ଇନ୍ଦୋର୍ ଟେଷ୍ଟ୍ ଖେଳିବେନି କମିନ୍ସ, ନେତୃତ୍ୱନେବେ ସ୍ମିଥ୍‌

ଇନ୍ଦୋର୍ : ଆସନ୍ତା ୧ରୁ ଇନ୍ଦୋରର ହୋଲ୍‌କର ଷ୍ଟାଡିୟମ୍‌ଠାରେ ଚଳିତ ବର୍ଡର୍‌-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ୍ ଆରମ୍ଭ ହେବ । ଅଦ୍ୟାବଧି ସିରିଜ୍‌ରେ ୦-୨ରେ ପଛୁଆ ଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିବା ବେଳେ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଆଗାମୀ ଟେଷ୍ଟ୍‌ରେ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଦୁଇ ଦିନ ତଳେ କମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ତୃତୀୟ ଟେଷ୍ଟ୍ ବେଳକୁ ସେ ଭାରତ ଫେରି ଦଳ ସହ ଯୋଗଦେବେ ବୋଲି ଟିମ୍ ମ୍ୟାନେଜ୍‌ମେଣ୍ଟ୍ ପକ୍ଷରୁ କୁହାଯାଇଥିଲା ।

କିନ୍ତୁ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନ ଥିବାରୁ କମିନ୍ସ ଆଉ କିଛି ଦିନ ତାଙ୍କ ପାଖରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ତାଙ୍କ ଅନୁପସ୍ଥିତିରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଭ୍ରମଣକାରୀ ଦଳର ନେତୃତ୍ୱ ନେବେ । ଏଥିସହ ୨୦୨୧ ପରେ ଇନ୍ଦୋର ଟେଷ୍ଟ୍‌ରେ ପ୍ରଥମ ଥର ପାଇଁ ସ୍ମିଥ୍ ନେତୃତ୍ୱ ନେବାର ସୁଯୋଗ ପାଇବେ । ଗତ ୨୦୨୧ରେ ଟିମ୍ ପେନ୍‌ଙ୍କଠାରୁ ଅଧିନାୟକ ଦାୟିତ୍ୱ କମିନ୍ସ ପାଇବା ପରେ ସ୍ମିଥ୍ ସେବେଠାରୁ ଉପଅଧିନାୟକ ଦାୟିତ୍ୱରେ ରହିଆସିଛନ୍ତି ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳର ତାରକା ଅଲ୍‌ରାଉଣ୍ଡର୍ କାମେରନ୍ ଗ୍ରୀନ୍ ଆହତ ଥିବାରୁ ଅଦ୍ୟାବଧି ଚଳିତ ସିରିଜ୍‌ରେ ଖେଳିବାର ସୁଯୋଗ ପାଇନାହାନ୍ତି । କିନ୍ତୁ ସେ ତୃତୀୟ ଟେଷ୍ଟ୍ ପାଇଁ ତାଙ୍କର ଫିଟ୍‌ନେସ୍ ସାବ୍ୟସ୍ତ କରିଛନ୍ତି । ତେଣୁ ଗ୍ରୀନ୍‌ଙ୍କ ପ୍ରତ୍ୟାବର୍ତ୍ତନରେ ଅଷ୍ଟ୍ରେଲିଆ ବୋଲିଂ ଲାଇନ୍ ବେଶ୍ ସଶକ୍ତ ହୋଇପାରିବ । ତା’ଛଡ଼ା ଦଳର ବରିଷ୍ଠ ପେସର୍ ମିଚେଲ୍ ଷ୍ଟାର୍କ ଇନ୍ଦୋର ଟେଷ୍ଟ୍‌ରେ କମିନ୍ସଙ୍କ ସ୍ଥାନ ନେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।

nis-ad
Leave A Reply

Your email address will not be published.