ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୭୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ, ଚହଲ ନେଲେ ୪ ୱିକେଟ୍‌

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣର ୪ର୍ଥ ମ୍ୟାଚ୍‌ରେ ରବିବାର ରାଜସ୍ଥାନ ରୟାଲ୍‌ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରିଛି। ପ୍ରଥମେ ବ୍ୟାଟିଂ କରି ଦଳ ୨୦୩ ରନ୍‌ ସଂଗ୍ରହ କଲା ପରେ ହାଇଦ୍ରାବାଦ ୭୨ ରନ୍‌ରେ ପରାସ୍ତ କରିଛି। ରାଜସ୍ଥାନ ଟିମ୍‌ର ବୋଲର ୟୁଜବେନ୍ଦ୍ର ଚହଲ ୪ଟି ୱିକେଟ୍‌ ନେଇଛନ୍ତି। ହାଇଦ୍ରାବାଦ୍‌ ଟିମ୍‌ ୮ ୱିକେଟ୍‌ ହରାଇ ୧୩୧ ରନ୍‌ ସଂଗ୍ରହ କରିପାରିଛି।
ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ୨୦୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ୍‌ ଦ୍ବିତୀୟ ପାଳି ଆରମ୍ଭ କରିଥିଲା। କିନ୍ତୁ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଭିଷେକ ଶର୍ମା ୩ଟି ବଲ୍‌ ସାମ୍ନା କରି ଖାତା ଖୋଲି ପାରି ନଥିଲେ। ଦଳର ଦ୍ବିତୀୟ ୱିକେଟ ଭାବେ ରାହୁଲ ତ୍ରିପାଠୀ ମଧ୍ୟ ଶୂନ୍ୟ ରନ୍‌ରେ ଆଉଟ୍‌ ହୋଇଥିଲେ। ଅର୍ଦ୍ଧଶତକ ପୂର୍ବରୁ ଅଧା ଖେଳାଳି ଆଉଟ୍‌ ହୋଇଯାଇଥିଲେ। ଖେଳାଳିମାନେ ପଡ଼ିଆରେ ଅଧିକ ସମୟ ରହିପାରି ନଥିବାରୁ ଲକ୍ଷ୍ୟ ପୂରା ଅସମ୍ଭବ ହୋଇଥିଲା।
ହାଇଦ୍ରାବାଦ୍‌ ପାଇଁ ଆଦିଲ ରସିଦ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୨ ରନ୍‌ (ଅପରାଜିତ) କରିଥିଲେ। ମୟଙ୍କ ଅଗ୍ରୱାଲ ୨୭, ଅବଦୁଲ ସାମନ୍ଦ ୧୬, ହେରି ବୁକ୍‌ ୧୩, ଗ୍ଲେନ ଫିଲିପ୍‌ସ ୮, ଭୁବନେଶ୍ବର କୁମାର ୬, ଉମ୍ରାନ ମଲ୍ଲିକ ୧୯ ରନ୍‌ କରିଥିଲେ। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍‌ ଖର୍ଚ୍ଚ କରି ୪ଟି ୱିକେଟ୍‌ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍‌ ନେଇଥିଲା ବେଳେ ଜସନ ହୋଲଡର ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।
ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରାଜସ୍ଥାନ ଟିମ୍‌ ବ୍ୟାଟିଂ କରିଥିଲା। ଯଶସ୍ବୀ ଜୟସ୍ବାଲ, ଜୋସ୍‌ ବଟଲର ଓ ସଂଜୁ ସାମସନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୫ ୱିକେଟ୍‌ ହରାଇ ୨୦୩ ରନ୍‌ କରିଥିଲା।
ଯଶସ୍ବୀ ଓ ଜୋସ୍‌ ବଟଲର ରାଜସ୍ଥାନର ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୮୫ ରନ୍‌ ଯୋଡ଼ିଥିଲେ। ଯଶସ୍ବୀ ୩୭ଟି ବଲ୍‌ ଖେଳି ୯ଟି‌ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୫୪ ରନ୍‌ କରିଥିଲେ। ବଟଲର ୨୨ଟି ବଲ୍‌ ଖେଳି ୭ଟି‌ ଚୌକା ଓ ୩ଟି ଛକା ବଳରେ ୫୪ ରନ୍‌ ଯୋଡ଼ିଥିଲେ। ଅଧିନାୟକ ସଂଜୁ ସାମସନଙ୍କ ବ୍ୟାଟରୁ ୫୫ ରନ୍‌ ଅମଳ ହୋଇଥିଲା। ସେ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଦେବଦୂତ ପଡ଼ିକଲ ୨, ରିଆନ ପରାଗ ୭, ସିମରନ ହେଟମେୟର ୨୨ (ଅପରାଜିତ) ଓ ରବିଚନ୍ଦ୍ରନ ଅଶ୍ବିନ ୧ ରନ୍‌ କରିଥିଲେ।

nis-ad
Leave A Reply

Your email address will not be published.