ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଆରମ୍ଭ ହେବାକୁ ଯାଉଛି | ଆଉ ବିଧାନସଭାରେ କେଉଁ ସବୁ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବ ସେନେଇ ବିଜେପିର ରଣନୀତି ପ୍ରସ୍ତୁତ କରାଯାଇଛି | ମଙ୍ଗଳବାର ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବ ବିଜେପି । ଏହାସହ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା , ଚାଷ ଓ ଚାଷୀଙ୍କ ସମସ୍ୟା, ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ଉପସ୍ଥାପନ କରିବ ବିଜେପି । ବଜେଟ ଅଧିବେଶନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବିଧାୟକ ଦଳ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି ।
ତାଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଦିଗରେ ବିଫଳ ହୋଇଛନ୍ତି । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସର୍ବସାଧାରଣରେ ହତ୍ୟା କରାଯିବା ଏହାର ଏକ ଜ୍ୱଳନ୍ତ ଉଦାହରଣ । ଦ୍ଵିତୀୟରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ସବୁ ସାମ୍ନାକୁ ଆସୁଛି, କିନ୍ତୁ ସରକାର ଏନେଇ କୌଣସି ଠୋସ ଉଦ୍ୟମ କରୁନାହାନ୍ତି । ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ମଧ୍ୟ ବିଜେପି କାଲି ସରକାରଙ୍କୁ ଘେରିବ ବୋଲି କହିଛନ୍ତି ମୋହନ ମାଝୀ ।
ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ବିଜୁଳି ଦରଦାମ ବୃଦ୍ଧି, ଚାଉଳ ପ୍ରସଙ୍ଗ, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ସହ ହକି ବିଶ୍ଵକପ ମହାଦୁର୍ନୀତି ଘଟଣା ସାମ୍ନାକୁ ଆଣିବ ବିଜେପି। ପ୍ରତି ପଞ୍ଚାୟତରେ ଟ୍ରଫି ବୁଲାଇବା ଏବଂ ଉତ୍ସବକୁ ନେଇ ଖର୍ଚ୍ଚ ହୋଇଥିବା ଟଙ୍କା ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଇବ | ଜଙ୍ଗଲ ନିଆଁ, ଜଙ୍ଗଲ ଜନ୍ତୁ ଶିକାର, ବେକାରୀ ସମସ୍ୟା, ମେକ ଇନ ଓଡିଶା ବିଫଳ ଭଳି ପ୍ରସଙ୍ଗକୁ ବିଧାନସଭା ରେ ଉପସ୍ଥାପନ କରିବ ବିଜେପି। ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ୍, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବହୁ ବିଧାୟକ ସାମିଲ ହୋଇଥିଲେ ।
ଏହାପୂର୍ବରୁ ସର୍ବଦଳୀୟ ବୈଠକ ହୋଇଥିଲା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ଅନୁଷ୍ଠିତ ବିଧାନସଭା ଅଧିବେଶନର ଭର୍ଚୁଆଲ ମୋଡକୁ ସର୍ବଦଳୀୟ ବୈଠକରେ ବିଜେପି ବିରୋଧ କରିଥିଲା । ଏହି କାରଣରୁ ସର୍ବଦଳୀୟ ବୈଠକକୁ ବିଜେପି ବର୍ଜନ କରିଥିଲା । ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ। ଆମେ ଏହା ଦାବି କଲୁ। ପାର୍ଲିଆମେଣ୍ଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲ ବ୍ୟବସ୍ଥା ନାହିଁ। ଓଡ଼ିଶା ବିଧାନସଭାରେ କାହିଁକି ସେଭଳି ବ୍ୟବସ୍ଥା ରହିବ?