ଗଞ୍ଜାମରେ ୧୩ ହସ୍ପିଟାଲର ରୂପ ବଦଳିବ…

ବ୍ରହ୍ମପୁର : ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୫-ଟି ଆଧାରରେ ୧୩ ହସ୍ପିଟାଲର ରୁପାନ୍ତରୀକରଣ ଲାଗି ଚୂଡାନ୍ତ ହୋଇଛି । ଜିଲାରେ ଥିବା ୧୩ ବିଧାନସଭା ନିର୍ବାଚମଣ୍ଡଳୀରେ ଗୋଟିଏ ଲେଖାଏ ହସ୍ପିଟାଲକୁ ଏଥିରେ ସାମିଲ କରାଯିବ। ସେଥିମଧ୍ୟରେ ବ୍ରହ୍ମପୁରର ସିଟି ହସ୍ପିଟାଲ (ଜିଲା ହେଡକ୍ୱାର୍ଟର ହସ୍ପିଟାଲ), ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ଏବଂ କୋଦଳା, ପୋଲସରା, ଖଲ୍ଲିକୋଟ, କେଳୁଆପଲ୍ଳୀ, ଆଡପଡା, ଚିକିଟି, ସୋରଡା ଓ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଏସବୁ ହସ୍ପିଟାଲ ରୁପାନ୍ତରୀକରଣ ଲାଗି ୭୭ କୋଟି ୪୯ ଲକ୍ଷ ୧୨ ହଜାର ଟଙ୍କା ଖର୍ଚ୍ଚ ହେବ ା ଏ ନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ପକ୍ଷରୁ ଏକ ଆକ୍ସନ ପ୍ଲାନ୍‌ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ସଚିବଙ୍କୁ ପଠାଯାଇଥିବା ସୂଚନା ମିଳିଛି ା ଏଥିସହ ରୁପାନ୍ତରୀକରଣ କାର୍ଯ୍ୟ ପାଇଁ ଆର୍କିଟେକ୍‌ମାନଙ୍କ ସହାୟତା ନିଆଯାଇଛି । ୭ ତାରିଖ ସୁଦ୍ଧା ଆର୍କିଟେକର ବିସ୍ତୃତ ତଥା ଚୂଡାନ୍ତ ରିପୋର୍ଟ ଦାଖଲ ହେବ ।
ମିଳିଥିବା ସୂଚନା ଅନୁସାରେ ସିଟି ହସ୍ପିଟାଲ ଲାଗି ୧୧.୨୪ କୋଟି, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପାଇଁ ୬.୧୨ କୋଟି, ଛତ୍ରପୁର ପାଇଁ ୮.୨୭ କୋଟି, ହିଞ୍ଜିଳି ପାଇଁ ୫.୫୩ କୋଟି, ଆସିକା ପାଇଁ ୭.୬୨ କୋଟି, ପୋଲସରା ସିଏଚସି ପାଇଁ ୪.୦୭ କୋଟି, କୋଦଳା ପାଇଁ ୪.୦୯ କୋଟି, ଖଲ୍ଲିକୋଟ ପାଇଁ ୪.୨୩ କୋଟି, କେଲୁଆପଲ୍ଳୀ ପାଇଁ ୪.୭୭ କୋଟି, ଆଡପଡା ପାଇଁ ୬.୨୬ କୋଟି, ଚିକିଟି ପାଇଁ ୫.୪୫ କୋଟି, ସୋରଡା ପାଇଁ ୪.୭୧ କୋଟି ଏବଂ ଦିଗପହଣ୍ଡି ସିଏଚସି ପାଇଁ ୫.୦୬ କୋଟି ଖର୍ଚ୍ଚ ହେବ । ହସ୍ପିଟାଲକୁ କୌଣସି ରୋଗୀ ଆସିଲେ ଯେପରି ସନ୍ତୋଷ ବ୍ୟକ୍ତ କରି ଫେରିବ ଏବଂ ଏହାକୁ ପ୍ରାଥମିକତା ଦେଇ ୫-ଟି ରୁପାନ୍ତରୀକରଣର ଉଦ୍ଦେଶ୍ୟ ବୋଲି କୁହାଯାଇଛି ା ରୁପାନ୍ତରୀକରଣ ହେବାକୁ ଥିବା ହସ୍ପିଟାଲ ଗୁଡିକର ଭିତ୍ତିଭୂମି ସୁଦୃଢ ସହ କୋଠାର ଉନ୍ନତୀକରଣ, ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଆଦି ଷ୍ଟାଫ୍‌ ସଂଖ୍ୟା ବୃଦ୍ଧି, ପାଇଖାନା, ପାନୀୟଜଳ, ପରିମଳ ସହ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଦୃଢ କରାଯିବ ।

nis-ad
Leave A Reply

Your email address will not be published.