ଉତ୍ତର କୋରିଆର ଦାବି : ଆମେରିକା ବିପକ୍ଷରେ ଲଢ଼ିବାକୁ ଆଗ୍ରହୀ ଅଛନ୍ତି ୮,୦୦୦୦୦ ନାଗରିକ

ସିଓଲ୍‌: ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷରେ ଲଢ଼େଇ କରିବା ଲାଗି ସ୍ବ-ଇଚ୍ଛାରେ ଦେଶର ସେନାବାହିନୀରେ ଯୋଗ ଦେବା ଲାଗି ୮,୦୦୦୦୦ ନାଗରିକ ପ୍ରତିବଦ୍ଧ ବୋଲି ଆଜି ଉତ୍ତର କୋରିଆର ରାଷ୍ଟ୍ରାୟତ ଖବରକାଗଜ ରିପୋର୍ଟ କରିଛି।

ରାଷ୍ଟ୍ରାୟତ ଖବରକାଗଜ ‘ରୋଡୋଙ୍ଗ୍‌ ସିନ୍‌ମୁନ୍‌’ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ସଙ୍ଗେ ମୁକାବିଲା କରିବାକୁ କେବଳ ଶୁକ୍ରବାର ଦିନ ସମଗ୍ର ଦେଶରୁ ପ୍ରାୟ ୮,୦୦୦୦୦ ଶିକ୍ଷାର୍ଥୀ ଓ କର୍ମଜୀବୀ ତାଲିକାଭୁକ୍ତ ହେବାକୁ ଅଥବା ପୁନଃତାଲିକାଭୁକ୍ତ ହେବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି।

ସମ୍ପ୍ରତି ଚାଲିଥିବା ଆମେରିକା-ଦକ୍ଷିଣ କୋରିଆ ସମରାଭ୍ୟାସ ବିରୋଧରେ ପ୍ରତିକ୍ରିୟା ବ୍ୟକ୍ତ କରି ଗୁରୁବାର ଦିନ ‘ହ୍ବାସୋଙ୍ଗ୍‌-୧୭’ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ (ଆଇସିବିଏମ୍‌) ଉତ୍‌କ୍ଷେପଣ କରିବା ପରେ ଉତ୍ତର କୋରିଆ ଉପରୋକ୍ତ ଦାବି କରିଛି।

ଉଲ୍ଲେଖଯୋଗ୍ୟ, ଆଣବିକ ଅସ୍ତ୍ରଦ୍ବାରା ବଳୀୟାନ୍‌ ଉତ୍ତର କୋରିଆର ମୁକାବିଲା ପାଇଁ ଉପାୟ ଖୋଜିବାକୁ ଆଲୋଚନା କରିବା ଲାଗି ଆୟୋଜିତ ଶିଖର ବୈଠକରେ ଅଂଶ ଗ୍ରହଣ କରିବାକୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ବିମାନ ଯୋଗେ ଟୋକିଓ ଯାତ୍ରା କରିବାର କିଛି ଘଣ୍ଟା ଆଗରୁ ଗୁରୁବାର ଦିନ ଉତ୍ତର କୋରିଆ କୋରୀୟ ଉପଦ୍ବୀପ ଓ ଜାପାନ ମଧ୍ୟରେ ଥିବା ସମୁଦ୍ର ଜଳରାଶି ମଧ୍ୟକୁ ଉକ୍ତ ‘ଆଇସିବିଏମ୍‌’ ନିକ୍ଷେପ କରିଥିଲା।

ଜାତିସଂଘ ନିରାପତ୍ତା ପରିଷଦ୍‌ ନିୟମାବଳି ଅନୁସାରେ ଉତ୍ତର କୋରିଆର ‘ବାଲିଷ୍ଟିକ୍‌ ମିସାଇଲ୍‌’ ସବୁ ନିଷିଦ୍ଧ କରାଯାଇଥିବାରୁ ଏହାର ଉତ୍‌କ୍ଷେପଣକୁ ସିଓଲ୍‌, ୱାସିଂଟନ୍‌ ଏବଂ ଟୋକିଓସ୍ଥିତ ସରକାର ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ସୋମବାରଠାରୁ ‘ଫ୍ରିଡମ୍‌ ସିଲ୍‌ଡ୍‌ ୨୩’ ନାଁରେ ଦକ୍ଷିଣ କୋରୀୟ ଓ ଆମେରିକୀୟ ସେନା ୧୧ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି। ଉତ୍ତର କୋରିଆ ପଟୁ ବୃଦ୍ଧି ପାଉଥିବା ବିପଦର ମୁକାବିଲା ନିମନ୍ତେ ଏଭଳି ବ୍ୟାପକ ସମରାଭ୍ୟାସ ୨୦୧୭ ପରେ ସଙ୍ଗଠିତ ହୋଇ ନ ଥିଲା।

ସମରାଭ୍ୟାସ କରି ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆ ଉତ୍ତେଜନା ସୃଷ୍ଟି କରୁଛନ୍ତି ବୋଲି ଉତ୍ତର କୋରିଆ ନେତା କିମ୍‌ କହିଛନ୍ତି।

nis-ad
Leave A Reply

Your email address will not be published.