ନୂଆଦିଲ୍ଲୀ : ତୁର୍କୀରେ ବଢୁଛି ଦୁଃଖ । ୨୪ ଟପିଲା ଭୂକମ୍ପ ମୃତ୍ୟୁ । ପାଖାପାଖି ଏକ ଲକ୍ଷ ଲୋକ ଆହତ ହୋଇଛନ୍ତି । ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି । ପଞ୍ଚମ ଦିନରେ ଚାଲିଛି ଅପରେସନ୍ ଆର୍ଥକ୍ୱେକ୍ । ସଂଘର୍ଷ କରୁଛନ୍ତି ଉଦ୍ଧାରକାରୀ ଟିମ୍ । ଧ୍ୱଂସାବଶେଷ ତଳୁ ଉଦ୍ଧାର ହେଉଛି ଜୀବନ । ପ୍ରତି ମୁହୂର୍ତ୍ତରେ ବଢୁଛି ମୃତ୍ୟୁସଂଖ୍ୟା । ଭଙ୍ଗା କୋଠା ତଳେ କେଉଁଠି ସାହାଯ୍ୟ ଅପେକ୍ଷାରେ ଜୀବନ ରହିଛି ତ କେଉଁଠି ମୃତଦେହ ପଡିରହିଛି। କେହି କେହି ଅଳ୍ପକେ ବର୍ତ୍ତିଯାଇଛନ୍ତି ହେଲେ ପରିବାରର ସମସ୍ତଙ୍କୁ ହରାଇଛନ୍ତି ।
ଏବେବି ବିଲ୍ଡିଂ ତଳେ ଚାପି ହୋଇ ରହିଛନ୍ତି ଲକ୍ଷାଧିକ ଲୋକ । ଉଦ୍ଧାର କାର୍ଯ୍ୟ ଯେତିକି ବଢୁଛି ସେତିକି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। କେଉଁଠି ବାପା-ଝିଅର ମୃତଦେହ ମିଳୁଛି ତ, ଆଉ କେଉଁଠି ମାଆର ମୃତଦେହ ପାଖରେ ବସିଛି ନବଜାତ । ଉଦ୍ଧାର କାର୍ଯ୍ୟ ଆହୁରି ଅନେକ ବାକି ଅଛି । ଉତ୍ତର ସିରିଆରେ ମାଇନସ ତଳେ ତାପମାତ୍ରା। ଅନ୍ୟପଟେ ଭୂକମ୍ପ ବିପର୍ଯ୍ୟୟ ଆଉ ଏକ ବିପର୍ଯ୍ୟାୟକୁ ହାତଠାରି ଡାକୁଛି। ପେଟରେ ଭୋକ ବଢ଼ୁଛି। ଲକ୍ଷଲକ୍ଷ ଲୋକଙ୍କ ମୁଣ୍ଡରେ ଛାତ ନାହିଁ। ଶୀତର ପ୍ରକୋପ ସହି ହେଉନି । ଘର ନଥିବାରୁ ଲୋକମାନେ ବିଯୁକ୍ତ ୨ ଡିଗ୍ରି ସେଲସିୟସ ତାପମାତ୍ରାରେ କାର୍ରେ ଏବଂ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହୋଇଛନ୍ତି । ହତୟରେ ବିମାନବନ୍ଦର ରନ୍ୱେ ଭୂକମ୍ପ ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ବିମାନ ଯୋଗେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି । ଦ୍ୱିତୀୟ ବିପର୍ଯ୍ୟୟ ଆଶଂକା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।
ସେପଟେ ଆଗକୁ ସିରିୟା ସ୍ଥିତି ଅଧିକ ଜଟିଳ ହୋଇଯିବା ଆଶଙ୍କା କରାଯାଉଛି। ସିରିୟାର କିଛି ଅଂଶରେ ଏବେ ବି ଅନ୍ତର୍ଜାତୀୟ ସହାୟତା ପହଞ୍ଚିପାରୁନି। ତୁର୍କୀ ସିରିୟାକୁ ସହାୟତା ପଠାଇଛି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ ତୁର୍କୀ ଏବଂ ସିରିୟା ଗସ୍ତରେ ଯାଇଛନ୍ତି। ଆମେରିକା ତୁର୍କୀ ଏବଂ ସିରିୟାକୁ ୮୫ ନିୟୁତ ଡଲାର ମାନବୀୟ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଥିବା ବେଳେ ବିଶ୍ବ ବ୍ୟାଙ୍କ ତୁର୍କୀକୁ ୧.୭୮ ବିଲିଅନ ଡଲାର ସହାୟତା ପ୍ରଦାନ ଘୋଷଣା କରିଛି।