ଦିଲ୍ଲୀ ବିଧାନସଭାରେ ହଟ୍ଟଗୋଳ; ଗୃହରୁ ବାହାରି ଯିବାକୁ ୩ ‘ବିଜେପି’ ବିଧାୟକଙ୍କୁ ଆଦେଶ ଦେଲେ ବାଚସ୍ପତି

ନୂଆଦିଲ୍ଲୀ: ଉପରାଜ୍ୟପାଳ ଭି. କେ. ସାକ୍‌ସେନା ଉଦ୍‌ବୋଧନ ଦେବା ବେଳେ ‘ବିଜେପି’ ଓ ‘ଆପ୍‌’ ବିଧାୟକମାନ‌େ ପରସ୍ପର ବିରୋଧରେ ସ୍ଲୋଗାନ୍‌ ଦେବାରୁ ଦିଲ୍ଲୀ ବିଧାନସଭାରେ ବଡ଼ ଗୋଳମାଳିଆ ପରିସ୍ଥିତିରେ ଆଜି ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି।
ଦିଲ୍ଲୀ ‘ବିଜେପି’ ସଭାପତି ଆଦେଶ କୁମାର ଗୁପ୍ତା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଉପରେ ରୁଚିହୀନ ମନ୍ତବ୍ୟ ଦେବାରୁ ‘ଆପ୍‌’ ବିଧାୟକମାନେ ତୀବ୍ର ପ୍ରତିବାଦ କରିଥିଲେ।
ସେପଟେ, ବାଚସ୍ପତି ଅନୁରୋଧ କରିବା ସତ୍ତ୍ବେ ବେଞ୍ଚ୍‌ ଉପରେ ଠିଆ ହୋଇଥିବା ‘ବିଜେପି’ର ୩ଜଣ ବିଧାୟକ ବସିଲେ ନାହିଁ। ତେଣୁ, ଗୃହରେ ଶୃଙ୍ଖଳା ରକ୍ଷା କରିବା ଲାଗି ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋଏଲ୍‌ଙ୍କୁ ୩ଜଣ ‘ବିଜେପି’ ବିଧାୟକଙ୍କୁ ‘ମାର୍ସାଲ୍‌ ଆଉଟ୍‌’ ଆଦେଶ ଦେବାକୁ ପଡ଼ିଥିଲା।
ଗୋଳମାଳିଆ ପରିସ୍ଥିତିଯୋଗୁଁ ଆଜି ଗୃହକୁ ୨ ଥର ମୁଲତବୀ ରଖିବାକୁ ପଡ଼ିଥିଲା।
ସମ୍ପ୍ରତି ଉଚ୍ଛେଦ ହୋଇଯାଇ ଥିବା ଅବକାରୀ ନୀତି ଗଠନ ଓ ପ୍ରଣୟନରେ ଦୁର୍ନୀତି କରାଯାଇଥିବା ଅଭିଯୋଗ କରି ବିରୋଧୀ ‘ବିଜେପି’ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଇସ୍ତଫା ଦାବି କରୁଥିବା ବ‌େଳେ ଉପରାଜ୍ୟପାଳ ଉଦ୍‌ବୋଧନ ଆରମ୍ଭ କରିବାରୁ ଶାସକ ‘ଆପ୍‌’ ବିଧାୟକମାନେ ‘ବିଜେପି’ ବିରୋଧରେ ପ୍ରତିବାଦ କରିଥିଲେ।
୩ ‘ବିଜେପି’ ବିଧାୟକ ଜିତେନ୍ଦ୍ର ମହାଜନ, ଅନୀଲ ବାଜପାୟୀ ଏବଂ ଅଜୟ ମହାୱାର୍‌ଙ୍କୁ ଗୃହରୁ ବାହାର କରିଦେବାକୁ ଆଦେଶ ଦିଆଯିବା ପରେ ପୁଣି ରାଜ୍ୟପାଳଙ୍କ ଉଦ୍‌ବୋଧନ ଆରମ୍ଭ ହୋଇଥିଲା।
ଦିଲ୍ଲୀରେ ‘ଆପ୍‌’ ସରକାର ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତ କରୁଛନ୍ତି ବୋଲି ଉପରାଜ୍ୟପାଳ ଆଜି ଦେଇଥିବା ପ୍ରଥମ ଉଦ୍‌ବୋଧନରେ କହିଛନ୍ତି। ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଯୋଗୁଁ ଜାତୀୟ ରାଜଧାନୀରେ ପିଲାମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ସେହିପରି, ନୂଆ ଡାକ୍ତରଖାନାଗୁଡ଼ିକରେ ସମୁଦାୟ ୧୬,୦୦୦ ଶଯ୍ୟା ରହିବ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.