ପର୍ତ୍ତମାରେ ମା ମେରୀଙ୍କ ପର୍ଵ ପାଳନ…

ଦାରିଙ୍ଗବାଡ଼ି (୫/୩) : ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ମେରୀ ଗୁମ୍ଫାଠାରେ ପର୍ତ୍ତମା ମା ମେରୀଙ୍କ ପର୍ଵ ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି । ଏଥିରେ କଟକ-ଭୁବନେଶ୍ୱର ଆର୍ଚ୍ଚ ଡାଇସିୟସ ମହାଧର୍ମାଧ୍ୟକ୍ଷ ଜୋହାନ ବାରୱାଙ୍କ ପୌରହିତରେ ଦିବ୍ୟଯଜ୍ଞ ଅନୁଷ୍ଠିତ ହୋଇଥିଲା । ମହାଧର୍ମାଧ୍ୟକ୍ଷଙ୍କ ସହିତ କଟକ-ଭୁବନେଶ୍ୱର ଆର୍ଚ୍ଚ ଡାଇସିୟସ ଭିକାର ଜେନେରାଲ ଯାଜକ ପ୍ରଦଶ ନାୟକ, ଦାରିଙ୍ଗବାଡ଼ି ଧର୍ମାଞ୍ଚଳ ମୁଖ୍ୟ ଯାଜକ ମୁକୁନ୍ଦ ସିଂଙ୍କ ସହ ବିଭିନ୍ନ ଧର୍ମାଞ୍ଚଳର ଯାଜକ,ସେବାଭଗ୍ନୀ ଉପସ୍ଥିତି ରହି ଦିବ୍ୟଯଜ୍ଞରେ ସହଯୋଗ କରିଥିଲେ । ବ୍ଲକ ତଥା ଜିଲ୍ଲା ଓ ଜିଲ୍ଲା ବାହାରର ହଜାର ହଜାର ମାନସିକ ଧାରୀ ଖ୍ରୀଷ୍ଟ ବିଶ୍ଵାସୀ ଯୋଗଦେଇ ପ୍ରାର୍ଥନା, ଆରାଧନା କରି ପର୍ତ୍ତମା ମା ମେରୀଙ୍କ ଧନ୍ୟବାଦ ଓ ମନାସି କରିଥିଲେ । ଦିବ୍ୟଯଜ୍ଞରେ ମହାଧର୍ମାଧ୍ୟକ୍ଷ ଜୋହାନ ବାରୱା ଜଗତର ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ଲୋକଙ୍କ ମଧ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଦୟା, କ୍ଷମା ଓ ପ୍ରେମର ବାଣୀ ପ୍ରଚାର କରିଥିଲେ ।

ପର୍ତ୍ତମା ମା ମେରୀଙ୍କ ପର୍ଵ ପାଳନ କମିଟି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମେ କମିଟି ପକ୍ଷରୁ ଗ୍ରାମ ଆରମ୍ଭରେ ନୃତ୍ୟର ତାଳେ ତାଳେ ମହାଧର୍ମାଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିଥିଲେ । ପବିତ୍ର ଦିବ୍ୟଯଜ୍ଞରେ ପୌରହିତ କରିବା ପାଇଁ ଦାରିଙ୍ଗବାଡ଼ି ଧର୍ମାଞ୍ଚଳ ମୁଖ୍ୟ ଯାଜକ ସ୍ୱାଗତ କରିଥିଲେ । ମେରୀଙ୍କ ଦର୍ଶନ ବିବରଣୀ ଅନନ୍ତ କୁମାର ବିଷୋୟୀ ପାଠ କରିଥିଲା ବେଳେ ଦିବ୍ୟଯଜ୍ଞର ସଂଯୋଜନା ସହକାରୀ ଯାଜକ ଦୀପକ ସିଂ କରିଥିଲେ ଓ ପବିତ୍ର ବାଇବଲ ପଠନ ଅକ୍ଷୟ କୁମାର ସିଂ କରିଥିଲେ। ଦିବ୍ୟଯଜ୍ଞର ସଙ୍ଗୀତ ଦଳକୁ ଯାଜକ ରାଜୀବ ସିଂହଙ୍କ ନେତୃତ୍ୱରେ ସଙ୍ଗୀତ ଗାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।

nis-ad
Leave A Reply

Your email address will not be published.