ନିଃସହାୟ ବୃଦ୍ଧଙ୍କୁ ଫେରାଇଦେଲେ ବ୍ରହ୍ମପୁର ବଡ଼ ମେଡିକାଲ କର୍ତ୍ତୃପକ୍ଷ…

ଗଞ୍ଜାମ// ଛତ୍ରପୁର : ଗରିବ ଓ ଅସହାୟମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏସବୁ ଯୋଜନାର ସୁଫଳ ପ୍ରକୃତ ଗରିବ ଲୋକ ପାଇବାରୁ ବଞ୍ôଚତ ହେଉଛନ୍ତି । ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ଭୋଗଡା ଗ୍ରାମରେ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୩ ମାସ ହେଲା ଅସହାୟ ଅବସ୍ଥାରେ ପଡି ରହିଛନ୍ତି ଭୋଗଡା ଗ୍ରାମର ସୁଦାମ ମହାରଣା ।
ସୁଦାମଙ୍କ ବୟସ ୭୨ ହେଲାଣି । ଦିନେ ସେ ବଢ଼େଇ କାମ କରି ରୋଜଗାର କରି ଗୁଜରାଣ ମେଣ୍ଟାଉଥିଲେ । କିନ୍ତୁ ଆଜି କାହାରି ସାହାଯ୍ୟ ନ ପାଇ ସେ ଅସହାୟ ହୋଇପଡିଛନ୍ତି । ଗୋଟିଏ ପମ୍ପ ଘରର ଖୋଲା ଛାତ ତଳେ କଟୁଛି ସୁଦାମଙ୍କ ଦିନ । ସେ ଚାଲିବା ତ ଦୂରର କଥା ଠିକ ଭାବରେ ବସି ମଧ୍ୟ ପାରୁନାହାନ୍ତି । ପାଟିରୁ ଠିକ୍ ଭାବେ କଥା ମଧ୍ୟ ବାହାରୁନି । ପୁଅ, ଝିଅ କେହି ନାହାନ୍ତି । ୪ ବର୍ଷ ତଳେ ସ୍ତ୍ରୀଙ୍କ ଦେହାନ୍ତ ପରେ ଏକା ହୋଇ ପଡ଼ିଥିଲେ ବୃଦ୍ଧ ସୁଦାମ । ଏବେ ଆହା ପଦେ କହିବାକୁ ମଧ୍ୟ ପାଖରେ କେହି ନାହାନ୍ତି । ଦେହ ଅସୁସ୍ଥ ହେବା ପରେ ଚିକିତ୍ସା କରିବା ପାଇଁ ଯେଉଁ ଘର ଖଣ୍ଡେ ଥିଲା ତାକୁ ବିକ୍ରି କରିଦେଲେ । ହେଲେ ଘର କିଣି ଥିବା ଲୋକ ଏ ପର୍ଯ୍ୟନ୍ତ ସବୁ ଟଙ୍କା ଦେଇନି । ଏବେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି ନିଜର ଚିକିତ୍ସା କରାଇବା ପାଇଁ ପାଖରେ ପଇସା ନାହିଁ । ଫଳରେ ପ୍ରାୟ ୩ ମାସ ହେଲା ଗାଁ ସ୍କୁଲ ନିକଟରେ ଥିବା ଏକ ପାଣି ପମ୍ପ ଗୃହର ଖୋଲା ଛାତ ତଳେ ଶୀତ କାକରରେ କଟୁଛି ଦିନ ।
ଡାଇବେଟିସ୍ ଯୋଗୁଁ ତାଙ୍କ ବାମ ଗୋଡ଼ଟି ପଚିଯାଇ ନଷ୍ଟ ହେବାକୁ ବସିଲାଣି । ଅପରେସନ୍ କଲେ ଠିକ୍ ହୋଇପାରେ, ହେଲେ ଖାଇବାକୁ ଟଙ୍କାଟିଏ ନାହିଁ । ଆଉ ଦେହ ପାଇଁ ଔଷଧ କିଣିବେ କେଉଁଠୁ । ଦୟା କରି କିଏ ଭାତ ମୁଠେ କି ବିସ୍କୁଟ ଖଣ୍ଡେ ଦେଲେ ସେଥିରେ ଭୋକ ମେଣ୍ଟୁଛି । ନ ହେଲେ ସେମିତି ଭୋକ ଉପାସରେ ପଡି ରହୁଛନ୍ତି । ସରକାରଙ୍କ ଯେଉଁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା ତାହା ମଧ୍ୟ କିଛି ମାସ ହେଲା ବନ୍ଦ ହୋଇ ଯାଇଥିବା କହିଛନ୍ତି । ଗ୍ରାମର ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଗୋଲକ ସାହୁ ଅଧିକାଂଶ ସମୟରେ ତାଙ୍କୁ ଖାଇବାକୁ ଦେଉଥିବା ସେ କହିଛନ୍ତି । ଗୋଲକଙ୍କ ସହଯୋଗରେ ୩ ଦିନ ତଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା । ହେଲେ ସୁଦାମଙ୍କ କେହି ନଥିବା ଜାଣି ବଡ଼ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ରଖିଲେନି ।
ସେଇ ଆମ୍ବୁଲାନ୍ସରେ ହିଁ ଗାଁକୁ ଫେରାଇ ଦେଲେ । ଫଳରେ ସରକାରୀ ମେଡିକାଲ କାହା ପାଇଁ ହୋଇଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ଅସହାୟ ଗରିବ ଲୋକଙ୍କୁ ସରକାରୀ ମେଡିକାଲ ଫେରାଇ ଦେବ ତାହା ହେଲେ ସେମାନେ କେଉଁଠି ଚିକିତ୍ସା ହେବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରି ଲୋକଙ୍କୁ ସହାୟତା କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଖୋଦ ସରକାରୀ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଫେରାଇ ଦେବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଅସୁସ୍ଥ ସୁଦାମଙ୍କୁ ସରକାର ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ସହ ସ୍ଥାୟୀ ଥଇଥାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

nis-ad
Leave A Reply

Your email address will not be published.