଛି। ଏଭଳି ସ୍ଥିତିରେ କିଏ ଠିକ୍ କିଏ ଭୁଲ୍, ସେନେଇ ସାଧାରଣରେ ଦ୍ବନ୍ଦ୍ବ ଉପୁଜୁଛି। କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ କ୍ଷମତା ଲିପ୍ସୁ ମାନସିକତା ଯୋଗୁଁ ବର୍ଷବର୍ଷ ଧରି ସଂଘରେ ଏଭଳି ଗୋଷ୍ଠୀ କନ୍ଦଳ ଲାଗି ରହିଥିବା, ଏବଂ ଏହା ଜିଲ୍ଲା କ୍ରିକେଟ୍ ବିକାଶରେ ବାଧକ ସାଜିଥିବା ଚର୍ଚ୍ଚା ହେଉଛି। ଯାହାକି ଖେଳାଳି ହିଁ ବଳି ପଡୁଛନ୍ତି ଉପଯୁକ୍ତ ଖେଳାଳି ଚୟନ ରେ ଵି ଫିକ୍ସଙ୍ଗ କୁ ନେଇ ଅଭିଯୋଗ ଉଠିଛି l
ଅନ୍ୟପକ୍ଷେ ଜିଡିସିଏର ଗୋଷ୍ଠୀ କନ୍ଦଳ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ମଧ୍ୟ ଏଥର ଭିଜନ୍-୨୦୨୪ ପରିଚାଳନା ଦାୟିତ୍ବ ଏହି ସଂଘକୁ ଦେଇନଥିଲା। ଓସିଏ ନିଜେ ଏହି ପ୍ରତିଯୋଗିତା ପରିଚାଳନା କରିଥିଲା। ଏପରିକି ଜିଲ୍ଲା ଦଳ ଗଠନ ପାଇଁ ମଧ୍ୟ ନିଜେ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରସ୍ତୁତ କରିଥିଲା। ଯେଉଁଥିରେ କି କିଛି ଭଲ ଖେଳାଳି ବାଦ୍ ପଡ଼ିଥିବା ନେଇ ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ବିରୋଧର ସ୍ବର ଶାଣିତ ହୋଇ ପାରିନଥିଲା। ଜିଲ୍ଲା ସଂଘରେ ଲାଗିଥିବା ବିବାଦର କିଭଳି ସିଧାସଳଖ ପ୍ରଭାବ ‌ଖେଳାଳିଙ୍କ ଉପରେ ପଡ଼ୁଛି, ତା’ର ଏହା ଉଦାହରଣ। କେବଳ ସେତିକି ନୁହେଁ, ଗୋଷ୍ଠୀ କନ୍ଦଳ ଯୋଗୁଁ ଖେଲାଳି ଚୟନରେ ନିରପେକ୍ଷତା ଅବଲମ୍ବନ କରାଯାଉନଥିବା ନେଇ ପୂର୍ବରୁ ଅଭିଯୋଗ ସାମ୍ନାକୁ ଆସିଥିଲା। ଗୋଟିଏ ପ୍ରତିଯୋଗିତାରେ ଭାଗ ନେବାପାଇଁ ଦୁଇ ଗୋଷ୍ଠୀ ପକ୍ଷରୁ ଦୁଇଟି ଲେଖାଏଁ ଦଳ ପଠାଯିବାର ମଧ୍ୟ ନଜିର୍ ଅଛି।ଏସବୁ ଭିତରେ ଜିଲ୍ଲାରେ କ୍ରିକେଟ୍‌ର ବିକାଶ ସମ୍ପୂର୍ଣ୍ଣ ବାଟବଣା ହୋଇଯାଇଛି। ଜିଲ୍ଲା କ୍ରିକେଟ୍ ସଂଘର ସ୍ଥାୟୀ କୋଠାଟିଏ ନାହିଁ। ଏତେବଡ଼ ଜିଲ୍ଲାରେ ଟର୍ପ ପିଚ୍‌ଟିଏ ଖେଲାଳିଙ୍କ ପାଇଁ ସ୍ବପ୍ନ ପାଲଟିଛି। ଏପରିକି ଜିଲ୍ଲାସ୍ତରୀୟ ପ୍ରତି‌ଯୋଗିତା ଆୟୋଜନ ପାଇଁ ମଧ୍ୟ ଟର୍ପ ପିଚ୍ ଉପଲବ୍ଧ ହେଉନାହିଁ। ମ୍ୟାଟ୍‌ ବିଛାଇ ମ୍ୟାଚ୍ ହେଉଛି। ଏଥିରେ କ୍ରିକେଟ୍ ପ୍ରତିଭାର ବିକାଶ ହେବ କେମିତି? ଏହାମଧ୍ୟରେ ବ୍ରହ୍ମପୁର ଷ୍ଟାଡିୟମ୍‌କୁ ଅନ୍ତର୍ଜାତୀୟସ୍ତରର କ୍ରିକେଟ୍ ଷ୍ଟାଡିୟମରେ ରୂପାନ୍ତର କରାଯିବ ବୋଲି କୁହାଯାଇଥିଲା। ଏବେ କିନ୍ତୁ ବିଧାନସଭାରେ ବିଧାୟକଙ୍କ ଏଭଳି ଏକ ପ୍ରଶ୍ନକୁ ନିଜେ କ୍ରୀଡ଼ା ମନ୍ତ୍ରୀ ମନା କରି ଦେଇଥିଲେ। ସାଢ଼େ ତିନିବର୍ଷ ହେବ ଏହି ଷ୍ଟାଡିୟମ୍‌ର ନବୀକରଣ କାମ ଚାଲିଛିଯେ ଶେଷ ହେବାର ନାଁ ଧରୁନି। କାମର ମାନକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ସଂଘ କର୍ମକର୍ତ୍ତାମାନେ ପରସ୍ପର ମଧ୍ୟରେ ଥିବା ବିବାଦକୁ ଦୂର କରି କ୍ରିକେଟ୍‌ର ବିକାଶ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ଅଛି।

nis-ad
Leave A Reply

Your email address will not be published.