ଜିଲାରେ ୫୯,୪୪୪ ପିଲା ଖାଇବେ କୃମି ନାଶକ ବଟିକା…

ବ୍ରହ୍ମପୁର : ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ କୃମି ନାଶକ ଦିବସ ଶୁଭାରମ୍ଭ କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିକାଶ ସମିତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟଧିକାରୀ ସିଡିଏମଓ ଉମାଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ସେ କେତେଜଣ ଛାତ୍ରୀଙ୍କୁ କୃମି ନାଶକ ଔଷଧ ଆଲବେଣ୍ଡାଜଲ ଖୁଆଇଥିଲେ। ଜିଲାରେ ୫୯ ହଜାର ୪୪୪ ଜଣ ପିଲାଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ ବୋଲି ସେ କହିଥିଲେ।
ଏହି ଔଷଧ ଖାଇବା ଦ୍ୱାରା ରକ୍ତହୀନତା ନିୟନ୍ତ୍ରଣ, ଶିକ୍ଷା ଦକ୍ଷତା ବୃଦ୍ଧି ଓ ପୃଷ୍ଟିହୀନତାରୁ ରକ୍ଷା ଆଦିରେ ସହାୟକ ହେବ ବୋଲି ସିଡିଏମଓ କହିଥିଲେ। ପିଲାମାନଙ୍କ ସ୍ବାସ୍ଥ୍ୟ, ପୋଷଣ ସ୍ଥିତି, ଶିକ୍ଷା ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଜାତୀୟ କୃମିନାଶକ ଦିବସର ମୂଳ ଲକ୍ଷ୍ୟ। ଯେଉଁଁ ଛାତ୍ରୀଛାତ୍ରମାନେ ଶୁକ୍ରବାର ଏହି ଔଷଧ ଖାଇନାହାନ୍ତି, ସେମାନେ ଆସନ୍ତା ୧୮ ତାରିଖରେ ଖାଇପାରିବେ ବୋଲି ସିଡିଏମ୍‌ଓ ମିଶ୍ର ସୂଚନା ଦେଇଛନ୍ତି।
ସେହିପରି ଜିଲାରେ ୧ରୁ ୫ ବର୍ଷ ବୟସର ପିଲାମାନଙ୍କୁ କୃମିନାଶକ (ସିରପ) ଔଷଧ ଦିଆଯିବ ଓ ୬ରୁ ୧୯ବର୍ଷ ବୟସର ପିଲାମାନଙ୍କୁ ମଧ୍ୟ ଏହି କୃମିଔଷଧ (ବଟିକା) ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆଲବେଣ୍ଡାଜଲ ବଟିକା ଓ ସିରପର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ। ପିଲାମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ବୋଲି ସିଡିଏମ୍‌ଓ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ସହରାଞ୍ଚଳ ଜନ ସ୍ବାସ୍ଥ୍ୟଧିକାରୀ ମନୋଜ କୁମାର ପଣ୍ଡା, ଶିଶୁ କଲ୍ୟାଣ ଅଧିକାରୀ କ୍ରିଷ୍ଣା କୁମାରୀ ନନ୍ଦ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ମଞ୍ଜରୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.