ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ଗତ ରାତିରେ ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ୨ ନଂ ଓ୍ବାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଜାମପଦା ସାହିର ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନଙ୍କ ଘରେ କେହି ନଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ତାଙ୍କ ଘରର ମୁଖ୍ୟ ଓ ଭିତର ଫାଟକ ତାଲା ଭାଙ୍ଗି ଘରେ ପଶି ଆଲମିରା ଭାଙ୍ଗି ସେଥିରେ ଥିବା ପ୍ରାୟ ଚାରି ଲକ୍ଷରୁ ଉର୍ଦ୍ଧ ଟଙ୍କା ମୁଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ବୁଧବାର ସମ୍ପୃକ୍ତ ଆର୍ମି ଅଫିସରଙ୍କ ଭାଇ ଘର ନିକଟକୁ ଆସିବା ପରେ ଘରର ତାଲା ଭଙ୍ଗାଯାଇଥିବା ସହ ଆଲମିରା ଭଙ୍ଗା ଯାଇଥିବା ଦେଖି ବାଲିଗୁଡ଼ା ଥାନା ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଗତ ୨୩ ତାରିଖରେ ବାଲିଗୁଡ଼ା ସୁନାପାଙ୍ଗା ସାହିର ସ୍ବପ୍ନେଶ୍ବର ସାହୁଙ୍କ ଘରୁ ମଧ୍ୟ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଘଟଣାର ସପ୍ତାହେ ନପୁରୁଣୁ ପୁଣି ଗତକାଲି ରାତିରେ ଆଉ ଏକ ଲୁଟ୍ ହୋଇଥିବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗୋଟିଏ ପଟେ ଦିନକୁ ଦିନ ବାଲିଗୁଡ଼ା ଅଞ୍ଚଳରେ ଚୋରି, ଡକାୟତି ଘଟଣା ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ଜଣକୁ ଗିରଫ କରିଥିବା ବେଳେ ଗତକାଲି ଏକ ଡକାୟତି ଗ୍ୟାଙ୍ଗର ଆଉ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ଅନ୍ୟପଟେ ଏହି ସବୁ ଘଟଣାରେ ଆଉ କେଉଁ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି ତାହା ପୋଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ସମସ୍ତ ଘଟଣାକୁ ନେଇ ଡକାୟତି ଗ୍ୟାଙ୍ଗକୁ ଧରିବା ଓ ଘଟଣାର ପର୍ଦ୍ଦାଫାଶ କରିବା ପୋଲିସ୍ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି l
Sign in
Sign in
Recover your password.
A password will be e-mailed to you.