କାୟା ବଢ଼ାଉଛି କର୍କଟ: ଏମ୍‌କେସିଜିରେ ମାସକୁ ହଜାରେ ରୋଗୀ…

ବ୍ରହ୍ମପୁର : କର୍କଟ ରୋଗ ଲୋକଙ୍କ ମନରେ ଭୟର ବସା ବାନ୍ଧିଛି। ଏହାର ମୁକାବିଲା ପାଇଁ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଆବଶ୍ୟକ ସଚେତନତା ଅଭାବରୁ ରୋଗୀଙ୍କ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ମେଡିକାଲ କ୍ୟାନ୍‌ସର ବିଭାଗକୁ ମାସକୁ ୧ ହଜାରରୁ ଊର୍ଦ୍ଧ୍ବ ରୋଗୀ ଆସୁଛନ୍ତି। ରୋଗୀଙ୍କ ପାଇଁ ଇନ୍‌ଡୋର‌୍‌ ବିଭାଗ ମଧ୍ୟ ରହିଛି। ଗୁରୁତର ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ମଧ୍ୟରେ ଅଧିକା˚ଶ ମହିଳା ରହୁଥିବା ଜଣାପଡ଼ିଛି। କର୍କଟ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ଏମ୍‌କେସିଜି ପରିସରରେ ପ୍ରାୟ ୭୬କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସ୍ବତନ୍ତ୍ର କ୍ୟାନସର୍‌ କେୟାର୍‌ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିପାଇଁ ଏକ ସଂସ୍ଥାକୁ ଟେଣ୍ଡର୍‌ ଦିଆଯାଇଛି। ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏମ୍‌କେସିଜି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଆସନ୍ତାକାଲି ବିଶ୍ବ କର୍କଟ ଦିବସ। ଏହି ଦିନ‌ ସରକାରୀସ୍ତରରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ରାଲି, ସଭା, ସମିତି କରି କର୍କଟ ରୋଗର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥାଏ। ତଥାପି ଲୋକେ ସଚେତନ ହେଉ ନାହାନ୍ତି। ବିଭିନ୍ନ ପ୍ରକାର କୁଅଭ୍ୟାସରେ ପଡ଼ି ଲୋକେ ଅଜାଣତରେ କର୍କଟ ଭଳି ମାରାତ୍ମକ ରୋଗକୁ ଡାକି ଆଣୁଛନ୍ତି। ଦକ୍ଷିଣ ଓଡ଼ିଶାର ସର୍ବବୃହତ ଏମ୍‌କେସିଜି ବଡ଼ ଡାକ୍ତରଖାନାର କ୍ୟାନସର‌୍‌ ବିଭାଗରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ବିଭାଗକୁ ଉଭୟ ଆଉଟ୍‌ଡୋର୍‌ ଏବଂ ଇନ୍‌ଡୋର୍‌କୁ ମାସକୁ ୧ହଜାରରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଇନ୍‌ଡୋର୍‌ରେ ମାତ୍ର ୨୦ଟି ଶଯ୍ୟା ମଞ୍ଜୁର ହୋଇଛି। କିନ୍ତୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଏମ୍‌କେସିଜିରେ ସ୍ବତନ୍ତ୍ର କ୍ୟାନ୍ସର୍‌ କେୟାର୍‌ ୟୁନିଟ୍‌ ନିର୍ମାଣ କରାଯାଉଛି। ମେଡିକାଲ ଖେଳ ପଡ଼ିଆ ପାର୍ଶ୍ବରେ ପ୍ରାୟ ୧୫ହଜାର ବର୍ଗଫୁଟ୍‌ର ଜାଗା ଚିହ୍ନଟ କରାଯାଇଛି। ସେଠାରେ ୫ମହଲା ବିଶିଷ୍ଟ କୋଠା ତିଆରି କରାଯିବ ବୋଲି ସୂଚନା ଦିଆଯାଇଛି।

କର୍କଟ ରୋଗୀଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସ˚ଖ୍ୟା ଅଧିକ ରହୁଥିବା ରେକର୍ଡ଼ କହୁଛି। କର୍କଟ ରୋଗର ବିଭିନ୍ନ କାରଣ ରହିଛି। ପୁରୁଷଙ୍କ କ୍ଷେତ୍ରରେ ଗୁଟ୍‌ଖା, ସିଗାରେଟ ଯୋଗୁଁ ଗଳାରେ କ୍ୟାନସର‌୍‌ ହେଉଥିବା ଜଣାପଡ଼ିଛି। ସେହିପରି ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ସ˚କ୍ରମଣ ଯୋଗୁଁ ସେମାନଙ୍କୁ କ୍ୟାନସର‌୍‌ ରୋଗ ଗ୍ରାସ କରୁଛି। ଜାନୁଆରି ମାସରେ ଆଉଟ୍‌ଡୋର୍‌କୁ ୮୩୦ଜଣ ରୋଗୀ ଆସିଥିବା ବେଳେ ଇନ୍‌ଡୋର୍‌ରେ ୨୩୬ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ସେହିପରି ଡିସେମ୍ବରରେ ୮୮୧ଜଣ ରୋଗୀ ଆଉଟ୍‌ଡୋର୍‌କୁ ଆସିଥିବା ବେଳେ ନଭେମ୍ବରରେ ୮୪୫ଜଣ ଆସିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ସେହିପରି ଇନ୍‌ଡୋର୍‌ରେ ପ୍ରତିମାସରେ ୨୨୦ଶହରୁ ୨୫୦ ରୋଗୀ ଚିକିତ୍ସିତ ହେଉଥିବା ରେକର୍ଡ଼ରୁ ଜଣାପଡ଼ିଛି।

nis-ad
Leave A Reply

Your email address will not be published.