ରାହୁଲଙ୍କୁ ଏବେ ଉପର କୋର୍ଟ ଭରସା, ନଚେତ ୮ ବର୍ଷ ଯାଏ ଲଢ଼ିପାରିବେନି ନିର୍ବାଚନ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୨୦୧୯ ମସିହା ଅପରାଧିକ ମାନହାନୀ ମାମଲାରେ ଆଜି ଗୁଜରାଟର ଗୋଟିଏ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ତାଙ୍କୁ ଜାମିନ ମିଳିଛି ଓ ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲଙ୍କୁ ୩୦ ଦିନର ସମୟ ମିଳିଛି। କଂଗ୍ରେସ ମଧ୍ୟ ହାଇକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବ ବୋଲି କହିଛି।
କିନ୍ତୁ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡ ମିଳିଥିବାରୁ ଏବେ ତାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି ଉପର କୋର୍ଟ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦିଅନ୍ତି ନାହିଁ, ତା’ହେଲେ ରାହୁଲ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାରୁ ମଧ୍ୟ ବଞ୍ଚିତ ହେବେ।
ଲୋକ ପ୍ରତିନିଧି ଆଇନ ୧୯୫୧ର ସେକସନ ୮(୩) ର ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ ଦୋଷୀ ସାବ୍ୟସ୍ତ ହୁଅନ୍ତି ଓ ତାଙ୍କୁ ଅତି କମରେ ୨ ବର୍ଷ ଜେଲ ଦଣ୍ଡିତ କରାଯାଏ, ତା’ହେଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ।
ବିଶେଷଜ୍ଞଙ୍କ ମତରେ ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ଏବେ ଲୋକସଭା ସେକେଟ୍ରିଏଟ ଚାହିଁଲେ ରାହୁଲ ଗାନ୍ଧିଙ୍କୁ ସଦସ୍ୟ ପଦକୁ ରଦ୍ଦ କରିପାରିବେ ଓ ତାଙ୍କର ୱାୟନାଡ ଆସନ ଖାଲି ପଡ଼ିଲା ବୋଲି ଘୋଷଣା କରିପାରିବେ। ଏହାପରେ ନିର୍ବାଚନ କମିଶନ ଉକ୍ତ ଆସନରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରିବେ। ଯଦି ହାଇକୋର୍ଟ ତଳ କୋର୍ଟ ରାୟ ଉପରେ କୌଣସି ରୋକ ନ ଲଗାନ୍ତି, ତା’ହେଲେ ଏପରି ହୋଇପାରିବ।
ଯଦି ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଥିବା ରାୟ ଉପରେ ଉପର କୋର୍ଟ ରୋକ ନ ଲଗାଇବେ, ତା’ହେଲେ ରାହୁଲ ଗାନ୍ଧିଙ୍କୁ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାକୁ ଅନୁମତି ମଧ୍ୟ ମିଳିବ ନାହିଁ। କଂଗ୍ରେସ ସୁରତ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବ ବୋଲି କହିଛି।
ସେଠାରେ ଆଶ୍ୱସ୍ତି ନ ମିଳିଲେ ଦଳ ସୁପ୍ରିମକୋର୍ଟ ମଧ୍ୟ ଯାଇ ପାରିବ। ଆଇପିସିର ଧାରା ୪୯୯ ଅଧୀନରେ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିବା ଏକ ବିରଳ ଘଟଣା ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।

nis-ad
Leave A Reply

Your email address will not be published.