ରାହୁଲ ଗାନ୍ଧିଙ୍କ ପଦ ଯିବା ପରେ ଆସିଲା ପ୍ରତିକ୍ରିୟା : ସ୍ତବ୍ଧ, କଳାଦିବସ ଓ ଗଣତନ୍ତ୍ରର ହତ୍ୟା…

ନୂଆଦିଲ୍ଲୀ : ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହେବାର ୨୪ ଘଣ୍ଟା ନପୁରୁଣୁ ଲୋକସଭା ସଦସ୍ୟ ପଦ ହରାଇଛନ୍ତି କଂଗ୍ରେସର ରାହୁଲ ଗାନ୍ଧି। ଏହାର ଅର୍ଥ ରାହୁଲ ଗାନ୍ଧି ଆଉ ସାଂସଦ ନୁହନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ତେବେ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀ ଦଳଗୁଡ଼ିକ ଏହାକୁ ଗୋଟିଏ ସ୍ୱରରରେ ନିନ୍ଦା କରିଛନ୍ତି। ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ସମସ୍ତେ ସ୍ତବ୍ଧ, କଳା ଦିବସ ଭାବେ ଇତିହାସରେ ଆଜିର ଦିନ ଲିପିବଦ୍ଧ ହୋଇ ରହିବ ଓ ଗଣତନ୍ତ୍ରର ହତ୍ୟା ହୋଇଛି ନିଜ ନିଜର ପ୍ରତିକ୍ରିୟାରେ ବିରୋଧୀ ଦଳଗୁଡ଼ିକ କହିଛନ୍ତି।
ସୁରତର ଗୋଟିଏ ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ କୋର୍ଟ ୩୦ ଦିନ ପାଇଁ ରାୟ ଉପରେ ରୋକ ଲଗାଇବା ସହ ତାଙ୍କୁ ଏହା ବିରୋଧରେ ଉପର କୋର୍ଟ ଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ରାହୁଲ ଉପର କୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଲୋକସଭା ସଚିବାଚଳୟ ତାଙ୍କ ସଦସ୍ୟ ପଦ ରଦ୍ଦ କରିଛି।
ଏହାକୁ ନେଇ ବିରୋଧୀ ଆଟାକିଂ ମୁଡକୁ ଚାଲି ଆସିଛି। ଅଧିକାଂଶ ବିରୋଧୀ ଦଳର ସଦସ୍ୟ ଏକାଠି ହୋଇ ଆଜି ସଂସଦରୁ ରାଷ୍ଟ୍ରପତି ଭବନ ଯାଏ ବିଶାଳ ଶୋଭାଯାତ୍ରା କରିଛନ୍ତି। ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଥିଲେ ହେଁ ପୁଲିସ୍‌ ସେମାନଙ୍କୁ ଅଟକାଇ ଦେଇଛି।
ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, “ମୁଁ ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ତବ୍ଧ। କୋର୍ଟ ରାୟର ୨୪ ଘଣ୍ଟା ଭିତରେ ଅତ୍ୟନ୍ତ କ୍ଷୀପ୍ର ଗତିରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମସ୍ତେ ଜାଣିଛନ୍ତି ଯେ ଆବେଦନ ପାଇଁ ପ୍ରକ୍ରିୟା ଚାଲିଛି। ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ହାତ ଝାଡ଼ି ଦେବା ରାଜନୀତି ଓ ଏହାର ପରିଣାମ ଆମ ଗଣତନ୍ତ୍ର ପାଇଁ ଭଲ ନୁହେଁ।” ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପିର ଏକଛତ୍ରବାଦ ଶାସନକୁ ନେଇ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, “ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରିବା ଆଉ ଗୋଟିଏ ଏକଛତ୍ରବାଦ ଶାସନର ଉଦାହରଣ। ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ସମାନ ପଦକ୍ଷେପ ବିଜେପି ନେଇଥିଲା ବୋଲି ଆଦୌ ଭୁଲିବା ଉଚିତ ନୁହେଁ। ସେମାନେ ପରିଣାମ ଭୋଗିଥିଲେ ଓ ଏବେ ମଧ୍ୟ ଭୋଗିବେ। ରାହୁଲ ଗାନ୍ଧି ହେଉଛନ୍ତି ଦେଶର ସ୍ୱର। ଏବେ ଏକଛତ୍ରବାଦ ଶାସନ ବିରୋଧରେ ତାଙ୍କ ସ୍ୱର ଆହୁରି ସୁଦୃଢ଼ ହେବ।”
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ କହୁଥିବା ନୂଆ ଭାରତ କଥା କହି ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତରେ ବିରୋଧୀମାନେ ବିଜେପିର ମୁଖ୍ୟ ଟାର୍ଗେଟ। ଅପରାଧିକ ମାମଲା ଥିବା ବିଜେପି ନେତାମାନଙ୍କୁ କ୍ୟାବିନେଟରେ ସାମିଲ କରାଯାଉଥିବା ବେଳେ ବିରୋଧୀ ନେତାଙ୍କୁ ସେମାନଙ୍କ ଭାଷଣ ପାଇଁ ଅଯୋଗ୍ୟ ଘୋଷଣା କରାଯାଉଛି।”
ଆପ ନେତା ତଥା ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, “କଂଗ୍ରେସ ସହ ଆମର ଅନେକ ପାର୍ଥକ୍ୟ ରହିଛି। ଯେତେବେଳେ କେନ୍ଦ୍ର ଆମ ଉପରେ ଆକ୍ରମଣ କରେ, କଂଗ୍ରେସ ନେତାମାନେ ତାଳି ମାରନ୍ତି। ଯେତେବେଳେ ଉପ ରାଜ୍ୟପାଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ ସେତେବେଳେ କଂଗ୍ରେସ ନେତା ଅଜୟ ମାକେନ ତାଳି ମାରୁଥିଲେ।
ଯଦି କେନ୍ଦ୍ର ସରକାର ଗଣତନ୍ତ୍ରରେ ବିରୋଧୀଙ୍କ ସ୍ୱର ଚାପିବାକୁ ଚେଷ୍ଟା କରିବେ, ତା’ହେଲେ କିଏ ଲୋକଙ୍କ ସମସ୍ୟା କଥା କହିବ? ସଂସଦରେ ବିରୋଧୀଙ୍କ ସ୍ୱରକୁ ଅନେକ ସମୟରେ ଚାପି ଦିଆଯାଉଛି। କିନ୍ତୁ ଏବେ ଛୋଟ ଛୋଟ ଘଟଣା ପାଇଁ ୧୨ରୁ ଅଧିକ ମାମଲା ହେଲାଣି। ଯଦି ଏମିତି ଚାଲିବ, ତା’ହେଲେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ବିନା ବିରୋଧୀରେ ନିର୍ବାଚନ ଲଢ଼ିବାକୁ ଦିଆଯାଉ। ଏହା ଏକଛତ୍ରବାଦ।”
ଏହା ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ। ସଂସଦୀୟ ଗଣତନ୍ତ୍ରକୁ ଏହାଠାରୁ ଆଉ ବଡ଼ ଝଟକା କିଛି ହୋଇ ନପାରେ ବୋଲି ଆରଜେଡି ସାଂସଦ ମନୋଜ ଝା କହିଛନ୍ତି। ଏମାନଙ୍କ ବ୍ୟତୀତ କଂଗ୍ରେସର ସବୁ ନେତାଙ୍କ ସମେତ ବାମପନ୍ଥୀ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ମଧ୍ୟ ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି।
କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଏହାର ଜବାବ ମଧ୍ୟ ଦଳ ଦେଇଛି। ବିଜେପି କୋର୍ଟଙ୍କ କାର୍ଯ୍ୟକୁ ଠିକ ବୋଲି କହିଛି। ଦଳ ପକ୍ଷରୁ କୁହାଯାଇଛି ଯେ ଦଣ୍ଡାଦେଶ ଗୋଟିଏ ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟପାଳିକାରୁ ଆସିଛି। ରାହୁଲ ଗାନ୍ଧି ନିଜର ଚୋର ମନ୍ତବ୍ୟ ଦ୍ୱାରା ପୂରା ଓବିସି ସଂପ୍ରଦାୟକୁ ଅପମାନିତ କରିଥିଲେ। ପୂର୍ବରୁ ମଧ୍ୟ ସେ ନିଜର ରାଜନୀତିକ ଫାଇଦା ହାସଲ କରିବା ପାଇଁ ସେନା ଠାରୁ ଆରମ୍ଭ କରି ଦେଶ ବିରୋଧୀ ବୟାନ ଦେଇଥିଲେ। ତେଣୁ ଏହାକୁ ନେଇ କଂଗ୍ରେସ ରାଜନୀତିକ ଖେଳ ନ ଖେଳୁ ବୋଲି ବିଜେପି କହିଛି।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱରେ ଆଜି ଅନେକ ବିରୋଧୀ ଦଳର ନେତା ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ଏଥିପାଇଁ ବିପୁଳି ପରିମାଣ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିରୋଧୀମାନେ ଯେମିତି ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ନ ପାରିବେ,ସେ ଦାୟିତ୍ୱ ସୁରକ୍ଷାକର୍ମୀଙ୍କୁ ଦିଆଯାଇଥିଲା।
ବିରୋଧୀ ଦଳର ନେତାମାନେ ହାତରେ ଗଣତନ୍ତ୍ର ବିପଦରେ ବୋଲି ବିରାଟ ବ୍ୟାନର ଧରି ଶୋଭାଯାତ୍ରାରେ ବାହାରିଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ ଅଟକାଇବା ସହ ଅନେକ ନେତାଙ୍କୁ ଥାନାକୁ ନେଇଛି। ଶୋଭାଯାତ୍ରା ପାଇଁ ବିରୋଧୀଙ୍କୁ ଅନୁମତି ମିଳି ନଥିଲା। ସେହିପରି ରାଷ୍ଟ୍ରପତି ମୁର୍ମୁ ମଧ୍ୟ ସେମାନଙ୍କୁ ଭେଟିବାକୁ ସମୟ ଦେଇ ନଥିଲେ। ତେଣୁ ପୁଲିସ୍‌ ଶୋଭାଯାତ୍ରା କରୁଥିବା ନେତାମାନଙ୍କୁ ଅଟକାଇଥିବା କହିଛି।

nis-ad
Leave A Reply

Your email address will not be published.