ଟ୍ରାଫିକ ପରିଚାଳନା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଓ ଆଲୋକୀକରଣ ଆଦି ଉପରେ ବିଶେଷ ପଦକ୍ଷେପ
ସୁନ୍ଦରଗଡ଼/କୁଆଁରମୁଣ୍ଡା , ୧୭ ଫେବ୍ରୁଆରି ୨୦୨୩: ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିରାତ୍ରୀ ବଡ଼ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏନେଇ ବେଦ୍ୟାବସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାଶିବରାତ୍ରୀ ଉପଲକ୍ଷେ ବେଦବ୍ୟାସ ପୀଠରେ ଚାଲୁଥିବା ମେଳାକୁ ଏବର୍ଷ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମହାଶିବରାତ୍ରୀ ପାଇଁ ବେଦବ୍ୟାସ ପୀଠରେ ପ୍ରତିବର୍ଷ ୧୫ ଦିନ ଧରି ମେଳା ଆୟୋଜନ କରାଯାଉଥିଲା। ଚଳିତ ବର୍ଷ ଏହି ଅବଧିକୁ ଆଉ ଗୋଟିଏ ଦିନ ବଢ଼ାଯାଇ ୧୬ ଦିନ କରାଯାଇଛି। ଫେବ୍ରୁଆରି ୧୮ରୁ ଆରମ୍ଭ ହୋଇ ଏହି ମେଳା ମାର୍ଚ୍ଚ ୫ ତାରିଖ ଯାଏଁ ଚାଲିବ।
ମେଳାରେ ଟ୍ରାଫିକ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮ରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହ ୧୦୦ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ। ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ୫୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ କୁଇକ୍ ରେସପନ୍ସ ଟିମ୍ ଏବଂ ରବର ବୋର୍ଟ ମହଜୁଦ ରଖାଯିବ। ଏହି ମେଳାରେ ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯିବ।
ସେହିପରି ନଦୀ ଘାଟ ଏବଂ ବେଦବ୍ୟାସ ମନ୍ଦିର ନିକଟରେ ବ୍ୟାରିକେଡ୍ କରିବାକୁ ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେଳା ଚାଲିଥିବା ସମୟରେ ମନ୍ଦିରା ଡ୍ୟାମରୁ ବ୍ରାହ୍ମଣୀ ନଦୀକୁ ପାଣି ନଛାଡ଼ିବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି।
ବେଦବ୍ୟାସ ପୀଠରେ ହେବାକୁ ଥିବା ମେଳାରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ୱାଟକୋ ଏବଂ ରାଉରକେଲା ମହାନଗର ନିଗମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ ସେବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମେଳାରେ ଅସ୍ଥାୟୀ ଚିକିତ୍ସା ଶିବିର ସହ ଆମ୍ବୁଲାନ୍ସ ମହଜୁଦ୍ ରଖାଯିବ। ଏହାସହ ମେଳା ଏବଂ ମନ୍ଦିର ପରିସରକୁ ନିୟମିତ ସଫା ରଖିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ମେଳାରେ ଆଲୋକୀକରଣ, ବେଦବ୍ୟାସ ମନ୍ଦିରର ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ୱ ଦେବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼