ଖାକୀରେ ଲାଗିଲା କଳଙ୍କ..! : ସନ୍ଦେହ ଜନକ ଅବସ୍ଥାରେ ଗଛରୁ ମିଳିଲା ଅଭିଯୋଗକାରୀଙ୍କ ଝୁଲନ୍ତା ଶବ…

ମାଲକାନଗିରି //ବାଲିମେଳା: ମିଥ୍ୟା ମକୋଦ୍ଦମା , ହାଜତ ମୃତ୍ୟୁ , ଅତିରିକ୍ତ କାର୍ଯ୍ୟାନୁଷ୍ଠାନ , ହତ୍ୟା ପରେ ମିଛ ଏନ୍କାଉଣ୍ଟର ଦର୍ଶାଇବା ଭଳି ଅନେକ ମାନବାଧିକାର ଉଲ୍ଲଂଘନ ଘଟଣା ଆଇନ୍ ରକ୍ଷକ ମାନଙ୍କ ବିରୋଧରେ ଅନେକ ସମୟରେ ଦେଖିବାକୁ ମିଳୁଥିବା ସ୍ଥଳେ ନିକଟ ଅତୀତର ଏକ ସଦ୍ୟତମ ଉଦାହରଣ ଏଠାରେ ଦୃଷ୍ଟି ଆକର୍ଷଣ ଯୋଗ୍ୟ l ସୂଚନା ମୁତାବକ ଗତ ୨୭ ମାର୍ଚ୍ଚ ୨୦୨୩ରେ ମିଥ୍ୟା ମକୋଦ୍ଦମାରେ ଦୀର୍ଘ ୧୫ ବର୍ଷ ବିଚାରାଧୀନ ବନ୍ଦୀ ଅବସ୍ଥାରେ କାଳାତିପାତ କରି ଆସୁଥିବା ଦୁଇ ଜଣ ବ୍ୟକ୍ତି ନୟାଗଡ଼ ଜିଲ୍ଲା କାରାଗାରରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସେମାନେ ହେଲେ ରାୟଗଡ଼ା ଜିଲ୍ଲାର ପ୍ରତାପ କିମ୍ବିକା ଏବଂ ଜଗତସିଂହପୁର ଜିଲ୍ଲାର ମଞ୍ଜୁଲତା ମୁଦୁଲି ଯେଉଁ ଦୁହିଁଙ୍କ ଜୀବନ ଓ ଯୌବନର ଏକ ଲମ୍ବା ଅବଧି ନ୍ୟାୟିକ ପ୍ରକ୍ରିୟାର ଅଡୁଆ ଖିଅ ଭିତରେ ଛନ୍ଦି ହୋଇ ବିତିଗଲା ଏବଂ ଶେଷରେ ସେମାନେ ରାଷ୍ଟ୍ରଜନିତ ଷଡ଼ଯନ୍ତ୍ରରୁ ମୁକୁଳି ପାରିଲେ । ଗତକାଲି ଜନ ସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ ପ୍ରଶାସନ ସାମ୍ପ୍ରତିକ ସମୟରେ ‘ମୋ ସରକାର’ ‘୫T’ ରେ ପହଞ୍ଚିଯାଇଛି ସତ କିନ୍ତୁ ପୋଲିସ୍ ର ଅମାନବୀୟ ଅତ୍ୟାଚାର , ଅସଦ ବ୍ୟବହାର ଏବଂ ଗାଳି ଗୁଲଜ କରି ଖରାପ୍ ବ୍ୟବହାର ପ୍ରଦର୍ଶନ କରିବାରେ କୌଣସି ପରିବର୍ତ୍ତନ ଆସିନାହିଁ । ଇତିମଧ୍ୟରେ ସରକାରଙ୍କ ଆନୁଗତ୍ୟତା, ପୁଞ୍ଜିପତିଙ୍କ ହାତବାରିଶି, ନେତାମନ୍ତ୍ରୀଙ୍କ ଗୋଲାମଗିରି ଜରିଆରେ ଆଇନ୍ ରକ୍ଷାର ଦ୍ୱାହି ଦେଇ ନିରୀହ ଦଳିତ , ଆଦିବାସୀ , ନାରୀ , କୃଷକ ଓ ଶ୍ରମିକ ମାନଙ୍କ ଶୋଷଣରେ ପ୍ରତ୍ୟେକ୍ଷ ଅବା ପରୋକ୍ଷ ଭାବରେ ପୋଲିସ୍ ବିଭାଗର ସଂଶ୍ଲିଷ୍ଟତା ଭଳି ଏକ ସଙ୍ଗୀନ ମାମଲା ବର୍ତ୍ତମାନ ସମୟରେ ସାମ୍ନାକୁ ଆସୁଛି । ଯାହାକି ମାଲକାନଗିରି ସଦର ସମେତ ସ୍ଥାନୀୟ ବାଲିମେଳା ଅଞ୍ଚଳରେ ବିଗତ ଦିନରୁ ଖାକି ଉପରେ ରହିଥିବା ଜନସାଧାରଣଙ୍କ ଭରଷାକୁ ତୁଟାଇଦେଇଛି ।
ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ ଯବାଗଡ ନିକଟସ୍ଥ ରାଙ୍ଗାମଗୁଡା ନାମକ ଏକ ଆଦିବାସୀ ବହୁଳ ଅଞ୍ଚଳ ଯେଉଁଠାରେ ବସବାସ କରୁଥିବା ଅଧିବାସୀ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ପରିବାର କେବଳ କୃଷି ଉପରେ ନିର୍ଭରଶୀଳ । ତେବେ ଉକ୍ତ ଅଂଚଳରେ ଧାନ ଓ ମାଣ୍ଡିଆ ଭଳି ଶସ୍ୟ ବେଶ୍ ଭଲ ଉତ୍ପାଦନ ହେଉଥିବା ସ୍ଥଳେ ସରକାର ମଣ୍ଡି ବ୍ୟବସ୍ଥା ଭିତରେ ଉକ୍ତ ଶସ୍ୟ ଗୁଡ଼ିକ ନିୟନ୍ତ୍ରିତ ଭାବେ ନିଅନ୍ତି। ଏଣୁ ଚାଷୀ ମାନଙ୍କ ନିକଟରୁ ଅବଶିଷ୍ଟ ଖାଦ୍ୟ ଶସ୍ୟ ଏକତ୍ରିତ କରି ଅନ୍ୟାନ୍ୟ ନିକଟବର୍ତ୍ତୀ ବଜାର କିମ୍ୱା ମିଲର ସମେତ ବ୍ୟବସାୟୀଙ୍କୁ ବିକ୍ରି କରି ମଧ୍ୟସ୍ଥତା ସାଜି ଦାୟିତ୍ଵ ବହନ କରୁଥିବା ରାଙ୍ଗାମଗୁଡା ଗ୍ରାମର ୩୭ ବର୍ଷୀୟ ଯୁବକ ଜଗନ୍ନାଥ ବନ୍ଦାମ୍ ପରିବାରରେ ବୟସର ଅପରାହ୍ନରେ ପହଞ୍ଚିଥିବା ଜଗନ୍ନାଥଙ୍କ ବୁଢ଼ା ବାପା ଓ ୪ଟି ନାବାଳକ ପୁଅ ଝିଅଙ୍କ ସହ ୩୫ ବର୍ଷୀୟା ପତ୍ନୀ ଲକ୍ଷ୍ମୀ ବନ୍ଦାମ ଙ୍କୁ ମିଶାଇ ୭ ପ୍ରାଣୀର କୁଟୁମ୍ବ ଖୁସି ରେ ଚଳି ଆସୁଥିଲା ତା ପରିବାର କୁ ନେଇ । କିନ୍ତୁ ଗତ ୨୧ ମାର୍ଚ୍ଚ ୨୦୨୩ ମଙ୍ଗଳବାର ଦିନ ପ୍ରାୟ ସକାଳ ୬.୦୦ ରୁ ଘରେ ଝାଡ଼ା ଯିବାକୁ କହି ବାହାରିଥିବା ଜଗନ୍ନାଥଙ୍କ ମୃତ ଦେହ ତାଙ୍କ ବାଦାମ୍ ବାଡ଼ ନିକଟରେ ଥିବା ଏକ ବଡ଼ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ପରିବାର ଲୋକ ଏବଂ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଖବର ପାଇ ବାଲିମେଳା ଥାନାରୁ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ ଏବଂ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । ହଠାତ୍ କ’ଣ ସବୁ ଘଟିଗଲା ! କେଉଁ ପରିସ୍ଥିତିରେ ଜଗନ୍ନାଥଙ୍କ ମୃତ୍ୟୁ ହେଲା ! ପ୍ରକୃତରେ ଜଗନ୍ନାଥଙ୍କ ମୃତ୍ୟୁ , ଆତ୍ମହତ୍ୟା ନା ସୁନିୟୋଜିତ ହତ୍ୟା ତାହା ଯଦିଓ ବର୍ତ୍ତମାନ ମଧ୍ୟ ପୋଲିସ୍ ର ତଦନ୍ତ ଆଢ଼ୁଆଳରେ କିନ୍ତୁ ପରିବାର ବର୍ଗ ଓ ବିଶେଷ କରି ମୃତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ମୁତାବକ ଗତ ୨୦ ମାର୍ଚ୍ଚ ୨୦୨୩ ସୋମବାର ଦିନ, ପୂର୍ବ ବ୍ୟବସାୟ ଜନିତ ଅର୍ଥ ରାଶି ଦେବା ପାଇଁ କୋରୁକୋଣ୍ଡାର ଜଣେ ଜନୈକ ବ୍ୟବସାୟୀ , ଜଗନ୍ନାଥ ବନ୍ଦାମ୍ ଙ୍କୁ ଡ଼ାକି ଥିଲେ । ଯେଉଁ କାରଣରୁ ଜଗନ୍ନାଥ କୋରୁକୋଣ୍ଡା ଯାଇଥିଲେ ଏବଂ ତାଙ୍କ ଠାରୁ ୩,୯୦,୦୦୦/- ଟଙ୍କା ଉକ୍ତ ବ୍ୟବସାୟୀଙ୍କ ଠାରୁ କ୍ୟାସ ଆକାରରେ ଗ୍ରହଣ କରି ଅପରାହ୍ନ ପ୍ରାୟ ୫.୩୦ ବେଳକୁ କୋରୁକୋଣ୍ଡାରୁ ରାଙ୍ଗାମଗୁଡ଼ା ଫେରୁଥିଲେ । ଠିକ୍ ସେହି ସମୟରେ ହଠାତ୍ ୪ଜଣ ଦୁବୁର୍ତ୍ତ (ସାମ୍ନା ପାଖରୁ ୨ଜଣ ଓ ପଛ ପାଖରୁ ୨ଜଣ) ତଲୱାର ଦେଖାଇ ତାଙ୍କୁ ଟଙ୍କା ମାଗିଥିଲେ ଏବଂ ଟଙ୍କା ନଦେଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଫଳତଃ ନିରୁପାୟ ହୋଇ ଜୀବନ ବଞ୍ଚାଇ ଉକ୍ତ ଟଙ୍କା ବ୍ୟାଗ୍ କୁ ଡ଼କାୟତ ମାନଙ୍କୁ ଦେଇ ସନ୍ଧ୍ୟା ୬.୩୦ ସମୟରେ ବ୍ୟସ୍ତ ବିବ୍ରତ ଭିତରେ ଘରକୁ ଫେରି କାନ୍ଦି କାନ୍ଦି ସ୍ତ୍ରୀ ଙ୍କୁ ସବୁ କଥା କହିଥିଲେ । ଠିକ୍ ଏହି ସମୟରେ ଜନୈକ କିଛି ବନ୍ଧୁଙ୍କ ମାନସିକ ସମର୍ଥନକୁ ପାଥେୟ କରି ଜଗନ୍ନାଥ ସମ୍ପୂର୍ଣ୍ଣ ଲୁଟ୍ ସମ୍ପର୍କରେ ନିକଟସ୍ଥ ବାଲିମେଳା ଥାନାର ଦ୍ଵାରସ୍ତ ହୋଇ ପୋଲିସ ର ନଜରକୁ ଆଣିବା ନିମନ୍ତେ ସ୍ଥିର କଲେ । ଘରୁ ବାହାରି ଗାଁ ସରପଞ୍ଚ, ସମିତି ସଭ୍ୟ , ୱାର୍ଡ଼ ମେମ୍ବର ଙ୍କ ସହ ଜଗନ୍ନାଥଙ୍କୁ ମିଶାଇ ପ୍ରାୟ ୧୦ ଜଣ ଯୁବକ ଆସି ଭାରପ୍ରାପ୍ତ ଥାନା ଅଧିକାରୀ, ବାଲିମେଳାଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଜଗନ୍ନାଥଙ୍କ ସହ ଘଟି ଥିବା ସମ୍ପୂର୍ଣ୍ଣ ଘଟଣାର ବିବରଣୀ ସମ୍ପର୍କରେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜହ୍ନ କୁଜୁରୁଙ୍କ ସହ ଆଲୋଚନା ପରେ ତତକ୍ଷଣାତ୍ ପୋଲିସ୍ ଭ୍ୟାନ୍ ଦ୍ଵାରା ଡ଼କାୟତି ହୋଇଥିବା ସ୍ଥାନକୁ ଜଗନ୍ନାଥ ପୋଲିସ କୁ ଦେଖାଇବାକୁ ନେଇଥିଲେ ଏବଂ ଅଭିଯୋଗ ମୁତାବକ ୩,୯୦,୦୦୦/- ଟଙ୍କା ଦେଇଥିବା କୋରକୁଣ୍ଡା ର ବ୍ୟବସାୟୀଙ୍କ ନିକଟରେ ଅଭିଯୋଗକାରୀ ଜଗନ୍ନାଥଙ୍କୁ ନେଇ ପୋଲିସ୍ ପହଞ୍ଚିଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବେ ଉକ୍ତ ବ୍ୟବସାୟୀ ଜଣକ ଜଗନ୍ନାଥଙ୍କୁ ଚିହ୍ନି ନଥିବା କହି ଦେଇଥିଲେ l ଯାହାକି ଏଠାରେ ହିଁ ସନ୍ଧେହ ଘନୀଭୂତ ହେବା କଥା କିନ୍ତୁ ପୋଲିସ ସେଠାରୁ ପୋଲିସ୍ ଭ୍ୟାନ ରେ ଅଭିଯୋଗକାରୀଙ୍କୁ ଆଣି ଥାନାରେ ମିଛ କହୁଥିବା କଥା ଗାଁର ଅନ୍ୟ ଲୋକ ମାନଙ୍କୁ କହିଥିଲେ ଏହା ଛଡ଼ା ଗ୍ରାମବାସୀ ମାନଙ୍କ ସାମ୍ନାରେ ଜଗନ୍ନାଥଙ୍କ ନିକଟରୁ କେଉଁ ସମ୍ବଳରୁ ୩,୯୦,୦୦୦/- ଟଙ୍କା ଆସିଲା ବୋଲି ପଚାରି ଥିଲା ଯାହାକି ପୋଲିସ ପଚାରିଥିବା କଥା ଉପସ୍ଥିତ ଗ୍ରାମବାସୀ ଗଣମାଧ୍ୟମକୁ ଜଣାଇଛନ୍ତି । ତଥାପି ଘଟଣାକୁ ନେଇ ଉଭୟ ପକ୍ଷ ତା’ ପର ଦିନ ଅର୍ଥାତ୍ ମଙ୍ଗଳବାର ଦିନ ୧୦.୦୦ ରେ ଥାନାରେ ଦେଖା କରିବାକୁ ଥାନା ଭାରପ୍ରାପ୍ତ ଅଧିକାରୀ କହିଥିଲେ l କିନ୍ତୁ ରାଙ୍ଗାମଗୁଡ଼ା ଅଞ୍ଚଳର ବୁଦ୍ଧିଜୀବୀ ସମସ୍ତେ ସେଦିନ ବିଳମ୍ବିତ ରାତି ପ୍ରାୟ ୧୨.୩୦ ପରେ ଘରକୁ ଫେରି ଯାଇଥିଲେ । ଘରେ ପହଞ୍ଚିବା ପରେ ଜଗନ୍ନାଥ ନିଜର ଫୁଲ୍ ପ୍ୟାଣ୍ଟ୍ କାଢ଼ିବା ସମୟରେ ଯନ୍ତ୍ରଣା ଅନୁଭବ କରୁ ଥିଲେ ଏବଂ ତାଙ୍କର ଜଙ୍ଘରେ ପୋଲିସ୍ ମାରିଥିବା କଥା ସ୍ତ୍ରୀଙ୍କୁ କହିଥିଲେ । ତେବେ ମାନସିକ ଦୁଃସ୍ଥ ଜଗନ୍ନାଥଙ୍କ ପାଖେ ପାଖେ ରହି ତାଙ୍କ ସ୍ତ୍ରୀ ବାରମ୍ବାର ଏକଥା ବୁଝେଇବାରେ ଉଦ୍ୟମ କରିଥିଲେ ଯେ,”କୌଣସି କାରଣରୁ ଟଙ୍କା ଯଦି ଡ଼କାୟତି ହୋଇଯାଇଛି କିଛି ସମସ୍ୟା ନାହିଁ , ଋଣ ବାଡ଼ି କରି ସୁଦ୍ଧା ସମସ୍ତ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇଦେବା କିଛି ବ୍ୟସ୍ତ ହୁଅନି ।” ସେ ରାତି ପହିବାର ପ୍ରାୟ ଦ୍ଵିତୀୟ ପ୍ରହର ସମୟରେ ଜଗନ୍ନାଥ ଝାଡ଼ା ଯାଉଥିବା କହି ଗାମୁଛା ନେଇ ବାଦାମ ବାଡ଼ ଆଡ଼କୁ ଯାଇଥିଲେ ଏବଂ ସେଠାରୁ ସେ ଆଉ ଫେରି ନଥିଲେ ସେହି ବାଦାମ ବାଡ଼ରେ ଜୁଲନ୍ତା ମୃତ ଦେଖିବାକୁ ମିଳିଥିଲା ଯାହାକୁ ନେଇ ସନ୍ଦେହ ଘନୀଭୂତ ହେବା ସ୍ୱାଭାବିକ । ବର୍ତ୍ତମାନ୍ ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀ ଙ୍କ ମନରେ ସମ୍ଭାବ୍ୟ ଅନେକ

ପ୍ରଶ୍ନବାଚୀ ସୃଷ୍ଟି ହେଉଛି , ଜଗନ୍ନାଥଙ୍କ ମୃତ୍ୟୁର ପ୍ରକୃତ କାରଣ ଆତ୍ମହତ୍ୟା ନା ହତ୍ୟା..? ଜଗନ୍ନାଥଙ୍କ ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ବର୍ତ୍ତମାନ କେଉଁଠାରେ..? ଶବ ବ୍ୟବଚ୍ଛେଦ ସମୟରେ ଖୋଦ୍ ଜଗନ୍ନାଥ ପୂର୍ବରୁ ପ୍ରକାଶ କରିଥିବା ମାଡ଼ର ଦାଗକୁ ଜବତ କରା ଯାଇଛି କି..? ଉକ୍ତ ବ୍ୟବସାୟୀ ପ୍ରକୃତରେ ଜଗନ୍ନାଥଙ୍କୁ ଫୋନ୍ ଯୋଗେ ଟଙ୍କା ନେବାକୁ ପ୍ରକୃତରେ କୋରୁକୋଣ୍ଡା ଡ଼ାକିଥିଲେ ନା ନାହିଁ…? ମୃତ ବ୍ୟକ୍ତି ଙ୍କ ଫୋନ୍ ପୋଲିସ ଜବତ କରି ଯାଞ୍ଚ୍ କରୁଛି କି? ଯାହାଦ୍ୱାରା ପ୍ରକୃତ ତଥ୍ୟ ପଦାକୁ ଆସି ପାରନ୍ତା ? ଏହାଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲିସ୍ ଅଭିଯୋଗକାରୀ ସତ୍ୟ ଅବା ମିଥ୍ୟାରୋପ କରିଥିବା ସ୍ଥଳେ ଆଇନ୍ ର ପ୍ରକ୍ରିୟା ଅନୁଯାୟୀ କୌଣସି ପଦକ୍ଷେପ ନେବା ପୂର୍ବରୁ ଜଗନ୍ନାଥ ମିଛ କହୁଛନ୍ତି ନା ସତ ତାହା ଗୋଟିଏ ମାତ୍ର ତଦନ୍ତରୁ ସ୍ପଷ୍ଟ ଜାଣିଗଲେ କିପରି ? ଅଭିଯୋଗ କାରିକୁ ମାନସିକ ଓ ଶାରୀରିକ ଆଘାତ ଦେବାର କାରଣ କଣ.? କେଉଁ ଆଧାର ରେ ପୋଲିସ ଅଭିଯୋଗ କାରୀ ଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଲା l ପୁଞ୍ଜିପତି ମାନଙ୍କ ସହ ପୋଲିସ ର ଘନିଷ୍ଠତା ଅତି ସହଜରେ ଅଭିଯୋଗକାରୀକୁ ମିଥ୍ୟାବାଦୀ ବୋଲି ପ୍ରମାଣ କରାଇବା ଯଥେଷ୍ଟ ଥିଲା..? ଯଦିବା ଜଗନ୍ନାଥଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ହୋଇଥାଏ ତେବେ ସେଥି ପାଇଁ କେଉଁ ସବୁ କାରଣ ଦାୟୀ ହୋଇପାରେ ; ଗରିବ କୃଷକ ମାନଙ୍କ ଋଣ ବୋଝ..? ନା ଥାନା ପରିସରରେ ହିଁ ଗ୍ରାମବାସୀ ମାନଙ୍କ ସାମ୍ନାରେ ହୋଇଥିବା ନିନ୍ଦା ଅପବାଦ ଓ ଶାରୀରିକ ନିର୍ଯ୍ୟାତନା ? ନା ୩,୯୦,୦୦୦/- ଟଙ୍କାର ଆର୍ଥିକ ଲୁଟ୍ ଜନିତ ଚିନ୍ତା.? ଯାହାକି ପୋଲିସ ର ମାତ୍ରା ଧିକ କାର୍ଯ୍ୟ ଦକ୍ଷତା କୁ ନେଇ ସନ୍ଦେହ ବଢୁଛି ଗ୍ରାମବାସି ଓ ପରିବାର ଲୋକଙ୍କ ମନରେ l ଯଦି ଏହା ନିରପେକ୍ଷ ତଦନ୍ତ ହୁଏ ଆଗାମୀ ଦିନର ଏହି ମୃତ୍ୟୁ ରହସ୍ୟ ର ପରଦା ଉଠିବ । ତେବେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ୍ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନଥିବା ସ୍ଥଳେ ଏଭଳି ଏକ ଦୁର୍ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜିଲ୍ଲାର ‘ଭାରତୀୟ ଜାତୀୟ କଂଗ୍ରେସ’ ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା ଘଟଣା ସ୍ଥଳରେ ପହଞ୍ଚି ଶୋକ ସନ୍ତପ୍ତ ପାରିବାରକୁ ସମବେଦନା ଜଣାଇବା ସହ ସମ୍ପୂର୍ଣ୍ଣ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଜିଲ୍ଲାପାଳ ଏବଂ ଏସ୍.ପି. ଙ୍କ ସହ ବ୍ୟକ୍ତିଗତ ଭାବେ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି ମୃତକଙ୍କ ପରିବାରକୁ ଆଶ୍ଵାସନା ଦେଇଛନ୍ତି । ଏବଂ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ନିନ୍ଦା କରିବା ସହିତ ପୋଲିସ କୁ ସମାଲୋଚନା କରିବାକୁ ସେ ପଛେଇ ନାହାନ୍ତି…!

nis-ad
Leave A Reply

Your email address will not be published.