ନବ ଦାସ ହତ୍ୟା ମାମଲା : ଗୋପାଳର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚକଲା ଏସ୍‌ସିବି ଟିମ୍…

ଭୁବନେଶ୍ୱର : କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକଲା ଗୋପାଳକୃଷ୍ଣ ଦାସ ? ଏହି ପ୍ରଶ୍ନର ସେ ସିଧା ଉତ୍ତର ଦେଉନାହାନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତର ସପ୍ତମ ଦିନରେ ରବିବାର ଗୋପାଳଙ୍କର ମାନସିକ ସ୍ଥିତିର ଯାଞ୍ଚ କରିଛି ବିଶେଷଜ୍ଞ ଟିମ୍ । କାରଣ ଗୋପାଳ ବାଇପୋଲାର ଡିଜିଜ୍‌ର ଶିକାର ହୋଇଥିଲେ ଏବଂ ସେଥିପାଇଁ ଔଷଧ ଖାଉଥିଲେ ବୋଲି ଗୋପାଳଙ୍କ ପତ୍ନୀ ଏବଂ ଡାକ୍ତର କହିଥିଲେ । ତେଣୁ ଝାରସୁଗୁଡ଼ା ସ୍ଥିତ ସେକେଣ୍ଡ ବାଟାଲିୟନରେ ଗୋପାଳକୁ ରଖି ରବିବାର ଦିନତମାମ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି ଏସ୍‌ସିବିର ୪ ଜଣିଆ ଡାକ୍ତରୀ ଟିମ୍ । ସେହିପରି ଅଭିଯୁକ୍ତ ନିକଟରୁ ସତ ଜାଣିବାକୁ ଲେୟାରଡ୍ ଭଏସ୍ ଆନାଲିସିସ-ଏଲ୍‌ଭିଏ ପରୀକ୍ଷା କରାଯାଇଛି ।

ଇସ୍ରାଏଲ୍ ଟେକନିକ୍ ଦ୍ୱାରା ହେଉଥିବା ପରୀକ୍ଷା ବେଳେ ଦେଖାଯାଏ, ଅଭିଯୁକ୍ତ ଘଟଣା ସମ୍ପର୍କରେ ବୟାନ ଦେବାବେଳେ ସ୍ୱରରେ କେଉଁ ସବୁ ପରିବର୍ତ୍ତନ ଘଟୁଛି? ତଦନ୍ତ ଅଧିକାରୀ କିମ୍ବା ଫରେନସିକ ଏକ୍ସପର୍ଟଙ୍କ ଦ୍ୱାରା ପ୍ରଶ୍ନ ପଚରାଯିବାବେଳେ ଅଭିଯୁକ୍ତ ଇମୋସନାଲ ହେଉଛି ନା ନାହିଁ? ବିଶ୍ଲେଷଣ ପରେ ସେସବୁର ସ୍ପଷ୍ଟତା ଆସେ । ସେହିପରି ଗୋପାଳର ବ୍ୟକ୍ତିତ୍ୱ, ବ୍ୟାବହାରିକ ଶୈଳୀ ଜାଣିବା ପାଇଁ କେନ୍ଦ୍ରରୁ ଆସିଥିବା ସିଏଫଏସ୍‌ଏଲ ଟିମ୍ ଫରେନସିକ୍ ସାଇକୋଲଜିକାଲ ଆସେସ୍‌ମେଣ୍ଟ କରିଥିବା କୁହାଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ଆସିଥିବା ଗୋପାଳର ରବିବାର ଥିଲା ପ୍ରଥମ ଦିନ । ପ୍ରଥମ ପର୍ଯ୍ୟାୟରେ ବି ୪ ଦିନ ରିମାଣ୍ଡରେ ନେଇ ହତ୍ୟାକାଣ୍ଡ ସମ୍ପର୍କରେ ବହୁ ତଥ୍ୟ ଆଦାୟ କରିଥିଲା କ୍ରାଇମ୍‌ବ୍ରାଞ୍ଚ ।

କିନ୍ତୁ କାହିଁକି ସଂଘଟିତ ହେଲା ଅପରାଧ ଗୋପାଳ ଯଦି ନିଜେ ହତ୍ୟାକାଣ୍ଡ ଭିଆଇଛନ୍ତି; ତା’ପଛର କାରଣ କ’ଣ? ମାନସିକ ସମସ୍ୟା, ପୂର୍ବଶତ୍ରୁତା, କୋଇଲା ଲିଙ୍କ୍ ନା ଟପ୍ ଲେବେଲରେ ଷଡ଼ଯନ୍ତ୍ର? ଏ ସମ୍ପର୍କରେ ତଦନ୍ତକାରୀ ସଂସ୍ଥାକୁ ଗୋପାଳ କେତେ ସତ କହୁଛି? କାହିଁକି ସପ୍ତାହେ ପରେ ବି ସତ ସାମ୍ନାକୁ ଆସିପାରୁନାହିଁ । ଏହାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଥିବାବେଳେ ୫ଦିନ ଧରି ବ୍ରହ୍ମପୁରରେ ଡେରା ପକାଇବା ସହ ଗୋପାଳର ପରିବାର ଓ ସମ୍ପର୍କୀୟଙ୍କଠୁ ତଥ୍ୟ ଆଦାୟ କରିଥିବା କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ଟିମ୍ ରବିବାର ଫେରିଆସିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି ଟିମ୍ । ଗୋପାଳର ୪ଟି ବ୍ୟାଙ୍କ୍ ଆକାଉଣ୍ଟ ଠାବ କରାଯାଇଛି । ଏଥିରେ ଦୁଇଟି ଲୋନ୍ ଆକାଉଣ୍ଟ ରହିଛି ।

ସେହିପରି ତାଙ୍କ ଭାଇଙ୍କର ୩ଟି ଆକାଉଣ୍ଟ ଏବଂ ଗୋପାଳ ପତ୍ନୀଙ୍କ ନାମରେ ଗୋଟିଏ ବ୍ୟାଙ୍କ୍ ଆକାଉଣ୍ଟ ରହିଛି । ଗୋପାଳଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରହିଥିବା ତଦନ୍ତକାରୀ ଟିମ୍ ଯାଞ୍ଚ ବେଳେ ଜାଣିବାକୁ ପାଇଛି । ହେଲେ ଗୋପାଳ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ସେଭଳି ବଡ଼ ଟ୍ରାଞ୍ଜାକ୍‌ସନ୍ କରିନଥିବା ସ୍ପଷ୍ଟହୋଇଛି । ଗୋପାଳ ସ୍ଥାନୀୟ ବ୍ୟାଙ୍କ୍‌ରୁ ଲୋନ୍ ମଧ୍ୟ କରିଥିବା ଜଣାପଡ଼ିଛି । ତେଣୁ ଆକାଉଣ୍ଟରୁ କ୍ରାଇମ୍‌ବ୍ରାଞ୍ଚ ସେଭଳି କିଛି ତଥ୍ୟ ପାଇନାହିଁ । ବ୍ରହ୍ମପୁର ଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ନେତୃତ୍ୱ ନେଇଥିବା ଡିଏସ୍‌ପି ଶିଶିର ମିଶ୍ର କହିଛନ୍ତି ଯେ ବ୍ରହ୍ମପୁର ଏବଂ ଝାଡ଼ସୁଗୁଡାରୁ ମିଳିଥିବା ଦସ୍ତାବିଜ୍ ଓ ଅନ୍ୟାନ୍ୟ ପ୍ରମାଣକୁ ଆନାଲିସିସ୍ କରାଯିବ । ଏହାପରେ ଉଚ୍ଚ ଅଧିକାରୀ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢ଼ାଇବେ ।

nis-ad
Leave A Reply

Your email address will not be published.