ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ…

ଫୁଲବାଣୀ :- ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଆଜି ସକାଳେ ସାଂସଦ ଅଚ୍ୟୁତ ସାମନ୍ତ ଫୁଲବାଣୀ ଠାରେ ମ୍ୟୁନିସିପାଲଟି ଉନ୍ନତି କରଣ ପାଇଁ ମ୍ୟୁନିସିପାଲଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ମ୍ୟୁନିସିପାଲଟି ର ଥିବା ବାକିଆ କାମ ତୁରନ୍ତ ଶେଷ କରାଯିବା ନେଇ ଶ୍ରୀ ସାମନ୍ତ ବିଷଦ ଆଲୋଚନା କରିଥିଲେ । ଜିଲ୍ଲାର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଜି ଫୁଲବାଣୀ ଠାରେ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ମହିଳା ସଭାପତି ପୁନମ୍‍ କହଁର, ବିଜୁ ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଳିକ ଓ ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠିଙ୍କ ସମେତ ବିଜେଡ଼ିର ବରିଷ୍ଠ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଫୁଲବାଣୀ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିତା ମଲ୍ଲିକ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍‍, ସିଡିଏମ୍‍ଓ ଡା. ମନୋଜ କୁମାର ଉପାଧ୍ୟାୟ, ଏଡ଼ିଏମ୍‍ଓ ଡା ଅଭୟ ପଟ୍ଟନାୟକ ଓ ଡିପିଏମ୍‍ ମନୋରଞ୍ଜନ ସାହୁଙ୍କ ଉପସ୍ଥିତିରେ ମେଡିକାଲ୍‍ର ନୂଆ ସିଟି ସ୍କାନ୍‍ ମେସିନ୍‍କୁ ଶ୍ରୀ ସାମନ୍ତ ଲୋକାର୍ପଣ କରିଥିଲେ । ସେହିପରି ନିକଟରେ ଭୂମିପୂଜନ ଶେଷ ହୋଇଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବାଲିଗୁଡ଼ାଠାରେ ଦୁଇ କର୍ପୋରେଟ୍‍ ହସ୍‍ପିଟାଲ୍‍ ଓ ଦୁଇ ଦିବାଧ୍ୟାୟୀ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ କିଭଳି ତ୍ୱରାନ୍ୱିତ କରାଯିବ ସେ ନେଇ ଶ୍ରୀ ସାମନ୍ତ ଏଥିରେ ନିୟୋଜିତ ଇଂଜିନିୟର ଓ ଠିକାଦାରଙ୍କ ସହ ଆଲୋଚନା କରିଥିଲେ । ପରେ ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟ ସାଂସ୍କୃତିକ ସଂସଦର ୩୯ ତମ ବାର୍ଷିକୋତତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମହାତ୍ମ୍ୟ ଓ ଶିକ୍ଷାର ଉପଯୋଗିତା ବିଷୟରେ ଉପଦେଶ ଦେଇଥିଲେ । ଅପରାହ୍ନରେ ଶ୍ରୀ ସାମନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସମ୍ପର୍କରେ ପଚାରି ବୁଝିବା ସହ ଜିଲ୍ଲାର ବିକାଶ ନେଇ ଆଲୋଚନା କରିଥିଲେ ।

nis-ad
Leave A Reply

Your email address will not be published.