ରାଜନୈତିକ ଶତ୍ରୁତା କୁ ନେଇ ଶିକୁଳାରେ ଫୁଟିଲା ଗୁଳି…

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିବା ସହ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗ୍ରାମବାସୀ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ପରିସ୍ଥିତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ଏହାର ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଆସି ଦୁଇଟି ଫୁଟିଥିବା ଗୁଳିର ଖୋଖାକୁ ଜବତ କରିବା ସହ ତଦନ୍ତ କରିବାରେ ଲାଗିଛନ୍ତି। ଘଟଣାରୁ ଜାଣିବାକୁ ମିଳିଛି ଯେ, ଶିକୁଳା ବ୍ରଜନଗର ସାହି ନିରଞ୍ଜନ ଓରଫ କୋକି ନିଜଘରୁ ଗ୍ରାମ ମଧ୍ୟକୁ ଚାଲି ଚାଲି ଆସୁଥିବା ବେଳେ କିଛି ଯୁବକ ଯୋଜନା ବଦ୍ଧ ଭାବେ ତାଙ୍କୁ ହତ୍ୟା କରିବା ଲାଗି ଲିଆଖାଇ ଛକ ନିକଟରେ ଛକି ରହିଥଲେ। କୋକିଙ୍କୁ ଦେଖି ସେମାନେ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୀବନ ରକ୍ଷା ଲାଗି ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡ଼ି ଯାଇ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲେ। ଦୌଡ଼ି ଯିବା ସମୟରେ ଅଭିଯୁକ୍ତମାନେ କୋକିଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ପୂର୍ବ ରାଜନୈତିକ ଶତ୍ରୁତା ବୋଲି ଗ୍ରାମରେ କିଛି ବ୍ୟକ୍ତି କହୁଥିବା ବେଳେ ଦୀର୍ଘ ପ୍ରାୟ ଦୁଇ ବର୍ଷ ହେଲା ଗ୍ରାମରେ କିଛି ସ୍ଥାନରେ ଜୁଆ ଖେଳଚାଲିଛି। ଏହି ଖେଳକୁ କେନ୍ଦ୍ର କରି ଘଟଣା ଘଟିଥିବା ଆଉ କିଛି ଲୋକ କହିଛନ୍ତି। ମାତ୍ର ପୋଲିସର ତଦନ୍ତ ପରେ ହିଁ ଘଟଣା ପ୍ରକୃତ ତଥ୍ୟ ପଦାକୁ ଆସିବ ।

nis-ad
Leave A Reply

Your email address will not be published.