ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏତଲା ରଖୁଛି ପୋଲିସ: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ହାଇକୋର୍ଟ ହସ୍ତକ୍ଷେପ ନକଲେ ପୋଲିସ ଏତଲା ରଖୁନି । ରାଜ୍ୟରେ ପୋଲିସ ବିଭାଗ ବଲଗାମ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ବେସାହାରା ହୋଇ ପଡ଼ିଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ । ସେ ଆହୁରି କହିଛନ୍ତି, ପ୍ରତ୍ୟେକ ଦିନ ହତ୍ୟା, ଲୁଟ୍‌ତରାଜ୍‌, ଦୁଷ୍କର୍ମ ଆଦି ଘଟୁଛି । ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ପୋଲିସର ଅସଲମୁଖା ଖୋଲିବାର ଦିନ କେଇଟା ଭିତରେ ଦିନ ଦ୍ୱିପ୍ରହରରେ ଦାୟିତ୍ୱରେ ଥିବା ପୋଲିସ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରିବା ନିଶ୍ଚିତ ଚିନ୍ତାଜନକ ବିଷୟ ।

ବିଜେଡି ଇଙ୍ଗିତରେ ଓଡିଶା ପୋଲିସ କାର୍ଯ୍ୟ କରୁଥିବାରୁ ରାଜ୍ୟର ପୋଲିସ ଉପରେ ମହିଳା, କୃଷକ, ଦଳିତ, ବଂଚିତ ଆଦିବାସୀ ଆଉ ବିଶ୍ୱାସ କରୁନାହାନ୍ତି । କାହା ଇଙ୍ଗିତରେ ଓଡ଼ିଶା ପୋଲିସ କାର୍ଯ୍ୟ କରୁଛି ତାହା ଓଡ଼ିଶାବାସୀଙ୍କୁ ସ୍ପଷ୍ଟ ଜଣା ବୋଲି କହିଛନ୍ତି ସୋନାଲି । ପୋଲିସ ସାଧାରଣ ଲୋକଙ୍କ ମାମଲା ରଖୁନାହିଁ । ଏବେ ରାଜ୍ୟରେ ଏକ ନୂଆ ଓ ବିରଳ କଥା ଦେଖିବାକୁ ମିଳୁଛି । ଯେପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ଦେଉନାହାନ୍ତି ସେପର୍ଯ୍ୟନ୍ତ ପୋଲିସ ଏଫଆଇଆର ରଖୁନାହିଁ ନାହିଁ ବୋଲି ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ସାହୁ କହିଛନ୍ତି ଯେ, ମାହାଙ୍ଗା ମର୍ଡର କେସ୍‌ରେ ସଂପୃକ୍ତର ସନ୍ଦେହ କରାଯାଉଥିବା ସେତେବେଳର ମନ୍ତ୍ରୀଙ୍କ ନାଁରେ ଏଫଆଇଆରକୁ ପୋଲିସ ରଖୁ ନଥିଲା । କୁଳମଣି ବରାଳଙ୍କର ପରିବାରର ଅଭିଯୋଗ କ୍ରମେ ଅଗଷ୍ଟ ୨୫, ୨୦୨୧ରେ ସାଲେପୁର କୋର୍ଟ ପୋଲିସକୁ ପୁନଃତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖାଲି ସେତିକି ନୁହେଁ କୋର୍ଟ ପ୍ରତାପ ଜେନାଙ୍କ କଲ୍ ଡିଟେଲ୍ସ ମାଗିଥିଲେ ମଧ୍ୟ ପୋଲିସ ଦେଇନଥିଲା ।

ସେହିପରି ଆନନ୍ଦ ଟୋପୋଙ୍କ ମୃତ୍ୟୁ ନେଇ ଗତ ଡିସେମ୍ବର ୬ତାରିଖରେ ଓଡ଼ିଶାର ମାନ୍ୟବର ହାଇକୋର୍ଟ ମାମଲା ରୁଜୁ ନକରିବା ନେଇ ପୋଲିସ ଉପରେ କଡା ଟିପ୍ପଣୀ ଦେଇଛନ୍ତି । ଖାଲି ସେତିକି ନୁହେଁ ଜଣେ ଝିଅ ଶାସକ ଦଳର ବିଧାୟକଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଶିକାର ହୋଇ ମାମଲା ରୁଜୁ କରିଥିଲେ ମଧ୍ୟ ପୋଲିସ ରଖିନଥିଲା । ଶେଷରେ ମାନ୍ୟବର ହାଇକୋର୍ଟ ଗତ ୩ତାରିଖରେ ଶାସକ ଦଳର ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.