ୟୁକ୍ରେନ ଯୁଦ୍ଧ ଯୋଗୁ ଜି-୨୦ ଦେଶଗୁଡ଼ିକ ହୋଇପାରିଲେନି ଏକମତ, ଜାରି ହେଲାନି ମିଳିତ ବିବୃତି

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ଜି-୨୦ ବିଦେଶ ମନ୍ତ୍ରୀଙ୍କ ବୈଠକ ଉପରେ ପଡ଼ିଛି ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ। ଯୁଦ୍ଧ ଯୋଗୁ ବିଭିନ୍ନ ପ୍ରସଙ୍ଗରେ ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀମାନେ ସହମତ ହୋଇ ନାହାନ୍ତି। ସେମାନଙ୍କ ମଧ୍ୟରେ ବୈଠକ ପୂର୍ବରୁ ମତଭେଦ ଥିଲା ଓ ବୈଠକରେ ଏହାର ସମାଧାନ ହୋଇପାରିନି। ତେଣୁ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ନେଇ ମିଳିତ ବିବୃତି ଜାରି କରାଯାଉ ନାହିଁ ବୋଲି ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି।
ଜି-୨୦ ବୈଠକରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଜୟଶଙ୍କର କହିଛନ୍ତି ଯେ “ଅଲଗା ଅଲଗା ଧାରଣା ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ମତ ପାର୍ଥକ୍ୟ ଦେଖାଯାଇଥିଲେ ମଧ୍ୟ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସବୁ ଦେଶ ସହମତି ହୋଇଛନ୍ତି। ଆମର ମତ ହେଲା ଗ୍ଲୋବାଲ ସାଉଥର ମତକୁ ଶୁଣାଯିବା ଦରକାର। ବୈଠକରେ ସବୁ ଦେଶ ଆତଙ୍କବାଦକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।”
ରୁଷ ଓ ଚାଇନା ମିଳିତ ଭାବେ ବୈଠକରେ ୟୁକ୍ରେନ ଯୁଦ୍ଧକୁ ନେଇ ବ୍ୟବହାର କରାଯାଇଥିବା ଶବ୍ଦକୁ ବିରୋଧ କରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ମଧ୍ୟ ବେଙ୍ଗାଲୁରୁ ଠାରେ ଜି-୨୦ ଦେଶର ଅର୍ଥ ମନ୍ତ୍ରୀଙ୍କ ବୈଠକ ହୋଇଥିଲା। ସେହି ସମୟରେ ମଧ୍ୟ ମତ ପାର୍ଥକ୍ୟ ଯୋଗୁ ମିଳିତ ବିବୃତି ଜାରି କରାଯାଇ ନଥିଲା। ଏଥର ମଧ୍ୟ ସମାନ ଘଟଣା ଘଟିଛି।
ତେବେ ଜୟଶଙ୍କର କହିଛନ୍ତି, “ବୈଠକରେ ଏମିତି ଅନେକ ପ୍ରସଙ୍ଗ ରହିଥିଲା, ଯେଉଁଥିରେ ସହମତି ପ୍ରକାଶ ପାଇଛି। ପରସ୍ପର ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବା, ଖାଦ୍ୟ ଓ ବିଜୁଳିର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ସମସ୍ୟା, ଆତଙ୍କବାଦୀ ମୁକାବିଲା ଇତ୍ୟାଦିକୁ ସମସ୍ତେ ସମର୍ଥନ କରିଛନ୍ତି। ଯଦି ଆମେ ଏହି ସବୁକୁ ପ୍ରସଙ୍ଗ କରିବା, ତା’ହେଲେ ଏସବୁକୁ ମିଳିତ ବିବୃତି ଭାବେ ବିବେଚନା କରିପାରିବା। ଆମେ ଯଦି ଦେଖିବା, ତା’ହେଲେ ବୈଠକରେ ୯୦% ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି। କେବଳ ଗୋଟିଏ ଦୁଇଟି ପାରାଗ୍ରାଫରେ ଆମେ ସମସ୍ତଙ୍କ ସହମତି ହାସଲ କରିପାରି ନାହୁଁ।”
ସୂଚନାଯୋଗ୍ୟ, ଭାରତ ଏଯାଏ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ପାଇଁ ସିଧାସଳଖ ରୁଷକୁ ଦାୟୀ କରିନାହିଁ। କୂଟନୀତିକ ଆଲୋଚନା ହିଁ ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ଭାରତ ଆରମ୍ଭରୁ କହି ଆସିଛି।

nis-ad
Leave A Reply

Your email address will not be published.