ଛତ୍ରପୁର : ଖଣ୍ଡଦେଉଳି ସେବା ସମବାୟ ସମିତିର ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ପାଇଁ ଆସିଥିବା ଟୋକେନ୍ ଲାପସ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କ ଧାନ କିଣାଯାଇନାହିଁ । ଏଣୁ ଟୋକେନ ର ଅବଧି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବଂଚିଥିବା ଟୋକେନ ଗୁଡିକର ଧାନ କିଣିବା ପାଇଁ ଖଣ୍ଡଦେଉଳି ସେବା ସମିତିର ବହୁ ଚାଷୀ ମଙ୍ଗଳବାର ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହାର ଏକ ନକଲ ଛତ୍ରପୁର ମୁଖ୍ୟ ଯୋଗାଣ ଅଧିକାରୀ, ଛତ୍ରପୁର ତହସିଲଦାରଙ୍କୁ ମଧ୍ୟ ସେମାନେ ପ୍ରଦାନ କରିଛନ୍ତି । ଗତ ୩, ୪ ଓ ୬ ତାରିଖରେ ୪୪ ଜଣ ଚାଷୀଙ୍କ ପ୍ରାୟ ୭୬୯ କୁଇଣ୍ଟାଲ ଧାନ କିଣିବା ପାଇଁ ରହିଥିଲା । କିନ୍ତୁ ଟାର୍ଗେଟ ନଥିବା ଯୋଗୁଁ ସେମାନଙ୍କ ଧାନ ବିକ୍ରି ହୋଇପାରିଲା ନାହିଁ । ଆସନ୍ତା ୧୬ ରୁ ୧୮ ତାରିଖ ମଧ୍ୟରେ ୫୦ ଜଣ ଚାଷୀଙ୍କ ୧୬୬୨ କୁଇଣ୍ଟାଲ ଧାନ ଆବଶ୍ୟକ ଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଟାର୍ଗେଟ ପହଂଚି ନାହିଁ । ଯାହା ଫଳରେ ବହୁ ଗରିବ ଚାଷୀ ସେମାନଙ୍କ ଧାନକୁ ଶାଗ ମାଛ ଦରରେ ଘରୋଇ ବେପାରିକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ।
ଏଣୁ ଅବଧି ସରିଯାଇଥିବା ଟୋକେନ ଗୁଡିକର ଅବଧି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ୧୬ ରୁ ୧୮ ତାରିଖ ମଧ୍ୟରେ ଥିବା ଟୋକେନ ଗୁଡିକୁ ଆବଶ୍ୟକୀୟ ଟାର୍ଗେଟ ଯୋଗାଇ ଦିଆଯିବା ନିମନ୍ତେ ସେମାନେ ଏହି ଦାବି ପତ୍ର ମାଧ୍ୟମରେ ଦାବି କରିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ଆସନ୍ତା ୧୬ ତାରିଖ ଦିନ ସେମାନେ ବାଧ୍ୟ ହୋଇ ଖଣ୍ଡଦେଉଳି ଠାରେ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଓଡିଶା କୃଷକ ସଭା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ, ଖଣ୍ଡଦେଉଳି ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ରାମଚନ୍ଦ୍ର ନାୟକ, ଲକ୍ଷ୍ମୀ ଚରଣ ସ୍ୱାଇଁ, ସୁଶାନ୍ତ ପାହାନ, ଶ୍ରୀକାନ୍ତ କୁମାର ସ୍ୱାଇଁ ଓ ସନ୍ତୋଷ କୁମାର ସ୍ୱାଇଁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।