ଦାଉଦି ବୋହରା ସଂପ୍ରଦାୟ ଲୋକଙ୍କ ମଧ୍ୟରେ ପହଞ୍ଚିଲେ ମୋଦୀ…

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅନ୍ୟତମ ପ୍ରଭାବଶାଳୀ ମୁସଲିମ ସମ୍ପ୍ରଦାୟ ଦାଉଦି ବୋହରା ମୁସଲମାନମାନଙ୍କର ଏକ ଶିକ୍ଷାନୁଷ୍ଠାନର ନୂତନ କ୍ୟାମ୍ପସ ଉଦଘାଟନ କରିଛନ୍ତି । ମୁମ୍ବାଇର ଗୁରୁତ୍ବପୂର୍ଣ୍ଣ ନଗର ନିଗମ ନିର୍ବାଚନ ପୂର୍ବରୁ ମୋଦୀ ଦାଉଦି ବୋହରା ସଂପ୍ରଦାୟକୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି । କାରଣ ମୁମ୍ବାଇରେ ଏହି ସଂପ୍ରଦାୟରେ ଅନେକ ପ୍ରଭାବ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାରଦିନ ଅନ୍ଧେରୀର ମାରୋଲରେ ଅବସ୍ଥିତ ଦାଉଦି ବୋହରା ସମ୍ପ୍ରଦାୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଅଲଜ୍ମିଆ-ତୁସ୍-ସୈଫିୟା (ସୈଫି ଏକାଡେମୀ)ର ନୂତନ ପରିସରକୁ ଉଦଘାଟନ କରିବା ପରେ ସେଠାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି ଅନୁଷ୍ଠାନ ଦାଉଦି ବୋହରା ସମ୍ପ୍ରଦାୟର ଶିକ୍ଷା ପରମ୍ପରା ଏବଂ ସାହିତ୍ୟ ସଂସ୍କୃତିର ସଂରକ୍ଷଣ ପାଇଁ କାର୍ଯ୍ୟ କରେ । ଏହି ନୂଆ କେନ୍ଦ୍ରରେ ଆରବୀ ଭାଷା ପଢ଼ାଯିବ।
ଏକ ମାସରୁ କମ୍ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଦ୍ୱିତୀୟ ସହର ଗସ୍ତ, ଯେଉଁଥିରେ ଏହି କାର୍ଯ୍ୟକ୍ରମ ମଧ୍ୟ ସାମିଲ ଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଗତ ଜାନୁଆରୀ ୧୯ ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୩୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ।
ଦେଶର ସବୁଠାରୁ ଧନୀ ପୌର ସଂସ୍ଥା ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁମ୍ବାଇ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବିଏମସି ଏବେ ଶିବସେନା ( ଉଦ୍ଧବ ଗୋଷ୍ଠୀ)ଙ୍କ କବଜାରେ ଥିବାବେଳେ ଏଥର ପ୍ରଥମ ଥର ପାଇଁ ଶିବସେନା (ସିନ୍ଦେ ଗୋଷ୍ଠୀ) ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢିବେ ।

nis-ad
Leave A Reply

Your email address will not be published.