ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ପାଳନ ଅବସରରେ ଆପଣମାନଙ୍କୁ ଏବଂ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା’ମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମହିଳା ସଶକ୍ତୀକରଣ ବିଜୁ ଜନତା ଦଳ (ବିଜେଡି)ର ମୁଖ୍ୟ ଫୋକସ୍‌। ଆମର ପ୍ରିୟ ନେତା ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ ଆଜି ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି। ପଞ୍ଚାୟତ ଓ ଲୋକାଲ ବଡ଼ିମାନଙ୍କରେ ମା’ମାନଙ୍କର ସଂରକ୍ଷଣକୁ ଆମେ ୩୩%ରୁ ୫୦%କୁ ବୃଦ୍ଧି କରିଛୁ। ସଂସଦ ଓ ବିଧାନସଭାରେରେ ମା’ମାନଙ୍କ ପାଇଁ ୩୩% ସଂରକ୍ଷଣ ଦେବା ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆମ ସରକାର ଲୋକମାନଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ। ଆପଣ ଜାଣନ୍ତି କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ପାଞ୍ଚ କିଲୋ କାଟିଦେଲେ। ସେହିପରି ଏଲ୍‌ପିଜି ଦର ଏବେ ଆକାଶଛୁଆ ହେଲାଣି। ଚାଉଳ କାଟିବା ଓ ଆଇପିଜି ଦର ବୃଦ୍ଧି ଯୋଗୁଁ ଆମର ମା’ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ମୁଁ କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡା ନିନ୍ଦା କରୁଛି।

ଆମର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ମା’ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି। ନିଷ୍ପତ୍ତି ନେବାରେ ସେମାନଙ୍କ ଗୁରୁତ୍ବ ବଢିଛି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା’ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢିଛନ୍ତି। ଏସ୍‌ଏଚ୍‌ଜିରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ମୁଁ ଚାହେଁ, ଆମର ମା’ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡିଶାର ପରିଚୟ ହେଉ। ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ।

nis-ad
Leave A Reply

Your email address will not be published.