କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା ନାହିଁ, ସିବିଆଇ ତଦନ୍ତ ହେଉ: ସମୀର ମହାନ୍ତିି…

# ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି

# ରାଜ୍ୟରେ କିଏ ସରକାର ଚଳାଉଛି ?

# ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୈା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ

# ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଭାଗ ବିଫଳ ସାବ୍ୟସ୍ତ ହୋଇଛି

# ବିଗତ ଦିନମାନଙ୍କରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏହି ଘଟଣାରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛି

ଭୁବନେଶ୍ୱର : ଓଡିଶାବାସୀ ଆଜି ଆତଙ୍କିତ ଏବଂ ସରକାର ପଙ୍ଗୁ ହୋଇ ରହିଛି । ଗତ ଦୁଇ ଦିନ ତଳେ ଜଣେ ପୋଲିସ ଅଧିକାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରିବା ଘଟଣା କେବଳ ରାଜ୍ୟରେ ନୁହେଁ ଦେଶରେ ବି ବିରଳ । ପୋଲିସ୍ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଉଛି ଏବଂ ଦୀର୍ଘ ୨୩ବର୍ଷ ଧରି ଗୃହ ବିଭାଗର ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ନିଜ ପାଟି ନଖୋଲିବା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ । ଏପରିକି ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ବୋଲି କହିବା ସହ ରାଜ୍ୟରେ କିଏ ସରକାର ଚଳାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଉଛି, ସେଇଠି ଆଇନ ଶୃଙ୍ଖଳାକୁ ନେଇ ଆଉ କ’ଣ ଆଶା କରାଯାଇପାରେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀଙ୍କୁ ବିଗତ ଦିନରେ ରାଜ୍ୟ ସରକାର ପଦୋନ୍ନତି ଦେଇ ବାରମ୍ବାର ପୁରସ୍କୃତ କରିବା ସହ ମେଡାଲ ଓ ଅର୍ଥରାଶି ମଧ୍ୟ ଦେଇଛନ୍ତି । ହଠାତ୍ ସେହି ଦକ୍ଷ ପୋଲିସ ଅଧିକାରୀଜଣକ କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲେ ତାହା ଏବେ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଛି । ସେହିପରି ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୈା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ । ଯିଏ କ୍ରାଇମ କଲା ସେହି ବିଭାଗ ତଦନ୍ତ କରିବ, ଯାହାକୁ ଓଡ଼ିଶାବାସୀ ସହଜରେ ଗ୍ରହଣ କରିପାରୁ ନଥିବା ଶ୍ରୀ ମହାନ୍ତି କହିଛନ୍ତି ।
ବିଗତ ଦିନରେ ମମିତା ମେହେର ହତ୍ୟାକାଣ୍ଡ, କୁନ୍ଦୁଲି ଗଣଦୁର୍ଷ୍କମ, ଯାଜପୁରର ସ୍ମିତାରାଣି ବିଶ୍ୱାଳଙ୍କର ହତ୍ୟାକାଣ୍ଡ ଭଳି ଅନେକ ଘଟଣାରେ କ୍ରାଇମବ୍ରାଂଚର ତଦନ୍ତ କରିଥିଲେ ହେଲେ ଫଳ ଶୂନ । ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ, ଯାହାକି ସମଗ୍ର ଦେଶରେ ସର୍ବନିମ୍ନ । ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଭାଗ ବିଫଳ ସାବ୍ୟସ୍ତ ହୋଇଥିବା ରାଜ୍ୟବାସୀ ଅନୁଭବ କରୁଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଇ ପୁଣି ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ମନିଟରିଂ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ରାଜ୍ୟ ସରକାରଙ୍କ ଭୟକୁ ସ୍ପଷ୍ଟ କରୁଛି । ଭାରତୀୟ ଜନତା ପାର୍ଟି ଆଜି କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା କରୁନାହିଁ । ବିଗତ ଦିନମାନଙ୍କରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏହି ଘଟଣାରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଏବଂ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଅନୀଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.