ସ୍ଵତନ୍ତ୍ର ଉନ୍ନୟନ ସଭ୍ୟସଭ୍ୟାମାନେ ଜାଗ୍ରତ ପ୍ରହରୀଭାବେ ଆଦିବାସୀ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ : ପ୍ରଦୀପ ମାଝୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟ ସଭ୍ୟମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦର ମାନନୀୟ ଉପଦେଷ୍ଟା ପ୍ରଦୀପ ମାଝି ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଲେ, ନୂତନ ଭାବେ ମନୋନୀତ ସଭ୍ୟସଭ୍ୟା ମାନେ ଜାଗ୍ରତ ପ୍ରହରୀଭାବେ ଆଦିବାସୀ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ । ତେବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନର ଉଦ୍ଦେଶ୍ୟ, ଏହାର କାର୍ଯ୍ୟ ଖସଡ଼ା ଏବଂ ଆଦିବାସୀ ସମାଜର ଦାୟିତ୍ବ ଉପରେ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି । ସରକାରୀ ସ୍ତରରେ ଏହା ଏକ ସାମାଜିକ କାର୍ଯ୍ୟ। ଆଦିବାସୀ ଭାଇ ଭଉଣୀମାନଙ୍କର ବହୁ ଆଶା ଓ ସ୍ଵପ୍ନ ଏଥିରେ ରହିଛି । ଆଗାମୀ ଦିନରେ ଆଦିବାସୀ ସମାଜର ସମସ୍ତ ଭାଇଭଉଣୀଙ୍କୁ ଏଥ୍‌ରେ ସାମିଲ କରାଯିବା ପାଇଁ ପ୍ରଚେଷ୍ଟା କରାଯିବ । ଏହାକୁ ଏକ ନୂଆ ରୂପ ଦିଆଯିବା ପାଇଁ କାର୍ଯ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ ହେଉଛି । ସେଥିପାଇଁ ସୁଚିନ୍ତିତ ମତାମତ ଦେବାପାଇଁ ଶ୍ରୀ ମାଝି ଅନୁରୋଧ କରିଥିଲେ । ଶ୍ରୀ ମାଝି କହିଲେ, କେବଳ ବିଲୁପ୍ତ ହୋଇଯାଇଥିବା ଆଦିବାସୀ କଳା,ସଂସ୍କୃତି, ପରମ୍ପରା,ଜାନିଯାତ୍ରା, ପୂଜା ପୀଠ,ସାଂସ୍କୃତିକ କାର୍ଯ୍ୟକ୍ରମର ପୁନରୁଦ୍ଧାର କରିଦେଲେ ଆଦିବାସୀ ସମାଜର ଉନ୍ନତି ହୋଇଯିବ ନାହିଁ । ସେମାନଙ୍କ ଜୀବନ ଜିବିକାର ଉନ୍ନତି ହେବାର ଆବଶ୍ୟକତା ମଧ୍ୟ ରହିଛି । ଆଗାମୀ ଦିନରେ ସେମାନଙ୍କର ଭବିଷ୍ୟତ କ’ଣ ରହିବ, ଆଧୁନିକ ସମାଜ ସହିତ ତାଳ ଦେଇ ଚାଲିବା ପାଇଁ ବ୍ୟବସ୍ଥା, ଓଡ଼ିଶାର ସମୁଦାୟ ୬୨ ବର୍ଗର ବା ଜାତିର ଆଦିବାସୀ ଭାଇଭଉଣୀ ମାନଙ୍କୁଏକାଠି କରିବା, ସମସ୍ତେ ସମସ୍ତଙ୍କର ସମସ୍ୟା ବିଷୟରେ ଅବଗତ ହେବା ସହିତ ସମାଧାନ ପାଇଁ ବ୍ୟବସ୍ଥା କରିବା, ଯୁବ ଗୋଷ୍ଠୀଙ୍କୁ କୁସଂସ୍କାରରୁ ଦୂରେଇ ରଖିବା ପାଇଁ ସଚେତନ କରିବା ,ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରିବା, ରାଜ୍ୟ ଓ ରାଜ୍ୟ ବାହାରେ ତଥା ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ମାଗଣା କୋଚିଂର ବ୍ୟବସ୍ଥା କରିବା, ରାଜ୍ୟର ସମସ୍ତ ଅନୁସୂଚିତ ଜନଜାତି ବର୍ଗଙ୍କୁ ୧୦ଲକ୍ଷ ଟଙ୍କାର ବାସଗୃହ ଯୋଗାଇଦେବା, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦନ ପାଇଁ ୩୫ଲକ୍ଷ ଟଙ୍କା ଅନୁଦାନର ଗୃହ ନିର୍ମାଣ, ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଇ-କମର୍ସ ଆପ୍ ଯୋଗେ ନିଜ ନିଜର ଉତ୍ପାଦନକୁ ବିକ୍ରୟ କରିବା ହେଉଛି ସ୍ବତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟବୋଲି ଶ୍ରୀ ମାଝି କହିଥିଲେ । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୬୭କୋଟି ଅନୁଦାନ ଦେଇଛନ୍ତି ଏବଂ ସଠିକ୍ ଭାବେ ଖର୍ଚ୍ଚ କଲେ ଆଗକୁ ୪୦୦ ରୁ ୫୦୦ କୋଟି ଟଙ୍କା ସ୍ଵତନ୍ତ୍ର ଉନ୍ନୟନ ପରିଷଦକୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ସେଥ୍‌ପାଇଁ ଆମଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆମଙ୍କୁ ଏକାଠି ହେବା ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ଦେଇଛନ୍ତି ଯାହାର ସଦୁପଯୋଗ କରିବା ଆମ ସମସ୍ତଙ୍କର ଦାୟିତ୍ଵ ବୋଲି ଶ୍ରୀ ମାଝି କହିଥିଲେ ।

କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ ଏବଂ ଉପାଧ୍ୟକ୍ଷ ନଳିନୀ କହଁର କହିଲେ, ଓଡ଼ିଶାର ୯ ଗୋଟି ଜିଲ୍ଲାର ଆଦିବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠିତ ଏହି ପରିଷଦ ଆଗାମି ଦିନରେ ଆୟୋ ଆସ୍ତେ ହଜି ଯାଉଥିବା ଆଦିବାସୀ ଲୋକ କଳା, ସଂସ୍କୃତି, ପରମ୍ପରା ଇତ୍ୟାଦିକୁ ନିଶ୍ଚିତରୂପେ ପୁନରୁଦ୍ଧାର କରିବ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହିତ ଜିଲ୍ଲାର ସବୁ ଆଦିବାସୀ ଭାଇ ଭଉଣୀମାନଙ୍କର ସହଯୋଗ ଲୋଡ଼ିଥିଲେ। ସେହିପରି, ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସୁସ୍ମିତା କହଁର, ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର ମଧ୍ୟ ଓଡ଼ିଶାର ଆଦିବାସୀ ସମାଜର ଉନ୍ନତି ପାଇଁ ସ୍ବତନ୍ତ୍ରଭାବେ ଗଠିତ ଏହି ପରିଷଦ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆର୍ଶିବାଦ ବୋଲି କହିଥିଲେ । କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟ ସଭ୍ୟା ଯଥାକ୍ରମେ ଭଜମନ ପ୍ରଧାନ, ଫୁଲବାଣୀ, ସୁଜାତା କହଁର, ଫିରିଙ୍ଗିଆ, ପ୍ରମୋଦ କୁମାର କହଁର, ଚକାପାଦ, ସ୍ଵର୍ଣ୍ଣଲତା କହଁର, ଖଜୁରୀପଡ଼ା, ସୁରେଖା ପାଟ୍ଟମାଝି, କୋଟଗଡ଼, ଲାଲାନନ୍ଦ ପ୍ରଧାନ, ଫିରିଙ୍ଗିଆ, ରଞ୍ଜିତା ପ୍ରଧାନ, ଦାରିଙ୍ଗବାଡ଼ି, କୃଷି ମଲ୍ଲିକ,ବାଲିଗୁଡ଼ା, ରମାକାନ୍ତ ମାଝି, ଦାରିଙ୍ଗବାଡି, କାରଲ ମାଲ୍ଲିକ, ଘୁ.ଉଦୟଗିରି, ଭୁଷଣ ପ୍ରଧାନ, ଏବଂ ସୌଦାମିନି କହଁର, ଖଜୁରୀପଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ନରେଶ ଚନ୍ଦ୍ର ସବର ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଏସ୍.ଡି.ସି.ଉପଧ୍ୟକ୍ଷା ଧନ୍ୟବାଦ ଦେଇଥିଲେ । ଗଣମାଧ୍ୟମର ପ୍ରତିନିଧୂମାନଙ୍କ ସମେତ ଜିଲ୍ଲା ଆଦିବାସୀ ଭାଇ ଭଉଣୀମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.