ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ…

ଭୁବନେଶ୍ୱର: ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଡୁବୁରୀ-ପାରାଦ୍ୱୀପ ଏକ୍ସପ୍ରେସ ହାେଇୱ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖିଛନ୍ତି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ଋତୁରାଜ, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସଂପତ୍ ମାଡ୍‌କର, ଇଡ୍‌କୋର ଜିଏମ କଲ୍ୟାଣ କୁମାର ମହାନ୍ତିଙ୍କ ଗହଣରେ ଆସି ସେ ପ୍ରଥମେ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ, ଚଣ୍ଡିଖୋଲ-ପାରାଦ୍ୱୀପ ଟୋଲଗେଟ୍ ସନ୍ନିକଟ ଶ୍ରୀରାମପୁର ମୌଜାର କେତେକ ଅବ୍ୟବହୃତ ଜମି ପରିଦର୍ଶନ କରିଥିଲେ ।

ଜମି ନିକଟରେ ଏକ୍ସପ୍ରେସ ହାେଇୱ ଏବଂ ରେଳ ଲାଇନ ତଥା ବିଦ୍ୟୁତ ଲାଇନ ଥିବାହେତୁ ଏ ସ୍ଥାନ ଶିଳ୍ପ ଅନୁକୂଳ ଥିବା ସେ ପ୍ରକାଶ କରିଥିଲେ । ଏସବୁ ସ୍ଥାନ ଚାଷ ଉପଯୋଗୀ ନୁହେଁ ଏବଂ ଘରୋଇ ମାଲିକାନାରେ ଥିବା ସତ୍ତ୍ୱେ ଏଠାରେ କୃଷି କାର୍ଯ୍ୟ କରାଯାଉ ନଥିବା ଦେଖାଯାଇଥିଲା । ପରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲର କେତେକ ସ୍ଥାନ ବୁଲି ଦେଖିଥିଲେ । ସେଠାରୁ କେନ୍ଦ୍ରାପଡ଼ା ଯାଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବୈଠକ କରି ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ମହାକାଳପଡ଼ା ତହସିଲର ଅମେଇପାଳ ମୌଜା, କଳଗଡ଼ା ମୌଜା, ଯଦୁପୁର ମୌଜା, ଅଂଗୁଳାଇ ମୌଜା, ବେରୁହାଁ ମୌଜା, ଡେରାବିଶ ତହସିଲର ଫକୀରାବାଦ ମୌଜା, ତିଲକପୁର ମୌଜା, ନୂଆହାଟ ମୌଜାଗୁଡ଼ିକରେ ଉପଲବ୍ଧ ଜମି ନକ୍ସା ସବୁର ଅନୁଧ୍ୟାନ କରାଯାଇଥିଲା । ଗୋଟିଏ ପଟେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଅନ୍ୟ ପଟେ ପାରାଦ୍ୱୀପ ଶିଳ୍ପାଞ୍ଚଳ ବହୁଳଭାବେ ଗଢ଼ି ଉଠିଥିଲେ ହେଁ ମଧ୍ୟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଶିଳ୍ପ ପ୍ରତିଷ୍ଠାନ ହୋଇପାରୁ ନାହିଁ । ତେଣୁ ଏସବୁ ଚିହ୍ନଟ ଜମିକୁ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ ସକାଶେ କିପରି ପ୍ରସ୍ତୁତ କରାଯାଇପାରିବ ସେନେଇ ବିଭିନ୍ନ ଆନୁଷଙ୍ଗିକ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି, ଏକ୍ସପ୍ରେସ ହାେଇୱକୁ ଲାଗି ରହିଥିବା ସରକାରୀ ଜମିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ତା’ର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ ।

ସେଠାରେ ନୂତନ ଶିଳ୍ପାନୁଷ୍ଠାନ ଗଢ଼ିଉଠିଲେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ସେ ମତ ରଖିଥିଲେ । ଯେଉଁ ବେସରକାରୀ ଜମି ଏହି ଉଦ୍ଦେଶ୍ୟରେ କ୍ରୟ କରାଯିବ ସେଥିରେ ଜମିର ଉପଯୁକ୍ତ ମୂଲ୍ୟ ସିଧାସଳଖ ପଟ୍ଟାଦାରଙ୍କ ଖାତାରେ ଜମା ହେବ, ଏଥିରେ କୌଣସି ତୃତୀୟ ପକ୍ଷର ସଂପୃକ୍ତି ରହିବ ନାହିଁ ବୋଲି ସେ ସୂଚିତ କରିଥିଲେ । ତେବେ ସମସ୍ତ ତଥ୍ୟ ଅବଗତ ହେବା ପରେ ଶ୍ରୀ ଶର୍ମା କଳଗଡ଼ାଠାରେ ଥିବା ଜମି ଚକଡ଼କୁ ପ୍ରଥମ, କଳଗଡ଼ାର ଦ୍ୱିତୀୟ ଚକଡ଼ାକୁ ଦ୍ୱିତୀୟ ଓ ମଣିକୁନ୍ଦା ଜମି ଚକଡ଼ାକୁ ତୃତୀୟ ଭାବେ ପ୍ରାଥମିକତା ସୂତ୍ରରେ ବାଛିବାକୁ କହିଥିଲେ । ଏସବୁ ଜମିର କିସମ, ଜମି ମାଲିକଙ୍କ ଜାତି, ଜମି ବିକ୍ରି ପାଇଁ ତାଙ୍କ ମନୋଭାବ ଇତ୍ୟାଦି ଉପରେ ଅଧିକ ଅନୁଧ୍ୟାନ କରିବାକୁ ସେ ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୋକେ ଜମି ବିକ୍ରି ପାଇଁ ଇଚ୍ଛୁକ ହେଲେ ସରକାରୀ ମୂଲ୍ୟାୟନର ଯଥେଷ୍ଟ ଅଧିକ ମୂଲ୍ୟରେ କ୍ରୟ କରାଯିବ ବୋଲି ସେ କହିଥିଲେ । ସେଠାରୁ ପାରାଦ୍ୱୀପ ଯାଇ ପାରାଦ୍ୱୀପ ପ୍ଲାଷ୍ଟିକ ପାର୍କଠାରେ ସିପେଟ୍ ଦ୍ୱାରା ପରିଚାଳିତ ତାଲିମ କାର୍ଯ୍ୟକ୍ରମର ସଂଚାଳନ ସହ ସେଠାରେ ପ୍ଲାଷ୍ଟିକର ବିଭିନ୍ନ ବ୍ୟବହାରଯୋଗ୍ୟ ଉପକରଣର ନିର୍ମାଣ କୌଶଳ ବୁଲି ଦେଖିଥିଲେ ।

ସଂପ୍ରତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ମହାନଦୀ କୋଲଡ୍ ଫିଲଡ୍ ଲିମିଟେଡ୍ ଏବଂ ଓଡ଼ିଶା ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ନିଗମ ଦ୍ୱାରା ପ୍ରାୟୋଜିତ ଯୁବକଯୁବତୀଙ୍କୁ ତାଲିମ ଦିଆଯାଉଥିବା ଅନୁଧ୍ୟାନ କରିଥିଲେ । ପରେ ସେଠାରେ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟ୍ଟୱାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଇଡ୍‌କୋର ଜମି ଅଧିଗ୍ରହଣ ଅଧିକାରୀମାନଙ୍କ ଉପସ୍ଥିତିରେ ଇଡ୍‌କୋ ଦ୍ୱାରା ଶିଳ୍ପପୁଞ୍ଜ ପ୍ରତିଷ୍ଠା ଓ ବିକାଶ ନିମନ୍ତେ କରାଯାଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପର୍କରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା । ସେଠାରେ ଓଡ଼ିଶା ଶକ୍ତି ସଂଚରଣ ନିଗମ ଓ ଟିପିଓସିଡିଏଲ୍ ଦ୍ୱାରା କରାଯାଉଥିବା ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରାଯାଇ ଆଗାମୀ ୨୦/୩୦ ବର୍ଷକୁ ଆଖିରେ ରଖି ବିଦ୍ୟୁତର ଆବଶ୍ୟକତାକୁ ଆକଳନ କରି ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା ।

nis-ad
Leave A Reply

Your email address will not be published.