ଯୁବକର ଆକ୍ରମଣରେ ବୃଦ୍ଧାଙ୍କ ସମେତ ୩ ଗୁରୁତର

ମୟୂରଭଞ୍ଜ/ଚିତ୍ରଡ଼ା: ଜନୈକ ଯୁବକର ଅତର୍କିତ ଆକ୍ରମଣରେ ତିନିଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୁରୁତର ତିନିଜଣଙ୍କ ମଧ୍ୟରୁ ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ଆଜି ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ଯୁବକ ଉକ୍ତ ଗ୍ରାମର ଭାଦ ଟୁଡୁଙ୍କ ପୁଅ ଦୁର୍ଗା ଚରଣ ଟୁଡୁ (୩୮)କୁ ପୁଲିସ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

ସୂଚନା ଅନୁସାରେ ଉକ୍ତ ଗ୍ରାମର କାଳି ଚରଣ ଟୁଡୁଙ୍କ ସ୍ତ୍ରୀ କୁନି ଟୁଡୁ (୪୨), ବିପିନ ଟୁଡୁ ଙ୍କ ପୁଅ କାଳି ଚରଣ ଟୁଡୁ (୪୭) ଏବଂ ସୁନ୍ଦର ଟୁଡୁଙ୍କ ସ୍ତ୍ରୀ ଗୌରୀ ଟୁଡୁ (୭୦) ଘରେ ବସିଥିବା ସମୟରେ ଅଭିଯୁକ୍ତ ଦୁର୍ଗା ହଠାତ ଅତର୍କିତ ଭାବେ ଏକ ବାର୍ଶୀ (କାଠ କାଟିବା)ରେ ତିନିଜଣଙ୍କ ମୁଣ୍ଡକୁ ପ୍ରହାର କରି ଚାଲିଥିଲା, ଯାହା ଫଳରେ କୁନି, କାଳୀଚରଣ ଏବଂ ଗୌରୀଙ୍କ ମୁଣ୍ଡ ଫାଟିବା ସହିତ ପ୍ରଚୁର ରକ୍ତଶ୍ରାବ ହେବାରୁ ସମସ୍ତେ ଗୁରୁତର ଆହତ ହେବା ସହିତ ଚେତାଶୂନ୍ୟ ହୋଇ ପଡ଼ିଥିଲେ।ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଗୁରୁତର ତିନିଜଣଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ନିକଟସ୍ଥ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଅଟୋ ଯୋଗେ ନେଇ ଯାଇଥିଲେ। ତେବେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବା ଏବଂ ଗୌରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସମସ୍ତଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ, ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସରେନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରି ଅଟକ ରଖି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.