ଜାତିପ୍ରଥାକୁ କିଛି ବ୍ରାହ୍ମଣ ତିଆରି କରିଛନ୍ତି: ମୋହନ ଭାଗବତ…

ନୂଆଦିଲ୍ଲୀ : ଜାତିପ୍ରଥାକୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ବୟାନ ବିତର୍କଘେରାକୁ ଟାଣିଛି। ଆରଏସସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଇଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଶାସ୍ତ୍ର ଆଧାରରେ କିଛି ପଣ୍ଡିତ ଓ ବ୍ରାହ୍ମଣମାନେ ଜାତିପ୍ରପ୍ରଥା ତିଆରି କରିଛନ୍ତି। ଯାହା ସମ୍ପୂର୍ଣ୍ଣ ମିଥ୍ୟା। ବିଭିନ୍ନ ଆଧାରରେ ନାମ ଏବଂ ସନ୍ମାନ ପ୍ରଦାନ କରି ତିଆରି ହୋଇଥିବା ଜାତିପ୍ରଥା ସମ୍ପୂର୍ଣ୍ଣ ଭୁଲ। ସମାଜର କୌଣସି ପାର୍ଥକ୍ୟ ନାହିଁ, ଦେଶରେ ସମସ୍ତେ ସମାନ। ଜାତିପ୍ରଥାକୁ ନେଇ ଦେଶରେ ଏକ ପ୍ରକାର ଭ୍ରମାତ୍ମକ ବାର୍ତ୍ତା ପ୍ରସାରଣ କରାଯାଉଛି। ଏହି ଜାତିପ୍ରଥା ଆମ ସମାଜ ବିଲୋପ ହୋଇଯିବା ଉଚିତ୍‌।
୧୯୫୦ ମସିହାରେ ଜାତିପ୍ରଥା ଏକ ପ୍ରକାର ଉଚ୍ଛେଦ କରାଯାଇଥିଲା। ତେବେ ପୁଣି ଥରେ କାହିଁକି ଏହି ଜାତିପ୍ରଥା ଭେଦଭାବ ଆଧାରରେ ପ୍ରଚଳନ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଫଳରେ ଦଳିତ ଶ୍ରେଣୀର ଲୋକେ ଅଧିକ ହିଂସାରେ ଶିକାର ହେଉଥିବା ସେ କହିଛନ୍ତି। ସମାଜର ପଦାନୁକ୍ରମ ଅନୁସାରେ ହିନ୍ଦୁ ବର୍ଣ୍ଣ ବ୍ୟବସ୍ଥା ତିଆରି ହୋଇଛି। ହିନ୍ଦୁ ଜାତି ବ୍ୟବସ୍ଥାର ୪ଟି ଶ୍ରେଣୀ ରହିଛି। ବ୍ରାହ୍ମଣ (ପୂଜକ), କ୍ଷେତ୍ରୀୟ(ଯୁଦ୍ଧ) ବୈଶ୍ୟ(ବ୍ୟାପାର) ଏବଂ ସୂଦ୍ର(ସେବା) । ବଣ୍ଣ ବ୍ୟବସ୍ଥାରେ ସମସ୍ତଙ୍କୁ ସବର୍ଣ୍ଣ କୁହାଯାଉଥିଲା। କିନ୍ତୁ ଏହି ବର୍ଣ୍ଣ ବ୍ୟବସ୍ଥାରେ ଦଳିତ ଏବଂ ଆଦିବାସୀ ବାଦ ପଡ଼ିଥିଲେ। ଏମାନଙ୍କୁ ଅବର୍ଣ୍ଣ କୁହାଯାଉଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଜାତିଭେଦ ଆଳରେ ଆମ ପୂର୍ବଜମାନେ ଆମରି ଭାଇଭଉଣୀଙ୍କୁ ଅମାନବିକ ନିର୍ଯାତନା ଦେଇ ଯେଉଁ ପାପ କରିଥିଲେ ତାହାର ପ୍ରାୟଶ୍ଚିତ ଆବଶ୍ୟକ। ବର୍ତ୍ତମାନ ସମୟରେ ଜାତି ଓ ବର୍ଣ୍ଣ ବ୍ୟବସ୍ଥା ଅପ୍ରାସଙ୍ଗିକ।
ଜାତିପ୍ରଥା ଓ ତାରି ଆଧାରିତ ଘୃଣିତ ଅସ୍ପୃଶ୍ୟତା, ହିନ୍ଦୁ ଧର୍ମର କଳଙ୍କିତ ଅଧ୍ୟାୟ। ସୁଦୀର୍ଘ ଅତୀତରେ ବର୍ଣ୍ଣ ବ୍ୟବସ୍ଥାର ପ୍ରଚଳନ ଥିଲା, କିନ୍ତୁ ବଂଶାନୁକ୍ରମିକ ନ ଥିଲା। ଗୁରୁକୁଳରେ ଶିକ୍ଷା ସମାପ୍ତି ପରେ ଶିଷ୍ୟ/ଶିଷ୍ୟାଙ୍କର ବୃତ୍ତିଗତ ଆଗ୍ରହ ଆଧାରରେ ଗୁରୁ ସେମାନଙ୍କୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର ଭାବେ ଅଭିହିତ କରୁଥିଲେ। ବଂଶଗତ ନୁହେଁ, ଗୁଣ ଏବଂ କର୍ମ ଆଧାରରେ ବର୍ଣ୍ଣ ନିରୂପଣ କରାଯାଉଥିଲା ଏବଂ କୌଣସି ବୃତ୍ତି ଉଚ୍ଚ କିମ୍ବା ନୀଚ ନ ଥିଲା। କ୍ରମଶଃ ସମାଜ କୁସଂସ୍କାର ଓ ଅନ୍ଧବିଶ୍ୱାସରେ କବଳିତ ହେବା ପରେ ଜାତିବ୍ୟବସ୍ଥା ବଂଶାନୁକ୍ରମିକ ରୂପ ନେଲା। ଜାତିପ୍ରଥା ଲୋପ ପାଇଲେ ଜାତି ଆଧାରିତ ଦୁଇଟି ବ୍ୟବସ୍ଥାର ଅନ୍ତ ଘଟିବ। କଳଙ୍କିତ ଅସ୍ପୃଶ୍ୟତା ଓ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା।
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆମେ ଅବଶ୍ୟ ସ୍ୱୀକାର କରିବା, ଗ୍ରାମାଞ୍ଚଳରେ ଘୃଣିତ ଅସ୍ପୃଶ୍ୟତାର ଉତ୍କଟ ପ୍ରଭାବ ହ୍ରାସ ପାଇବାରେ ଲାଗିଛି; ଯଦିଓ ସଂପୂର୍ଣ୍ଣ ଲୋପ ପାଇଛି ବୋଲି ସନ୍ତୋଷ ପ୍ରକଟ କରିପାରିବା ନାହିଁ। ଆଶା କରିବା, ଆଗାମୀ କିଛି ଦଶନ୍ଧିରେ ଏହାର ବଂଶ ନାଶ ହେବ। ଦ୍ୱିତୀୟତଃ ସରକାରୀ ସ୍ତରରେ ଆରକ୍ଷଣ ବ୍ୟବସ୍ଥା ରହିଥିବାରୁ ଜାତିବାଦ ଭୟଙ୍କର ରୂପରେ କାୟା ବିସ୍ତାର କରିଚାଲିଛି। ଜାତିପ୍ରଥା ଲୋପ ପାଇଲେ ସଂରକ୍ଷଣ ବ୍ୟବସ୍ଥାର ଆଉ ଆବଶ୍ୟକତା ରହିବ ନାହିଁ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.