ଦିନିକିଆ ବିଶ୍ବକପ୍‌ ଅକ୍ଟୋବର ୫ରୁ: ନଭେମ୍ବର ୧୯ରେ ଫାଇନାଲ୍‌

୧୦ ଦଳ; ୪୬ ଦିନରେ ୪୮ ମ୍ୟାଚ୍‌, ୧୨ ଭେନ୍ୟୁ; ଅହମଦାବାଦରେ ଫା‌ଇନାଲ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ବକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ମଧ୍ୟ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ୧୨ ଭେନ୍ୟୁର କାଣ୍ଟଛାଣ୍ଟ ତାଲିକା ପ୍ରକାଶ କରିଛି। ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ନଭେମ୍ବର ୧୯ ତାରିଖରେ ଫାଇନାଲ୍‌ ଖେଳାଯିବ। ଏହି ବିଶ୍ବକପ୍‌ରେ ୧୦ ଦଳ ଭାଗ ନେଉଥିଲା ବେଳେ ୪୬ ଦିନ ଧରି ମୋଟ ୪୮ ମ୍ୟାଚ୍‌ ଖେଳାଯିବ। ମୋଟ ୪୮ ମଧ୍ୟରେ ୩ ନକ୍‌ଆଉଟ୍‌ ମ୍ୟାଚ୍‌ ସାମିଲ ରହିବ। ଅହମଦାବାଦ ବ୍ୟତୀତ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲ୍‌କାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଏବଂ ମୁମ୍ବାଇକୁ ଭେନ୍ୟୁ ତାଲିକାରେ ସାମିଲ କରାଯାଇଛି। ତେବେ କେଉଁ ଭେୁନ୍ୟରେ କେଉଁ ମ୍ୟାଚ୍‌ ଖେଳାଯିବ ଏବଂ ୱାର୍ମ ଅପ୍‌ ମ୍ୟାଚ୍‌ କେଉଁଠି ଖେଳାଯିବ ସେନେଇ ଆୟୋଜକ ବିସିସିଆଇ ସ୍ଥିର କରିନି। ଭାରତର ବିଭିନ୍ନ ପ୍ରାନ୍ତରେ ମୌସୁମୀ ଋତୁର ପ୍ରଭାବ ଯୋଗୁଁ ଭେନ୍ୟୁ ଚୂଡ଼ାନ୍ତ ନେଇ ବିଳମ୍ବ ଘଟିଥିବା ବିସିସିଆଇ କହିଛି।
ସାଧାରଣତଃ ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ହିଁ ଆଇସିସି ବିଶ୍ବକପ୍‌ ସୂଚୀ ଘୋ‌ଷଣା କରିଥାଏ। ହେଲେ ଏଥର ଭାରତ ସରକାରଙ୍କଠୁ ଆବଶ୍ୟକୀୟ ସବୁଜସଂକେତ ପାଇବାକୁ ବିସିସିଆଇକୁ ଅପେକ୍ଷା କରିବାକୁ ପଡ଼ିଛି। ସେଥିରେ ଆଇସିସିଠାରୁ ବିଶ୍ବକପ୍‌ ପାଇଁ ଟିକସ ଛାଡ଼ ଏବଂ ପାକିସ୍ତାନ ଦଳ ପାଇଁ ଭିସା ମଞ୍ଜୁର ଭଳି ପ୍ରସଙ୍ଗ ସରକାରଙ୍କ ଉପରେ ନିର୍ଭର କରୁଥିବାରୁ ବିସିସିଆଇ ଅପେକ୍ଷା କରିଛି। ତଥାପି ଦୁବାଇରେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଆଇସିସି ତ୍ରୟୋମାସିକ ବୈଠକରେ ଭାରତ ସରକାର ପାକିସ୍ତାନ ଦଳକୁ ଭିସା ମଞ୍ଜୁର କରିବେ ବୋଲି ବିସିସିଆଇ ନିର୍ଭର ପ୍ରତିଶୃତି ଦେଇସାରିଛି। ଦୁଇ ଦେଶ ମଧ୍ୟରେ ଖରାପ ସଂପର୍କ ପାଇଁ ପାକିସ୍ତାନ ୨୦୧୩ରୁ ଭାରତରେ କୌଣସି ଆଇସିସି ପ୍ରତିଯୋଗିତା ଖେଳିନାହିଁ। ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ବନ୍ଦ ରହିଛି। ତଥାପି ବିଶ୍ବକପ୍‌ ଏକ ଆଇସିସି ପ୍ରତିଯୋଗିତା ହୋଇଥିବାରୁ ପାକିସ୍ତାନ ଦଳକୁ ଭିସା ମଞ୍ଜୁର କରିବାକୁ ଭାରତ ସରକାର ରାଜି ହେବେ ବୋଲି ବିସିସିଆଇ କହିଛି।
ଏଠାରେ ସୂଚନାଯୋଗ୍ୟ, ଭାରତ ଏକାକୀ ଦିନିକିଆ ବିଶ୍ବକପ୍‌ ପ୍ରଥମ ଥର ଲାଗି ଆୟୋଜନ କରିବାକୁ ଯାଉଛି। ଅବଶ୍ୟ ଭାରତ ପୂର୍ବରୁ ଦୁଇ ଥର ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ କରିସାରିଛି। ୨୦୧୬ ଏବଂ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଭାରତ ଆୟୋଜନ କରିଥିଲା। କିନ୍ତୁ ଏଥର ଦିନିକିଆ ବିଶ୍ବକପ୍‌ ଆୟୋଜନ କରୁଥିବାରୁ ଦୁଇ ଥର ବିଶ୍ବ ବିଜେତା ଭାରତ (୧୯୮୩ ଓ ୨୦୧୧) ଘରୋଇ ମାଟିର ଫାଇଦା ଉଠାଇ ତୃତୀୟ ଥର ଚାମ୍ପିଅନ୍‌ ହେବାର ଲକ୍ଷ୍ୟ ରଖିଛି।

nis-ad
Leave A Reply

Your email address will not be published.