ହାଇକୋର୍ଟରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଆବେଦନ ଖାରଜ

କଟକ: ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସିସୋର ଚିଟ୍‌ଫଣ୍ଡ ଘଟଣାକୁ ନେଇ ତାଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ଶ୍ରୀ ଜେନା ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରି ଶ୍ରୀ ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଶ୍ରୀ ଜେନାଙ୍କ ବିରୋଧରେ ନିମ୍ନ ଅଦାଲତରେ ସିବିଆଇ ମାମଲାର ଶୁଣାଣି ଚାଲିବ ବୋଲି ସ୍ପଷ୍ଟ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ସିସୋର୍‌ ଚିଟ୍‌ଫଣ୍ଡ ମାମଲାରେ ୨୦୧୭, ଜାନୁଆରି ୧୨ ତାରିଖ ଦିନ ସିବିଆଇ ନିକଟରେ ହାଜର ହେବା ପାଇଁ ଶ୍ରୀ ଜେନାଙ୍କୁ ନୋଟିସ ଜାରି କରାଯାଇଥିଲା। ସେହିଦିନ ସକାଳୁ ସିବିଆଇ ଟିମ୍‌ ଶ୍ରୀ ଜେନାଙ୍କ ବାଲେଶ୍ବର ମାନସିଂହ ବଜାର ଘର, ଓଟି ରୋଡରେ ଥିବା ଘର, କାର୍ଯ୍ୟାଳୟ ଓ ତାଙ୍କ ତିନି ଘନିଷ୍ଠ ସହଯୋଗୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢଉ କରିଥିଲା।

ସିସୋର ସହିତ ହୋଇଥିବା କାରବାର ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ସିବିଆଇକୁ ଦେଇ ପାରିନଥିଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ସିସୋର ସହିତ ହୋଇଥିବା କାରବାର ସଂପର୍କରେ ପୂର୍ବରୁ ସେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ଶ୍ରୀ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ୨୦୧୯, ଜାନୁଆରି ୨୯ରେ ଶ୍ରୀ ଜେନାଙ୍କୁ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଥିଲେ। ଅନ୍ୟପକ୍ଷରେ ଶ୍ରୀ ଜେନାଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ସିସୋର ମାମଲାରେ ଶ୍ରୀ ଜେନାଙ୍କ ସଂପୃକ୍ତି ନେଇ ପ୍ରମାଣ ରହିଥିବା ସିବିଆଇ ଚାର୍ଜସିଟରେ ଦର୍ଶାଇଥିଲା। ଏହାପରେ ୨୦୨୨ରେ ଶ୍ରୀ ଜେନା ନିମ୍ନ ଅଦାଲତରେ ବିଚାରାଧୀନ ସିବିଆଇ ମାମଲା ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୨, ଡିସେମ୍ବର ୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସିବିଆଇ ତରଫରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିଲେ।

nis-ad
Leave A Reply

Your email address will not be published.