ହେପାଜତରେ ଥିବା ମହିଳା ବନ୍ଦୀ କିମ୍ବା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନ୍ୟାୟିକ କିମ୍ବା ପୁଲିସ ହେପାଜତରେ ଥିବା ଜଣେ ମହିଳା ବନ୍ଦୀ କିମ୍ବା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ କେରଳରେ ୧୯୯୨ ମସିହାରେ ସିଷ୍ଟର ଅଭୟାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସିଷ୍ଟର ସେଫିଙ୍କ କୁମାରୀତ୍ୱ ପରୀକ୍ଷାକୁ ଅସାମ୍ବିଧାନିକ ବୋଲି ରାୟ ଦେଇଛନ୍ତି। ଏଥିସହ ଅଦାଲତ କହିଛନ୍ତି, ନ୍ୟାୟିକ କିମ୍ବା ପୁଲିସ ହେପାଜତରେ ଥିବା ଥିବା ବ୍ୟକ୍ତିଙ୍କ ମୌଳିକ ମର୍ଯ୍ୟାଦାକୁ ବଜାୟ ରଖିବାକୁ ପଡ଼ିବ; ଯାହାକୁ ଏହି ମାମଲାରେ ଉଲ୍ଲଂଘନ କରାଯାଇଛି।
ସଂପ୍ରତି ବିଚାରାଧୀନ ଥିବା ଅପରାଧିକ ମାମଲା ଶେଷ ହେବା ପରେ ସିଷ୍ଟର ସେଫିଙ୍କୁ ତାଙ୍କ ମାନବିକ ଅଧିକାରର ହନନ ପାଇଁ କ୍ଷତିପୂରଣ ମାଗିବାକୁ ଜଷ୍ଟିସ ଶର୍ମା ସ୍ୱାଧୀନତା ପ୍ରଦାନ କରିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସିଷ୍ଟର ଅଭୟାଙ୍କ ମୃତଦେହ ଉଦ୍ଧାର ୧୯୯୨ ମସିହା ମାର୍ଚ୍ଚ ୨୭ ତାରିଖରେ କେରଳର କୋଟ୍ଟାୟମ ଜିଲ୍ଲାର ସେଣ୍ଟ ପିଉସ୍‌ କନଭେଣ୍ଟର ଏକ କୂଅ ମଧ୍ୟରୁ ଉଦ୍ଧାର କରା ଯାଇଥିଲା। ସେତେବେଳେ ସ୍ଥାନୀୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଥିଲେ।
ତେବେ, ୧୯୯୩ ମସିହାରେ ସିବିଆଇ ଏହି ମାମଲାର ତଦନ୍ତ ନିଜ ହାତକୁ ନେଇଥିଲା ଯେତେବେଳେ ଅଭୟା ଯେଉଁ କନ୍ନାୟା କ୍ୟାଥୋଲିକ ଚର୍ଚ୍ଚର ସଦସ୍ୟା ଥିଲେ, ସେଠାରେ ଅନ୍ୟତମ ସିଷ୍ଟର ଥିବା ବାନିକାସିଆ, ମଦର ସୁପିରିୟର ଏବଂ ଅନ୍ୟ ୬୭ ଜଣ ନନ୍‌ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ କରୁଣାକରନଙ୍କୁ ଚିଠି ଲେଖି ଏହି ଘଟଣାର ତଦନ୍ତ ଠିକ୍‌ ଭାବେ ହୋଇ ନଥିବା ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଯାହାପାରେ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଥିଲା।
୨୦୦୯ରେ ସିବିଆଇ ନିଜ ଚାର୍ଜସିଟ୍‌ରେ କହିଥିଲା ଯେ ମୃତା ସିଷ୍ଟର ଅଭୟା, ସିଷ୍ଟର ସେଫି, ଫାଦର କୋଟ୍‌ତୁର ଏବଂ ତୃତୀୟ ଅଭିଯୁକ୍ତ ଫାଦର ଜୋସ୍‌ ପୁଥ୍ରିକ୍କାୟିଲଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଡିସେମ୍ବର ୨୦୨୦ରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଏହି ରାୟକୁ ନିଶ୍ଚିତ କରି କହିଥିଲେ ଯେ ସିଷ୍ଟର ସେଫି ଏବଂ ଫାଦର କୋଟ୍‌ତୁର ପୀଡ଼ିତା ଅଭୟାଙ୍କ ମୁଣ୍ଡରେ ମାରଣାନ୍ତକ ଆଘାତ ଦେଇଥିଲେ, ଯାହା ଫଳରେ ଅଭୟାଙ୍କର ମୃତ୍ୟୁ ଘଟିଥିଲା।
ସ୍ୱତନ୍ତ୍ର ସିବିଆଇ ଅଦାଲତ ସିଷ୍ଟର ସେଫି ଏବଂ ଫାଦର କୋଟତୁରଙ୍କୁ ଅଭୟାଙ୍କ ହତ୍ୟାକାରୀ ଭାବେ ଦୋଷୀ ସାବ୍ୟସ୍ତ କରି ଆଇପିସିର ଧାରା ଅନୁଯାୟୀ ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ, ଗତ ବର୍ଷ ଜୁନ୍‌ ମାସରେ କେରଳ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିବା ସହ ଦୋଷୀମାନଙ୍କୁ ଜାମିନ ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.