ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଇଥିବା ଏମ୍କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ରୋଗୀ ଚିକିତ୍ସା ବ୍ୟବସ୍ଥା ନିମ୍ନଗାମୀ ହୋଇଛି । ଯାହାଫଳରେ ଚିକିତ୍ସା ଅବହେଳାରୁ ସାଧାରଣ ରୋଗୀଟି ଅକାଳରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇ ଆସୁଛି । ମେଡକାଲରେ କାର୍ଯ୍ୟ କରୁଥିବା ଅଧିକାଂଶ ଡ଼ାକ୍ତରଙ୍କ ରୋଗୀ ଚିକିତ୍ସାରେ ଅବହେଳା କରୁଥିବା ବେଳେ ଆଉ କିଛି ଡ଼ାକ୍ତର ମେଡ଼ିକାଲକୁ ନ ଆସି ଉକ୍ତ ସମୟରେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରିଥାନ୍ତି ।
ମେଡ଼ିକାଲରେ କାର୍ଯ୍ୟ କରୁଥିବା ଅଧିକାଂଶ ନର୍ସିଂ ଅଫିସ୍ର ନିଜ କାର୍ଯ୍ୟରେ ସଠିକ ସମୟ ପହଞ୍ଚି ନଥିବା ବେଳେ ରୋଗୀଙ୍କ ସେବାରେ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାର ସମ୍ମୁଖୀନ କରି ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଇଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ବ୍ରହ୍ମାପଲ୍ଲୀ ଗ୍ରାମର ପଦ୍ମାବତୀ ପାତ୍ରଙ୍କ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କୁ ପୁଅ ପବିତ୍ର ସାହୁ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ନେଇ ମେଡ଼ିକାଲ ଫାଣ୍ଡିରେ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ କହିଛି । ଡାକ୍ତରଖାନାରେ ଅଭିଯୋଗ କେହି ଶୁଣିନାହାନ୍ତି । ସେ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ନିକଟରେ ଘଟଣାକୁ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ପଦ୍ମାବତୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦିଗପହଣ୍ଡିରେ ଭର୍ତ୍ତି କରାଯାଇଥିଲା ।
ସେଠାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ପୂର୍ବାହ୍ନରେ ହିଁ ଏମକକେସିଜିରେ ଭର୍ତ୍ତି କରାଯାଇଥିଲା । ଏଠାରେ ଦିନ ତମାମ ସେମାନେ ପଡି ରହିଥିଲେ କିନ୍ତୁ ଡାକ୍ତର ଗୁରୁତ୍ୱ ଦେଉନଥିଲେ । ସନ୍ଧ୍ୟାରେ ଡାକ୍ତରଙ୍କୁ ବାରମ୍ବାର କହିବା ପରେ ସେମାନେ ରୋଗୀ ଗୁରୁତର ଅଛି ବୋଲି କହି ଅନ୍ୟ ଡାକ୍ତରଖାନାକୁ ରୋଗୀକୁ ନେଇଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ରୋଗୀ ଅତ୍ୟନ୍ତ ଗରିବ ପରିବାରରୁ ହୋଇଥିବାରୁ ସେମାନେ ଆଉ କୋଉଠିକି ଯିବା ସମ୍ଭବ ନଥିଲା । ଯାହାଫଳରେ ପଦ୍ମାବତୀଙ୍କ ଚିକିତ୍ସା ନିମନ୍ତେ ପରିବାର ଲୋକ ଡାକ୍ତରଙ୍କୁ ପୁଣି ଥରେ ଅନୁରୋଧ କରିଥିଲେ । ଏହା ପରେ ପଦ୍ମାବତୀଙ୍କୁ ସନ୍ଧ୍ୟା ୭ଟାରେ ୱାର୍ଡରେ ଭର୍ତ୍ତି କରିଥିଲେ । କିନ୍ତୁ ତା’ପରଠୁ ଆଉ ଡାକ୍ତର ସେହି ରୋଗୀକୁ ଦେଖିବାକୁ ଯାଇନଥିଲେ ।
ରାତି ୧୧ଟାରେ ରୋଗୀ ଅଧିକ ଗୁରୁତର ହେବାରୁ ତାଙ୍କୁ ଦେଖିବା ପାଇଁ ରୋଗୀ ସମ୍ପର୍କୀୟ ନର୍ସଙ୍କୁ କହିଥିଲେ । ଡାକ୍ତରଙ୍କୁ ଡକାଯାଇଛି ବୋଲି କହିବା ସହ ନର୍ସ ତାଙ୍କ ରୁମରୁ ଆସିନଥିବା ଅଭିଯୋଗ ହୋଇଛି । ବହୁ ସମୟ ପରେ ଜଣେ ହାଉସସର୍ଜନ ଆସି ରୋଗୀ ଗୁରୁତର ଅଛନ୍ତି ଏମିତି ହିଁ ରହିବେ ବୋଲି କହି ସେଠାରୁ ଚାଲିଯାଇଥିଲେ । ଗତ କାଲି ରାତି ୨ଟାରେ ରୋଗୀ ଅଧିକ ଗୁରୁତର ହୋଇଥିବା ବେଳେ କେହି ଆସିନଥିଲେ । ସକାଳରେ ପଦ୍ମାବତୀଙ୍କ ନାକରୁ କଳାପାଣି ବାହାରିଥିଲା ସହ ତାଙ୍କ ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା । ନର୍ସକୁ ଡାକିବାରୁ ସେ ଆସିନଥିଲେ । ରୋଗୀ ସମ୍ପର୍କୀୟ ମାନେ ତିନି ମହଲାରେ ଖୋଜି ଖୋଜି ଜଣେ ଡାକ୍ତରଙ୍କୁ ଡାକିଥିଲେ । ଘଣ୍ଟାଏ ପରେ ସେହି ଡାକ୍ତର ଆସି ରୋଗୀର ମୃତ୍ୟୁ ହୋଇଛି ବୋଲି କହିଥିଲେ ।