ଏରିକ୍‌ ଗାର୍ସେଟିଙ୍କୁ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଶପଥପାଠ କରାଇଲେ ଉପରାଷ୍ଟ୍ରପତି କମଳା ହାରିସ୍‌…

ୱାସିଂଟନ୍‌: ଶୁକ୍ରବାର ଦିନ ଉପରାଷ୍ଟ୍ରପତି କମଳା ହାରିସ୍‌ ଲସ୍‌ ଏଞ୍ଜେଲ୍‌ସ୍‌ର ପୂର୍ବତନ ମେୟର୍‌ ଏରିକ୍‌ ଗାର୍ସେଟିଙ୍କୁ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଔପଚାରିକ ଶପଥପାଠ କରାଇଛନ୍ତି।

ଦୁଇ ବର୍ଷ ହେବ ଖାଲି ପଡ଼ିଥିବା ଏହି ଗୁରୁତ୍ବପୂର୍ଣ୍ଣ କୂଟନୈତିକ ପଦବୀ ପୂରଣ କରିବା ନିମନ୍ତେ ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ସିନେଟ୍‌ ଗାର୍ସେଟିଙ୍କ ପ୍ରାର୍ଥୀତ୍ବକୁ ଅନୁମ‌ୋଦନ କରିଥିଲା।

ଶପଥ ଗ୍ରହଣ ନିମନ୍ତେ ଆୟୋଜିତ ଉତ୍ସବରେ ଗାର୍ସେଟିଙ୍କ ଝିଆ ମାୟା ଇହୁଦୀ ଭାଷାର ବାଇବେଲ୍‌ ଧରିଥିଲେ, ଏବଂ ଉପରାଷ୍ଟ୍ରପତି କମଳା ହାରସି୍‌  ଅଧ୍ୟକ୍ଷତା କରିଥିଲେ। ଏହାଛଡ଼ା, ପତ୍ନୀ ଆମି ୱେକ୍‌ଲାଣ୍ଡ୍‌, ପିତା ଗିଲ୍‌ ଗାର୍ସେଟି, ମାତା ସୁକି ଗାର୍ସେଟ୍‌ ଏବଂ ଶାଶୂ ଡି’ ୱେକ୍‌ଲାଣ୍ଡ୍‌ଙ୍କ ସମତେ ଗାର୍ସେଟିଙ୍କ ପରିବାରର ଅନ୍ୟ କେତେକ ସଦସ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।

ଭାରତ ପ୍ରତି ଆମେରିକାର ରାଷ୍ଟ୍ରଦୂତ ଭାବେ ୨୦୨୧ ଜୁଲାଇ ମାସରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କଦ୍ବାରା ମନୋନୀତ ହୋଇଥିବା ଏରିକ୍‌ ଏମ୍‌. ଗାର୍ସେଟିଙ୍କ ପ୍ରାର୍ଥୀପତ୍ର ଆମେରିକା କଂଗ୍ରେସରେ ପଡ଼ିରହିଥିଲା। କାରଣ, ସିନେଟ୍‌ରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ବା ଭୋଟ୍‌ ମିଳି ନ ଥିଲା। ମେୟର୍‌ ଅଫିସ୍‌ରେ ଜଣେ ପଦସ୍ଥ ମହିଳା କର୍ମଚାରୀଙ୍କ ପ୍ରତି କରାଯାଇଥିବା ଅସଦାଚରଣ ଅଭିଯୋଗକୁ ସେ ଅଣଦେଖା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଏରିକ୍‌ ବାରମ୍ବାର କହିଥିଲେ କି, ଏଭଳି କୌଣସି ଅଭିଯୋଗ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇ ନ ଥିଲା।

ଏଭଳି ଅଚଳାବସ୍ଥା ଯୋଗୁଁ ଗତ ଦୁଇବର୍ଷ ହେବ ଭାରତରେ ଆମେରିକାର ‌ କୌଣସି ରାଷ୍ଟ୍ରଦୂତ ନ ଥିଲେ। ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ, ବାଇଡେନ୍‌ ପ୍ରଶାସନ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଉପରାଷ୍ଟ୍ରଦୂତ ଏଲିଜାବେଥ୍‌ ଜୋନ୍‌ସ୍‌ଙ୍କୁ କାମଚଳା ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଥିଲା।

ପୁଣି ଚଳିତ ବର୍ଷ ଜାନୁଆରି ମାସରେ ରାଷ୍ଟ୍ରପତି ବାଇଡେନ୍‌ ଉକ୍ତ ପଦବୀ ପାଇଁ ୫୨ ବର୍ଷିୟ ଏରିକ୍‌ଙ୍କୁ ପୁନଃମନୋନୀତ କରିଥିଲେ। ଏହାପରେ, ରାଷ୍ଟ୍ରଦୂତ ପାଇଁ ସେ ଜଣେ ସୁଯୋଗ୍ୟ ପ୍ରାର୍ଥୀ ବୋଲି ସର୍ବସାଧାରଣରେ ହ୍ବାଇଟ୍‌ ହାଉସ୍‌ ଘୋଷଣା କରିବା ସହିତ କହିଥିଲା ଯେ, ସର୍ବସମ୍ମତକ୍ରମେ ‘ସିନେଟ୍‌ ଫରେନ୍‌ ରିଲେସନ୍ସ୍ କମିଟି’ ତାଙ୍କ ପ୍ରାର୍ଥୀପତ୍ରକୁ ଅନୁମୋଦନ କରିଛି।

nis-ad
Leave A Reply

Your email address will not be published.