କେନ୍ଦୁଝର: ବାଘକୁ ଧରାପକାଇବା ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାକ୍ କ୍ୟାମେରା ଚୋରି ହୋଇଯାଇଛି। କେନ୍ଦୁଝର ଜିଲ୍ଲାରେ ମହାବଳ ବାଘକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଥିବା ବେଳେ ଏବେ ବାଘକୁ ଟ୍ରାକ୍ କରିବା ପାଇ ଲଗା ଯାଇଥିବା ଦୁଇଟି ଟ୍ରାକ୍ କ୍ୟାମେରା ଚୋରି ହୋଇଯାଇଛି। ଏନେଇ ବନ ବିଭାଗ ପକ୍ଷରୁ ଘଟଗାଁ ଥାନାରେ ଏତଲା ଦିଆଯାଇଛି। କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍ଡି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲାରେ ମହାବଳ ବାଘର ସ୍ଥିତି ସମ୍ପର୍କରେ ପିସିସିଏଫ ଫଟୋ ସହ ସ୍ପଷ୍ଟ କଲାପରେ ବନ ବିଭାଗର ବାଘର ସୁରକ୍ଷା ନେଇ ଚିନ୍ତା ବଢିଯାଇଛି। ଏହାରି ମଧ୍ୟରେ ପାଟଣା ରେଞ୍ଜ ଅଧିନରେ ଲାଗିଥିବା ୧୦ଟି ଟ୍ରାକ୍ କ୍ଯାମେରା ମଧ୍ୟରୁ ୨ଟି ଚୋରି ହୋଇଯାଇଛି। ଟ୍ରାକ୍ କ୍ୟାମେରା ଚୋରି ନେଇ ବନ ବିଭାଗ ପକ୍ଷରୁ ଘଟଗାଁ ଥାନାରେ ଲଖିତ ଅଭିଯୋଗ କରିଛି। ତେବେ ବନ ବିଭାଗର ବାଘ ସୁରକ୍ଷା ନେଇ ଏବେ ଚିନ୍ତା ବଢିଯାଇଛି। କାରଣ ସନ୍ଦେହ କରାଯାଉଛି ଶିକାରୀ କିମ୍ବା ଅନ୍ୟ ଦୁର୍ବୃତ୍ତ ଏହି କ୍ଯାମେରାକୁ ନେଇ ଯାଇଥିବେ। ଏନେଇ ପୁଲିସରେ ଏତଲା ସହ ବିଭାଗୀୟ ତଦନ୍ତ ଚାଲିଥିବା ଡିଏଫ୍ଓ ଧନରାଜ କହିଛନ୍ତି ।
କେନ୍ଦୁଝର ଜିଲ୍ଲାର ଜଙ୍ଗଲରେ ମହାବଳ ବାଘର ସ୍ଥିତି ଆଗରୁ ଥିଲା ଏବଂ ଏବେ ବି ଅଛି। ଶିମିଳିପାଳ, ସାତକୋଶିଆ, ଆନନ୍ଦପୁର, ଅଟେଇ ରେବଣା ପଳାଶପାଳ ଦେଇ ବାଘ ପୂର୍ବରୁ ଓ ଏବେ ଚଳପ୍ରଚଳ କରୁଥିଲା। ବାଘର ସ୍ଥିତି ନେଇ ବିଷୟରେ ସମସ୍ତେ ଜାଣିବା ପରେ ଏବେ ତାର ସୁରକ୍ଷା ନେଇ ବନ ବିଭାଗର ଚିନ୍ତା ବଢ଼ିଛି। ଏହାକୁ ନେଇ ଘଟଗାଁ ଓ ପାଟଣା ରେଞ୍ଜର ବିଭିନ୍ନ ଜାଗାରେ ବାଘ ଉପରେ ନଜର ରଖବାକୁ ଲଗା ଯାଇଥିଲା ୫୦ଟି ଟ୍ରାକ କ୍ୟାମେରା । ଦୁଇ ଜଣ ଏସିଏଫଓଙ୍କ ସହ ଜଣେ ଫରେଷ୍ଟର ଓ ୫ ଜଣ ଗାର୍ଡକୁ ନେଇ ଏକ ସ୍କାର୍ଡ ଗଠନ ହୋଇଛି । ଏଥି ସହ ସେହି ଅଞ୍ଚଳରେ ତିନୋଟି ଫରେଷ୍ଟ ରାସ୍ତାକୁ ସିଲ କରାଯାଇଛି। ଶିକାରୀ, ଜଙ୍ଗଲ ନିଆଁ ଓ ବାଘ ଉପରେ ନଜର ରଖିବାକୁ ଏସ୍ଟିଏଫ୍, ଜେଟିଏଫ୍ ଓ ଶିମିଳିପାଳ ଟାଇଗର ରିଜର୍ଭର ଫିଲଡ଼ ଡାଇରେକ୍ଟରଙ୍କ ମାର୍ଗଦର୍ଶନରେ ନଜର ରଖାଯାଇଛି। ବାଘର ସୁରକ୍ଷା ସହ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଜିବନ ଜୀବିକା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି।