ବିବିସି ଟିକସ ପ୍ରଦାନରେ ଅନିୟମିତତା ରହିଛି : ଆୟକର ବିଭାଗ

ନୂଆଦିଲ୍ଲୀ : ମୁମ୍ବାଇ ଓ ଦିଲ୍ଲୀସ୍ଥିତ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ଶେଷ ହେବା ପରେ ବିଭାଗ ପକ୍ଷରୁ କେତେକ ବଡ଼ ଦାବି କରାଯାଇଛି ।
ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ସର୍ଭେ ପରେ ଜଣାପଡ଼ିଛି ଯେ ଅନ୍ତର୍ଜାତୀୟ ଟିକସକୁ ନେଇ ବିବିସି କାର୍ଯ୍ୟାଳୟରେ କିଛି ଅନିୟମିତତା ରହିଛି । ଆୟକର ବିଭାଗ ଦିଲ୍ଲୀ ଓ ମୁମ୍ବାଇସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ଆଇନ ୧୩୩ଏ ଅଧୀନରେ ଏକ ସର୍ଭେ କରିଥିଲା । ସର୍ବେକ୍ଷଣ ବେଳେ ବିବିସି ଗ୍ରୁପ୍ କମ୍ ଆୟ ଦେଖାଇ ଟିକସ ସଞ୍ଚୟ କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ସର୍ବେକ୍ଷଣ ସମୟରେ ବିଭାଗ ପକ୍ଷରୁ ସଂଗଠନର ପରିଚାଳନା ସମ୍ବନ୍ଧୀୟ ପ୍ରମାଣ ସଂଗ୍ରହ କରାଯାଇଥିଲା । ମିଳିଥିବା ପ୍ରମାଣରୁ ସ୍ପଷ୍ଟ ଯେ ବିବିସିର ବିଦେଶୀ ୟୁନିଟ୍ ମାଧ୍ୟମରେ ଲାଭର ଅନେକ ଉତ୍ସ ଥିଲା, ଯାହା ଉପରେ ଭାରତରେ ଦେୟଯୋଗ୍ୟ ଟିକସ ପୈଠ କରାଯାଇ ନଥିଲା ।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦେଶରେ ଏବଂ ଦେଶରେ ଅନେକ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କର ଦେୟ ଭାରତୀୟ ୟୁନିଟ୍ ଦେଇଥିଲା, କିନ୍ତୁ ତାହା ଉପରେ ମଧ୍ୟ ଟିକସ ପୈଠ କରାଯାଇ ନଥିଲା। ବିବିସି କର୍ମଚାରୀଙ୍କ ବୟାନ, ଡିଜିଟାଲ ପ୍ରମାଣ ଏବଂ କାଗଜପତ୍ର ଆଧାରରେ ଏହି ସବୁ ଆର୍ଥିକ ଅନିୟମିତତା ପଦାକୁ ଆସିଛି। ଅର୍ଥ, ବିଷୟବସ୍ତୁ ବିକାଶ ଏବଂ ଉତ୍ପାଦନ ସହ ଜଡ଼ିତ ଉଚ୍ଚସ୍ତରୀୟ କର୍ମଚାରୀ, ଅଧିକାରୀ ଏବଂ କର୍ମଚାରୀମାନେ ଏହି ବୟାନ ରେକର୍ଡ କରିଛନ୍ତି ।

nis-ad
Leave A Reply

Your email address will not be published.