ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ସିରିଜ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ…

କଲମ୍ବୋ : ଆସନ୍ତା ୯ ତାରିଖଠାରୁ ଘରୋଇ ନ୍ୟୁଜିଲାଣ୍ଡ୍ ଓ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ । ଓପନର ଦିମୁଥ୍ କରୁଣାରତ୍ନେଙ୍କ ନେତୃତ୍ୱରେ ଉକ୍ତ ସିରିଜ୍‌କୁ ଓହ୍ଲାଇବାକୁ ଥିବା ଶ୍ରୀଲଙ୍କା ଦଳରେ ମୁଖ୍ୟତଃ ପେସର୍‌ମାନଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହି ଦୁଇଟି ଟେଷ୍ଟ୍‌ରେ ବିଜୟ ହାସଲ ପୂର୍ବକ ଶ୍ରୀଲଙ୍କା ଆସନ୍ତା ଜୁନ୍‌ରେ ଖେଳାଯିବାକୁ ଥିବା ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ଘୋଷିତ ଦଳରେ ଶ୍ରୀଲଙ୍କା କ୍ରିକେଟ୍ (ଏସ୍‌ଏଲ୍‌ସି) ପକ୍ଷରୁ ୨୩ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ନିଶାନ୍ ମଦୁସ୍କା ଓ ପେସର୍ ମିଲନ୍ ରତନାୟଙ୍କେୁ ସୁଯୋଗ ଦିଆଯାଇଛି । ନିକଟରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଖେଳାଯାଇଥିବା ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ନିଶାନ୍ ଆକର୍ଷଣୀୟ ଦ୍ୱିଶତକ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛନ୍ତି ।

ସେହିପରି ଶ୍ରୀଲଙ୍କା ଟେଷ୍ଟ୍ ଦଳକୁ ଅଲ୍‌ରାଉଣ୍ଡର୍ ଚାମିକା କରୁଣାରତ୍ନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚାମିକା ଗତ ୨୦୧୯ରେ ତାଙ୍କର ଟେଷ୍ଟ୍ ଡେବ୍ୟୁ କରିଥିଲେ । ତାଙ୍କ ବ୍ୟତୀତ ଦଳରେ ଲାହିରୁ କୁମାରା, କାସୁନ୍ ରଜିତା, ଅସିତା ଫର୍ଣ୍ଣାଣ୍ଡୋ, ମିଲନ୍ ରତନାୟକେ ଓ ବିଶ୍ୱା ଫର୍ଣ୍ଣାଣ୍ଡୋଙ୍କ ପରି ପେସର୍ ସ୍ଥାନ ପାଇଛନ୍ତି । ଆଲୋଚ୍ୟ ଟେଷ୍ଟ୍ ସିରିଜ୍‌କୁ ୨-୦ରେ ଜିତି ଶ୍ରୀଲଙ୍କା ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିବା ସକାଶେ ଲକ୍ଷ୍ୟ ରଖିଛି । ଚଳିତ ବର୍ଡର୍‌-ଗାଭାସ୍କର ଟ୍ରଫିରେ ୨-୦ରେ ଆଗୁଆ ଥିବା ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୪-୦ରେ ପରାସ୍ତ କଲେ ହିଁ ଶ୍ରୀଲଙ୍କା ପାଖରେ ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିବାର ସୁଯୋଗ ଉପନୀତ ହେବ । କିନ୍ତୁ ନ୍ୟୁଜିଲାଣ୍ଡ୍ ମାଟିରେ ଶ୍ରୀଲଙ୍କାର ଟେଷ୍ଟ୍ ରେକର୍ଡ ଯଥେଷ୍ଟ ଦୁର୍ବଳ ଥିବାରୁ କୌଣସି ଚମତ୍କାର ହିଁ ଦଳକୁ ଫାଇନାଲ୍‌ରେ ପହଞ୍ଚାଇପାରିବ । ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ଅଦ୍ୟାବଧି ନ୍ୟୁଜିଲାଣ୍ଡ୍ ମାଟିରେ ୧୯ଟି ଟେଷ୍ଟ୍ ଖେଳିଥିଲେ ହେଁ ସେଥିରୁ ମାତ୍ର ୨ଟିରେ ବିଜୟୀ ହୋଇପାରିଛି ।

ସେହିପରି ଆଗାମୀ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ ସିରିଜ୍‌ରେ ଶ୍ରୀଲଙ୍କା ୨ଟି ଟେଷ୍ଟ୍ ଖେଳିବା ପରେ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବ ।

ଘୋଷିତ ଦଳ: ଦିମୁଥ୍ କରୁଣାରତ୍ନେ (ଅଧିନାୟକ), ଓଶାଦା ଫର୍ଣ୍ଣାଣ୍ଡୋ, କୁସାଲ୍ ମେଣ୍ଡିସ୍‌, ଆଞ୍ଜେଲୋ ମାଥ୍ୟୁସ୍‌, ଧନଞ୍ଜୟ ଡି’ ସିଲ୍‌ଭା, ଦୀନେଶ ଚାଣ୍ଡିମାଲ୍‌, କାମିନ୍ଦୁ ମେଣ୍ଡିସ୍‌, ନିରୋଶନ୍ ଡିକ୍‌ୱେଲା, ନିଶାନ୍ ମଦୁସ୍କା, ରମେଶ ମେଣ୍ଡିସ୍‌, ପ୍ରବତ୍ ଜୟସୂର୍ଯ୍ୟାୟ, ଚାମିକା କରୁଣାରତ୍ନେ, କାସୁନ୍ ରଜିତା, ଲାହିରୁ କୁମାରା, ଅସିତା ଫର୍ଣ୍ଣାଣ୍ଡୋ, ବିଶ୍ୱା ଫର୍ଣ୍ଣାଣ୍ଡୋ ଓ ମିଲନ୍ ରତନାୟକେ ।

nis-ad
Leave A Reply

Your email address will not be published.