ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଧାରା ୩୧୧ ଆଧାରରେ ତାଙ୍କୁ ବହିଷ୍କାର କରାଯାଇଛି । ଗୋପାଳକୃଷ୍ଣ ଦାସଙ୍କୁ ଝାରସୁଗୁଡା ଏସପି ବହିଷ୍କାର କରିଥିବାବେଳେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ମଧ୍ୟ କରିଥିଲା । ସୂଚନାଯୋଗ୍ୟ, ଗୋପାଳ ଦାସଙ୍କୁ ଗତକାଲି ଟ୍ରାଫିକ କ୍ଲିଅରାନ୍ସ ଡିଉଟି ଦିଆଯାଇଥିଲା ।
ନବ ଦାସଙ୍କ ଗସ୍ତ ପାଇଁ ଅନ୍ୟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଡିଉଟି ଦିଆଯାଇଥିଲା । ନବ ଦାସ ୧୨ଟା ୧୫ ମିନିଟ୍ ପାଖାପାଖି ସେହି ସ୍ଥାନରେ ପହଞ୍ଚିବା ପରେ ଗୋପାଳ ନିଜ ଡିଉଟି ଛାଡ଼ି ତାଙ୍କ ନିକଟକୁ ଯାଇ ଗୁଳି ମାରିଥିଲେ । ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ । ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।