ଆଜିଠାରୁ ମହିଳା ଆଇପିଏଲ, ଗୁଜରାଟ-ମୁମ୍ବଇ ଉଦ୍‌ଘାଟନୀ ମ୍ୟାଚ

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅଭୂତପୂର୍ବ ସଫଳତା ପରେ ବିସିସିଆଇ ମହିଳା ଆଇପିଏଲ(ଡବ୍ଲ୍ୟୁପିଏଲ) ଆୟୋଜନ କରୁଛି। ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଚଳିତ ମାର୍ଚ୍ଚ ୪ରୁ ମହାରାଷ୍ଟ୍ରରେ ଖେଳାଯିବ। ଏଥିରେ ୫ଟି ଦଳ ମୁମ୍ବଇ ଇଣ୍ଡିଆନ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ ଜ୍ୟାଣ୍ଟ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ଜ ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ମ୍ୟାଚ ଡି ୱାଇ ପାଟିଲ ଓ ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଖେଳାଯିବ। ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଥିବା ଦଳ ସିଧାସଳଖ ଫାଇନାଲରେ ପହଞ୍ଚିବାବେଳେଦ୍ବିତୀୟ ଓ ୩ ୟ ସ୍ଥାନ ଦଳ ଏଲିମିନେଟର ଖେଳିବେ।

ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ମୋଟ ୨୦ଟି ଲିଗ୍‌ ମ୍ୟାଚ ଖେଳାଯିବ। ୨୪ରେ ଏଲିମିନେଟର ଓ ୨୬ରେ ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ଗୋଟିଏ ଲେଖାଏଁ ମ୍ୟାଚ ଥିବା ଦିନ ରାତି ୭ଟା୩୦ରୁ ଖେଳ ଆରମ୍ଭ ହେବ। ଦୁଇଟି ମ୍ୟାଚ ଥିବା ଦିନ ପ୍ରଥମ ମ୍ୟାଚ ଅପରାହ୍ନ ୩ଟା୩୦ରୁ ପ୍ରଥମ ଓ ଦ୍ବିତୀୟ ମ୍ୟାଚ ରାତି ୭ଟା୩୦ରୁ ଖେଳାଯିବ। ୫, ୧୮ ଓ ୨୧ରେ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବ। ମାର୍ଚ୍ଚ ୪ରେ ଉଦ୍‌ଘାଟନୀ ମ୍ୟାଚରେ ଗୁଜୁରାଟ ଜ୍ୟାଣ୍ଟ୍‌ସ-ମୁମ୍ବଇ ଇଣ୍ଡିଆନ୍‌ସକୁ ଭେଟିବ। ୫ଟି ଦଳ ଲାଗି ଖେଳାଳି ନିଲାମ ମୁମ୍ବଇରେ ଗତ ଫେବୃଆରୀ ୧୩ରେ ଆୟୋଜିତ ହୋଇଥିଲା। ସ୍ମୃତି ମାନ୍ଧନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସର୍ବାଧିକ ୩ କୋଟି ୪୦ ଲକ୍ଷ ଟଙ୍କାରେ କ୍ରୟ କରିଥିବାବେଳେ ହରମନପ୍ରୀତ କୌରଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ୧ କୋଟି ୮୦ ଲକ୍ଷ, ଆସ୍‌ଲେ ଗାର୍ଡନରଙ୍କୁ ଗୁଜରାଟ ଜ୍ୟାଣ୍ଟ୍‌ସ ୩ କୋଟି ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ପ୍ରତିଯୋଗିତାରେ ତାରକା ଖେଳାଳି ଭାବେ ଭାରତର ହରମନପ୍ରୀତ କୌର, ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ଦୀପ୍ତି ଶର୍ମା, ଜେମିମା ରୋଡିଗ୍ବେ‌ଜ,ରିଚା ଘୋଷ,ନ୍ୟୁଜିଲାଣ୍ଡର ଶୋଫି ଡିଭାଇନ, ଆମେଲି କେର୍‌, ଅଷ୍ଟ୍ରେଲିଆର ଆସ୍‌ଲେ ଗାର୍ଡନର,ଏଲିସ ପେରି, ତାହିଲା ମ୍ୟାଗ୍ରାଥ୍‌, ଆଲିସା ହିଲି, ବେଥ୍‌ ମୁନି,ମେଗ୍‌ ଲାନିଙ୍ଗ, ଆନାବେଲ ସଦରଲାଣ୍ଡ, ଇଂଲଣ୍ଡର ନାଟ୍‌ ସ୍କିଭର ବ୍ରଣ୍ଟ, ଶୋଫିଆ ଡଙ୍କ୍‌ଲି, ଦକ୍ଷିଣ ଆଫ୍ରିକାର ସବନିମ୍‌ ଇସ୍‌ମାଇଲ, ମାରିଜାନେ କାପ୍‌, ୱେଷ୍ଟଇଣ୍ଡିଜ୍‌ର ଡେଣ୍ଡ୍ରା ଡଟିନ୍ ଭଳି ଖେଳାଳି ରହିଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ଥିବାବେଳେ ୨୦୨୨ରେ ମହିଳା ଆଇପିଏଲ ଆୟୋଜନ ନେଇ ନିଷ୍ପତ୍ତି ନେଇଥିଲେ। ଯାହା ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛି।

nis-ad
Leave A Reply

Your email address will not be published.