ଓଡ଼ିଶାର ସବୁ ବିଦ୍ୟାଳୟକୁ ‘ଶିଶୁଲେଖା’ ପତ୍ରିକା ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଅନୁପମ ଶାହାଙ୍କ ଦ୍ୱାରା ‘ଶିଶୁଲେଖା’ ପତ୍ରିକାକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓସେପାର ଉପନିର୍ଦ୍ଦେଶିକା ଆରତୀ ରାଉତ, ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏବଂ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ଉପସ୍ଥିତ ଥିଲେ । ଏହିକ୍ରମରେ ଲୋକପ୍ରିୟ ଶିଶୁ ପତ୍ରିକା ‘ଶିଶୁଲେଖା’କୁ ଓଡ଼ିଶାର ୫୦ ହଜାର ବିଦ୍ୟଳୟକୁ ବଣ୍ଟନ କରିବା କାର୍ଯ୍ୟକ୍ରମ ରଖାଯାଇଛି ।

ଓଡ଼ିଶାର ୩୧୪ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ତାଙ୍କ ଅଧୀନରେ ଥିବା ବିଦ୍ୟାଳୟ ସମୂହ ପାଇଁ ‘ଶିଶୁଲେଖା’ ପ୍ରେରଣ ହେବାର ବନ୍ଦୋବସ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ୪୧ ବ୍ଲକ୍‌କୁ ‘ଶିଶୁଲେଖା’ ଆଜି ପ୍ରେରଣ କରାଯାଇଛି । ପ୍ରତି ବିଦ୍ୟାଳୟରେ ‘ଶିଶୁଲେଖା’ର ବିଷୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପଠନ କରାଯାଇ ଆଲୋଚନା କରାଯିବ । ଏ ସମ୍ପର୍କରେ ଉଚିତ୍ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓସେପାର ଅଧିକାରୀମାନେ ଉପସ୍ଥିତ ଥିଲେ । ‘ଶିଶୁଲେଖା’ର ପ୍ରକାଶନ ଏବଂ ବଣ୍ଟନ କାର୍ଯ୍ୟକୁ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଛି । ‘ଶିଶୁଲେଖା’ ପଠନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ, ସୃଜନଶୀଳତା ଏବଂ ଭାଷା ପ୍ରୀତି ପ୍ରକାଶ ପାଇବ ବୋଲି ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

nis-ad
Leave A Reply

Your email address will not be published.